କଳାଭାସ୍କର୍ଯ୍ୟର ଭାସ୍କର ସୁଦର୍ଶନ ସାହୁ

କୁହାଯାଏ ଗୋଟିଏ ଚିତ୍ର ଶହେଟି ଶଦ୍ଦର କଥାକୁହେ । କାରିଗରଙ୍କ ନିଖୁଣ କଳାରେ ପଥର ବି ଜୀବନ୍ତ ଦିଶିଥାଏ । ବିଶାଳକାୟ ପଥର ଖଣ୍ଡକୁ ସୁନ୍ଦର ସୁନ୍ଦର ମୂର୍ତ୍ତିର ରୂପ ଦେବା କେବଳ କାରିଗରଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ । ପଥର ଦେହରେ ନିହଣର ଠକ୍ ଠକ୍ ଶଦ୍ଦ ଆଉ କାରିଗରଙ୍କ ଯାଦୁଗରୀ ସ୍ପର୍ଶ ଶିଳାକୁ ବି ଜୀବନ୍ୟାସ ଦେଇଥାଏ । ଠିକ ସେହିଭଳି ଜଣେ ମହାନ କାରିଗରଙ୍କୁ ଜନ୍ମ ଦେଇଛି ଏଇ ଓଡ଼ିଶାମାଟି । ସେ ହେଉଛନ୍ତି ଆମ ରାଜ୍ୟର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଅତୁଳନୀୟ କାରିଗର, ଆମ ସଭିଙ୍କର ଗର୍ବ ଓ ଗୌରବ ତଥା ଆମ ସଂସ୍କୃତି ଐତିହ୍ୟର ବାର୍ତ୍ତାବହ ସୁଦର୍ଶନ ସାହୁ । ପଦ୍ମଶ୍ରୀ ଓ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ବିଶ୍ବର ପ୍ରକ୍ଷାତ ସ୍ଥପତି ସୁଦର୍ଶନ । ତାଙ୍କ ଯାଦୁଗରୀ କାରିଗରି ସାରା ବିଶ୍ବରେ ଯେତିକି ନାଁ କରିଛି ତାଙ୍କ ସଂଘର୍ଷମୟ ଜୀବନ ସାରା ବିଶ୍ବ ପାଇଁ ସେତିକି ପ୍ରେରଣାଦାୟୀ କାହାଣୀ ଲେଖିଛି ।

ସ୍ଥପତି ସୁଦର୍ଶନଙ୍କୁ ନେଇ ଗର୍ବ କରେ ଓଡ଼ିଶା । ଆଜି ସଫଳତାର ଶୀର୍ଷରେ ଠିଆ ହୋଇଥିବା ସୁଦର୍ଶନଙ୍କ ଜୀବନ ବିତିଛି ଅନେକ ସଂଘର୍ଷପୂର୍ଣ୍ଣ ସମୟ ଦେଇ । ୧୯୩୯ ମସିହା ମାର୍ଚ୍ଚ ଏକ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ରରେ ଜନ୍ମଲାଭ କରିଥିଲେ ସୁପରିଚିତ ପ୍ରସ୍ତର ଶିଳ୍ପୀ ସୁଦର୍ଶନ । ଜନ୍ମହେବା ଦିନରୁ ହିଁ ଦାରିଦ୍ର୍ୟ, ଅଭାବ, ଅନଟନ ସହ ଜୀବନ ବିତାଇଥିଲେ । ଆଖି ଖୋଲିବା ଦିନଠୁ ସଂଘର୍ଷ କଣ ଦେଖିଥିଲେ । ମାତ୍ର 9 ବର୍ଷ ବୟରେ ବାପଛେଉଣ୍ଡ ହେବାର ହତଭାଗା ହୋଇଥିଲେ ସୁଦର୍ଶନ । ଘରେ ଅର୍ଥାଭାବ ଏପଟେ ମୁଣ୍ଡ ଉପରେ ବାପାଙ୍କ ହାତ ଚାଲିଯିବାର ଅସହାୟତା ସୁଦର୍ଶନଙ୍କୁ ଭାଙ୍ଗି ଦେଇଥିଲେ । ପିତାଙ୍କ ମୃତ୍ୟୁ ପରେ ନିଜ ସାଙ୍ଗମାନଙ୍କୁ ଦେଖି ପଥର କାମରେ ମନ ଦେଇଥିଲେ ସୁଦର୍ଶନ ।
କୁନିଆ ମହାରଣା ଓ ଭୁବନେଶ୍ୱର ମହାପାତ୍ରଙ୍କୁ ସେ ନିଜ ଗୁରୁ ମାନିଥିଲେ । ଜଣେ ସାହୁ ପରିବାରର ପୁଅ ହୋଇଥିବାରୁ ପ୍ରସ୍ତର କାମକୁ ନେଇ ଅନେକ ସମାଲୋଚନା ଶୁଣିଥିଲେ ସୁଦର୍ଶନ । ନିଜର କୌଳିକ ବୃତ୍ତି ହୋଇନଥିବାରୁ ବିରୋଧର ସମ୍ମିଖୀନ ବି ହୋଇଥିଲେ ।

ଅନେକ ବାଧାବିଘ୍ନ, ସମସ୍ୟା ଆଗରେ ନଇଁନଥିଲେ ସୁଦର୍ଶନ ସାହୁ । ସମାଜର ବିରୋଧ ପରେ କୌଣସି ଗୁରୁଙ୍କଠାରୁ ନଶିଖି, ନିଜେ ନିଜେ ଚେଷ୍ଟା କରିଥିଲେ ଏହି ବିରଳ କଳାକୁ ଆୟତ କରିବାକୁ । ମହାପ୍ରଭୁଙ୍କ ଆଶୀର୍ବାଦରେ ପ୍ରସ୍ତର କଳାକୁ ନିଜ ପ୍ରଚେଷ୍ଟାରେ କରିବାରେ ସେ ସକ୍ଷମ ହୋଇଥିଲେ । ଏହାପରେ ବି ସୁଦର୍ଶନଙ୍କ ଜୀବନରେ ଦୁର୍ଦ୍ଦିନ ଲାଗି ରହିଥିଲା । କାମ ପାଇଁ ଏଠି ସେଠି ହାତପତାଇବାକୁ ପଡିଥିଲା । ପରେ ସୁଦର୍ଶନଙ୍କ ଜୀବନରେ ବରଦାନ ସାଜିଥିଲେ ପୁରୀର ଶିଳ୍ପୀ ଭୁବନ ମହାରଣା । ଶିଳ୍ପୀ ଭୁବନ ମହାରଣାଙ୍କ ଯୋଗୁ, ସୁଦର୍ଶନଙ୍କୁ କାମ ମିଳିବା ଆରମ୍ଭ ସହିତ ତାଙ୍କ କଳାର ଆଦୃତି ବଢ଼ିଥିଲା । ତାଙ୍କ ଯାଦୁଗରୀ କଳାକୁ ଯିଏ ଦେଖିଲା ସେ ଏଥିରେ ପ୍ରଭାବିତ ହେଲା । କାଳକ୍ରମେ ବିଶ୍ବର ପ୍ରତିଷ୍ଠିତ ପ୍ରସ୍ତର ଶିଳ୍ପୀ ଭାବେ ପରିଚୟ ଲାଭ କଲେ ସୁଦର୍ଶନ । ସୁଦର୍ଶନଙ୍କ ହାତ ତିଆରି ପ୍ରତିପୂର୍ତ୍ତି ସାରା ବିଶ୍ବରେ ଚହଳ ପକାଇଛି । ବୁଦ୍ଧଙ୍କର ନୀତିଆଦର୍ଶଦ୍ୱାରା ସୁଦର୍ଶନ ପ୍ରଭାବିତ । ବୁଦ୍ଧଙ୍କ ବିଷୟରେ ଅନେକ ପୁସ୍ତକ ପଢ଼ିଛନ୍ତି । ଏହାର ପ୍ରଭାବ ତାଙ୍କ କାମରେ ପରିଲକ୍ଷିତ ହୋଇଥାଏ । ସେ ପୃଥିବୀର ଅନେକ ସ୍ଥାନରେ ବୁଦ୍ଧ ମୂର୍ତ୍ତୀ ପ୍ରତିଷ୍ଠା କରିଛନ୍ତି । ଓଡ଼ିଶା ତଥା ଦେଶର କୋଣଅନୁକୋଣରେ ତାଙ୍କ କଳାକୃତି ଦେଖିବାକୁ ମିଳେ । ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ବି ସୁଦର୍ଶନଙ୍କ ଯୋଗଦାନ ଅତୁଳନୀୟ ।

ଜଣେ ସ୍ଥପତି ଭାବେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି । କାରୁକଳା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କ ଦ୍ବାରା ପ୍ରତିଷ୍ଠିତ ପୁରୀରେ ‘ସୁଦର୍ଶନ କ୍ରାଫ୍ଟ ମ୍ୟୁଜିୟମ୍‌’ ଓ ଭୁବନେଶ୍ବରରେ ‘ସୁଦର୍ଶନ ଆର୍ଟ ଆଣ୍ଡ୍‌ କ୍ରାଫ୍ଟ୍‌ ଭିଲେଜ୍‌’ ଓଡ଼ିଶାର ସମୃଦ୍ଧ କଳା ଓ ସ୍ଥାପତ୍ୟକୁ ବିଶ୍ବ ଦରବାରରେ ପରିଚିତ କରାଉଛି। ଏହି ଅନୁଷ୍ଠାନରୁ ତାଲିମ୍‌ ନେଇଥିବା ବହୁ ଛାତ୍ରଛାତ୍ରୀ ସ୍ଥାପତ୍ୟ କ୍ଷେତ୍ରରେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସୁଦର୍ଶନ ସାହୁଙ୍କ କଳାକୁ ସମ୍ମାନ ନେଇ ୧୯୮୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ‌ର ଭୂଷିତ କରିଥିଲେ କେନ୍ଦ୍ର ସରକାର । ପରେ 2021 ମସିହାରେ ସେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ପଦ୍ମବିଭୂଷଣ ପୁରସ୍କାର ପାଇବାରେ ଶ୍ରୀ ସାହୁ ହେଲେ ଚତୁର୍ଥ ଓଡ଼ିଆ। ତାଙ୍କ ପୂର୍ବରୁ ସ୍ବର୍ଗତ କେଳୁଚରଣ ମହାପାତ୍ର, ସୀତାକାନ୍ତ ମହାପାତ୍ର ଓ ରଘୁନାଥ ମହାପାତ୍ର ଏହି ପୁରସ୍କାର ପାଇଥିଲେ। 1981ରେ ନ୍ୟାସନାଲ ଆଓ୍ବାର୍ଡ ଓ 2003ରେ ଶିଳ୍ପୀ ଗୁରୁ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ । ତାଙ୍କ ନିହଣ ମୁନ ଏମିତି କଥା କହୁଥାଉ । ଆଉ ଆମ ଓଡ଼ିଶାକୁ ସେ ବିଶ୍ବଦରବାରରେ ଏମିତି ଗର୍ବିତ କରୁଥାନ୍ତୁ । ମହାପ୍ରଭୁଙ୍କ ନିକଟରେ ଇଣ୍ଟର୍ଭ୍ୟୁ ଟାଇମ୍ସ ତରଫରୁ ଏତିକି ପ୍ରାର୍ଥନା ।

Post Views62 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!