ହାତୀ ଆକ୍ରମଣରେ ୩ ମୃତ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବାଘଧରିଆ ଗାଁରେ ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା। ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ। ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏନେଇ ଘୋଷଣା କରିଛନ୍ତି। ମୃତକଙ୍କ ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରାସୋଳ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ଵିତ କରାଯାଇଛି।

ସୂଚନାନୁଯାୟୀ, ବାଘଧରିଆ ଗ୍ରାମର ଝୁଲଣ ଦେହୁରୀ ଗୁରୁବାର ସକାଳୁ ଶୌଚ ହେବାପାଇଁ ଘର ପଛପଟକୁ ଯାଇଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଥିବା ଏକ ଦାନ୍ତହାତୀ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ଦେଢଶୂର କରୁଣାକର ଦୌଡ଼ି ଆସିବାରୁ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ଉଭୟ ଦେଢଶୂର ଓ ଭାଇବୋହୂଙ୍କ ମୃତ୍ୟୁ ଘଟିଥିଲା। ସେଠାରୁ ହାତୀଟି ପଳାଇ ଯାଇ କିଛି ଦୂରରେ ଶଶୀ ସାହୁଙ୍କୁ ମଧ୍ୟ ଟେକି କଚାଡି ଦେଇଥିଲା। ଗୁରୁତର ଶଶୀ ସାହୁଙ୍କୁ ପ୍ରଥମେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପଟେ ହାତୀ ଆକ୍ରମଣ କରିବା ପରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ହାତୀପଲ ଗାଁ ଛାଡ଼ି ଯାଇନଥିଲେ । ବନ ବିଭାଗ କର୍ମଚାରୀଙ୍କୁ ଫୋନ୍ କରାଯାଇଥିଲେ ସୁଦ୍ଧା କେହି ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ହାତୀପଲ ଚାଲିଯିବା ପରେ ମୃତଦେହକୁ ଗ୍ରାମବାସୀ ସାତମାଇଲି ଛକରେ ରଖି ରାସ୍ତା ଅବରୋଧ କରିଥିଲେ । ତେବେ ଗତ କିଛିଦିନ ଧରି ଏହି ଅଞ୍ଚଳରେ ହାତୀ ଉପଦ୍ରବ ଅନେକ ପରିମାଣରେ ବଢ଼ି ଯାଇଛି। ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Post Views11 Total Count

Apply Now


This will close in 0 seconds

error: Content is protected !!