ତଦନ୍ତ କରି ଭୋଟ ଲିଷ୍ଟ ନାଁ କଟିବ

ଭୋଟ୍ ଦେବାର ଅଧିକାରକୁ ନେଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଜଣେ ଭାରତୀୟ ନାଗରିକଙ୍କ ଭୋଟ୍ ଦେବାର ଅଧିକାର ସମ୍ବିଧାନର ମୌଳିକ ଢାଞ୍ଚା ସହ ଅତି ନିବିଡ଼ ଭାବେ ଜଡ଼ିତ ବୋଲି ସେ ସ୍ପଷ୍ଟ କରିଛନ୍ତି। ହାଇଦ୍ରାବାଦସ୍ଥିତ ନାଲସାର ୟୁନିଭରସିଟି ଅଫ୍ ଲ’ରେ ଆୟୋଜିତ ୧୯ତମ ନାଲସାର ଜଷ୍ଟିସ ବି.ଆର ସାହାଣୀ ମେମୋରିଆଲ ମୁଟ୍ କୋର୍ଟ ପ୍ରତିଯୋଗିତାର ଉଦ୍ ଯାପନୀ ଅଭିଭାଷଣରେ ସେ ଏହି ବକ୍ତବ୍ୟ ରଖିଛନ୍ତି ।

ଜଷ୍ଟିସ୍ ଭୂୟାଁ କହିଛନ୍ତି ଯେ, ଯଦି କୌଣସି ପ୍ରକ୍ରିୟା ମାଧ୍ୟମରେ ଲକ୍ଷ ଲକ୍ଷ ଭାରତୀୟ ନାଗରିକ ନିଜର ଭୋଟ୍ ଅଧିକାରରୁ ବଞ୍ଚିତ ହୁଅନ୍ତି, ତେବେ ସେଭଳି ପ୍ରକ୍ରିୟା ସ୍ୱତଃ ମନମୁଖୀ ଏବଂ ଏହା ସମ୍ବିଧାନର ଅନୁଚ୍ଛେଦ ୧୪ ତଥା ଅନୁଚ୍ଛେଦ ୩୨୬ର ସିଧାସଳଖ ଉଲ୍ଲଂଘନ । ତାଙ୍କ ମତରେ, ଭାରତୀୟ ସମ୍ବିଧାନ କେବେହେଲେ ଦୁଇ ଶ୍ରେଣୀର ନାଗରିକ ଭୋଟ୍ ଅଧିକାର ଥିବା ନାଗରିକ ଏବଂ ଭୋଟ୍ ଅଧିକାର ନଥିବା ନାଗରିକ ସୃଷ୍ଟି କରିବାର ପରିକଳ୍ପନା କରିନାହିଁ ।

ବ୍ୟାପକ ସଂଖ୍ୟାରେ ଲୋକଙ୍କୁ ମତାଧିକାରରୁ ଦୂରେଇ ରଖିବା ସମ୍ବିଧାନର ମୂଳ ଆତ୍ମାକୁ କୁଠାରାଘାତ କରିବା ସଦୃଶ । ଭୋଟ୍ ଅଧିକାର କେବଳ ଏକ ସାଧାରଣ ଆଇନଗତ ବ୍ୟବସ୍ଥା ନୁହେଁ, ବରଂ ଏହାର ମୂଳ ଉତ୍ସ ସମ୍ବିଧାନର ଅନୁଚ୍ଛେଦ ୩୨୬ରେ ରହିଛି ବୋଲି ଜଷ୍ଟିସ୍ ଭୂୟାଁ ଉଲ୍ଲେଖ କରିଛନ୍ତି । ଏହି ଅନୁଚ୍ଛେଦ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ସାର୍ବଜନୀନ ପ୍ରାପ୍ତବୟସ୍କ ମତାଧିକାରର ସାମ୍ବିଧାନିକ ଗ୍ୟାରେଣ୍ଟି ପ୍ରଦାନ କରିଥାଏ ।

Post Views53 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!