ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ୧୯ଟି ବିରୋଧୀ ଦଳର ସାଂସଦ ‘ସେଭ୍ ଡେମୋକ୍ରାସି ମାର୍ଚ୍ଚ’ ବାହାର କରିଛନ୍ତି। ପୁଲିସ ବିରୋଧୀ ସାଂସଦମାନଙ୍କୁ ଆଗକୁ ବଢ଼ିବାକୁ ଅଟକାଇଛି। ଏହାପରେ ସାଂସଦମାନେ ରାସ୍ତାରେ ବସିପଡ଼ିଛନ୍ତି। ଦିଲ୍ଲୀରେ ନୂଆ ସଂସଦ ଭବନରୁ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହେଉଥିବା ଏହି ମାର୍ଚ୍ଚରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଅଛନ୍ତି। ତେବେ ଆପ୍ ଓ ଡିଏମକେ ଏଥିରେ ସାମିଲ ହୋଇନାହାନ୍ତି।
ସାଂସଦମାନେ ‘ସେଭ୍ ଡେମୋକ୍ରାସି’ ବ୍ୟାନର ଧରି ପହଞ୍ଚିଛନ୍ତି ଏବଂ ‘ଜ୍ଞାନେଶ କୁମାର ଇସ୍ତଫା ଦିଅ’ ନାରା ଦେଉଛନ୍ତି। ସଂସଦ ମାର୍ଗ, ଜନ୍ତରମନ୍ତର ଏବଂ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
ଇଣ୍ଡିଆ ମେଣ୍ଟ ୨୦୨୫ ଅଗଷ୍ଟ ୧୧ ତାରିଖରେ ମଧ୍ୟ ସଂସଦ ଭବନରୁ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମାର୍ଚ୍ଚ କରିଥିଲା। ଏଥିରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ଶରଦ ପାୱାରଙ୍କ ସମେତ ୨୫ଟି ବିରୋଧୀ ଦଳ ସାମିଲ ହୋଇଥିଲେ।

