କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅସୁସ୍ଥତା ପରେ ତାଙ୍କୁ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଛି । AIIMS ର ସୂଚନା ଅନୁଯାୟୀ, ଅଗଷ୍ଟ ୧୩ ତାରିଖ ସନ୍ଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଅସୁସ୍ଥ ହୋଇଥିଲେ । ଏହାପରେ ଡାକ୍ତରମାନେ ତାଙ୍କର ଡାକ୍ତରୀ ଯାଞ୍ଚ କରିଥିଲେ ।
ଆହୁରି କୁହାଯାଇଛି ଯେ, ନଡ୍ଡାଙ୍କର କରୋନାରୀ ଆଞ୍ଜିଓଗ୍ରାଫି ସମେତ ଅନେକ ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ତାଙ୍କର AIIMSର କାର୍ଡିଓଲୋଜି ବିଭାଗରେ ଚିକିତ୍ସା କରାଯାଉଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ବର୍ତ୍ତମାନ ଡାକ୍ତରମାନଙ୍କ ନିରୀକ୍ଷଣରେ ଅଛନ୍ତି ବୋଲି AIIMS ପକ୍ଷରୁ ବିବୃତି ଜାରି କରାଯାଇଛି ।
ଅନ୍ୟପଟେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ‘ଏକ୍ସ’ରେ ନଡ୍ଡାଙ୍କ ପାଇଁ ଆରୋଗ୍ୟ କାମନା କରିଛନ୍ତି । ସେ ଲେଖିଛନ୍ତି ଯେ, “ଆଦରଣୀୟ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଜୀ ଅସୁସ୍ଥ ଥିବା ଖବର ମିଳିଛି। ବାବା କେଦାରଙ୍କ ନିକଟରେ ଶ୍ରୀ ନଡ୍ଡା ଜୀଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି।”

