ଓଡିଶାରେ ଖୋଲିବ ଆଉ ୧୮ଟି ସରକାରୀ ଯୁକ୍ତ ତିନି କଳା ଡିଗ୍ରୀ କଲେଜ । ଏନେଇ ୨୦୨୪-୨୫ରୁ କଲେଜ ଖୋଲିବ ଏବଂ ପାଠପଢା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଅପହଞ୍ଚ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ସରକାର ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।
ନବରଙ୍ଗପୁରରେ ସର୍ବାଧିକ ୪ଟି ଖୋଲିବ ଯୁକ୍ତ ତିନି କଳା ଡିଗ୍ରୀ କଲେଜ । ରାୟଗଡ଼ା, ସୁନ୍ଦରଗଡ଼ରେ ଦ୍ବିତୀୟ ସର୍ବାଧିକ ୩ଟି ଲେଖାଏଁ ପ୍ଲସ ଥ୍ରୀ କଳା ଡିଗ୍ରୀ କଲେଜ ଖୋଲିବ । ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଝରିଗାଁ ଓ ରାଇଘରରେ ଖୋଲିବ କଲେଜ । ସେହିପରି ରାୟଗଡ଼ାର କାଶୀପୁରସ ରମଣଗୁଡ଼ା ଓ ଚନ୍ଦ୍ରପୁର, ସୁନ୍ଦରଗଡ଼ର ନୂଆଗାଁ, ଗୁରୁଣ୍ଡିଆ ଓ କୁଆଁରମୁଣ୍ଡାରେ ଖୋଲିବ ଡିଗ୍ରୀ କଲେଜ । କୋରାପୁଟର ଦୁଇଟି ବ୍ଲକରେ ଖୋଲିବାକୁ ଥିବାବେଳେ ସେଗୁଡିକ ହେଲା ବନ୍ଧୁଗାଁ ଓ ନାରାୟଣପାଟଣା । କଳାହାଣ୍ଡିର ଥୁଆମୁଳ ରାମପୁର, କନ୍ଧମାଳର ଖଜୁରିପଡ଼ା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୂରଭଞ୍ଜର ତିରିଙ୍ଗରେ ଖୋଲିବ ଏହି ଡିଗ୍ରୀ କଲେଜ ।

