ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ବୈଠକରେ ପେଣ୍ଟ୍ସ କାରଖାନା ମଞ୍ଜୁର କରାଯାଇଥିବା ପ୍ରକଳ୍ପ ମଧ୍ୟରୁ ଏହା ଅନ୍ୟତମ। ରୁଙ୍ଗ୍ଟା ପେଣ୍ଟସ୍ ୯୯୧ କୋଟି ଟଙ୍କା ବିନିଯୋଗରେ ଢେଙ୍କାନାଳରେ ଏକ ପେଣ୍ଟ୍ସ କାରଖାନା ସ୍ଥାପନ କରିବ। ଆଜିର ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଟାଟା ଷ୍ଟିଲ୍, ୱେଲ୍ସ୍ପନ୍, ଇମ୍ଫା, ଜିନ୍ଦଲ ଷ୍ଟେନ୍ଲେସ୍ ଭଳି କଂପାନିର ନିବେଶ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।
ବୈଠକରେ ମୋଟ ୪,୮୦୪.୩୫ କୋଟି ଟଙ୍କାର ୧୯ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ। ଏହା ଦ୍ବାରା ରାଜ୍ୟରେ ୧୭,୫୫୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସୂଚନା ଅନୁସାରେ, ଯାଜପୁରରେ ୯୭୭.୪୩ କୋଟି ଟଙ୍କା ବିନିଯୋଗରେ ଇମ୍ଫା ପକ୍ଷରୁ ଏକ ଫେରୋକ୍ରୋମ୍ ଓ ୨୦ ମେଗାୱାଟ୍ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରାଯିବ। ଟାଟା ଷ୍ଟିଲ୍ ଯାଜପୁରର କଳିଙ୍ଗନଗରରେ ୭୩୫ କୋଟି ଟଙ୍କା ବିନିଯୋଗ କରି ଏକ ଇସ୍ପାତ ସେବା କେନ୍ଦ୍ର ସ୍ଥାପନ କରିବ।
ୱେଲ୍ସ୍ପନ୍ ଲିଭିଙ୍ଗ୍ ୨୦୦ କୋଟି ଟଙ୍କା ନିବେଶରେ କେନ୍ଦ୍ରାପଡ଼ାରେ ଏକ ବୟନ ଶିଳ୍ପ ସ୍ଥାପନ କରିବ। ଜିନ୍ଦଲ ଷ୍ଟେନ୍ଲେସ୍ ପକ୍ଷରୁ ଯାଜପୁର ସ୍ଥିତ ଜେଏସ୍ଏଲ୍ ଷ୍ଟେନ୍ଲେସ୍ ଷ୍ଟିଲ୍ ପାର୍କରେ ୧୫୦ କୋଟି ଟଙ୍କା ନିବେଶ କରାଯିବ।

