ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ହୋଇଛି ବଡ଼ ଧରଣର ସାଇବର ଆକ୍ରମଣ । ଡାର୍କ ୱେବ୍ରେ ୩ ହଜାର ୮୯୭ ଜଣ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥିବା ନେଇ ବ୍ୟାଙ୍କ ନିଜେ ସ୍ପଷ୍ଟ କରିଛି ।
ଏହି ଘଟଣା ସାମ୍ନାକୁ ଆସିବା ପରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ଏହି ସାଇବର ଆକ୍ରମଣ ପରେ ଡାର୍କ ୱେବ୍ରେ ଉପଲବ୍ଧ ପ୍ରାୟ ଚାରି ଲକ୍ଷ ରେକର୍ଡର ଯାଞ୍ଚ କରାଯାଇଥିଲା ।
ଏହି ଅନୁସନ୍ଧାନରୁ ପ୍ରାୟ ୩ ହଜାର ୮୯୭ ଜଣ ଗ୍ରାହକଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା ଚୋରି ହୋଇଥିବା ଜଣାପଡ଼ିଛି । ଏହି ତଥ୍ୟ ମଧ୍ୟରେ ଗ୍ରାହକଙ୍କ ନାମ, ଫୋନ୍ ନମ୍ବର, ଇମେଲ୍ ଆଇଡି, ଠିକଣା ସମେତ ସିଆଇଏଫ୍ ନମ୍ବର ଏବଂ ଋଣ ସମ୍ବନ୍ଧୀୟ ରେକର୍ଡ ସାମିଲ ରହିଛି । ଡିଫେନ୍ସ ସାଇବର ଏଜେନ୍ସି ଏବଂ ସାର୍ଟ-ଇନ୍ ପକ୍ଷରୁ ସୂଚନା ମିଳିବା କ୍ଷଣି ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି ।
ସମ୍ପୂର୍ଣ୍ଣ ଘଟଣାର ଅନୁସନ୍ଧାନ ପାଇଁ ଏକ ବାହ୍ୟ ଫରେନ୍ସିକ୍ ସଂସ୍ଥାକୁ ନିୟୋଜିତ କରାଯାଇଛି। ଅନ୍ୟପଟେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଆଶ୍ୱସ୍ତ କରି କୁହାଯାଇଛି ଯେ ମୁଖ୍ୟ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ଏବଂ ଆର୍ଥିକ କାରବାର ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ ।

