ସମଗ୍ର ଓଡ଼ିଶାରେ ଯେଉଁ ଶିଳ୍ପ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହେଉଛି, ତାହା ରାଜ୍ୟର ଦ୍ୱିତୀୟ ଶିଳ୍ପ ବିପ୍ଲବର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଆମ ସରକାର ଆସିବା ପୂର୍ବରୁ ଶିଳ୍ପ ନିବେଶ କେବଳ ଏକ ସ୍ଲୋଗାନ ଏବଂ ପ୍ରଚାର ପ୍ରସାରର ମାଧ୍ୟମ ହୋଇ ରହିଥିଲା। କିନ୍ତୁ ଆମେ ପ୍ରତିଟି ବୁଝାମଣାପତ୍ର (MoU) କୁ ବାସ୍ତବ ରୂପ ଦେଇ ଫାକ୍ଟ୍ରି ନିର୍ମାଣ କରି ଉତ୍ପାଦନ ଆରମ୍ଭ କରିଛୁ ଏବଂ ଆମର ଓଡ଼ିଆ ପୁଅ-ଝିଅମାନଙ୍କୁ ନିଯୁକ୍ତି ଦେବାରେ ସମର୍ଥ ହୋଇଛୁ। ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ଶିଳ୍ପ ପ୍ରକଳ୍ପ ଭୂମିପୂଜନ ଏବଂ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟର ୧୪ଟି ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର ପୁଞ୍ଜି ନିବେଶରେ ୪୬ଟି ମଧ୍ୟମ ଓ ବୃହତ୍ ଶିଳ୍ପ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଭୂମିପୂଜନ ଏବଂ ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ୪୨,୫୧୨ଟି ନିଯୁକ୍ତି ସୃଷ୍ଟି ହୋଇଛି।
ଯାଜପୁରର କଳିଙ୍ଗନଗର ଅଞ୍ଚଳ ଆଜି ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଛି। ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ (JSL) ଗ୍ରୁପ୍ର କାର୍ବନ୍ ଷ୍ଟିଲ୍ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ନୂତନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ସେହିପରି ଟାଟା ଷ୍ଟିଲ୍ର ନୂତନ ଡାଉନଷ୍ଟ୍ରିମ୍ ସୁବିଧା, ସ୍ଲରୀ ପାଇପ୍ଲାଇନ୍, ଗ୍ରାଇଣ୍ଡିଂ ଏବଂ ଫିଲ୍ଟରେସନ୍ ୟୁନିଟ୍ ଆଦି ପ୍ରକଳ୍ପ ରାଜ୍ୟରେ ହାଇ-ଭାଲ୍ୟୁ ଷ୍ଟିଲ୍ ଉତ୍ପାଦନକୁ ଆହୁରି ମଜବୂତ କରିବ। ଏହାସହିତ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଅଲୋୟେଜ୍ ଲିମିଟେଡ୍, ଜଟିଆ ଷ୍ଟିଲ୍ ଲିମିଟେଡ୍, ବିକେ ଉତ୍କଳ ଷ୍ଟିଲ୍ ଏବଂ ଶ୍ରୀ ଏମ୍. କେ. ଷ୍ଟିଲ୍ ଭଳି ପ୍ରତିଷ୍ଠିତ କମ୍ପାନୀଗୁଡ଼ିକର ପ୍ରକଳ୍ପଗୁଡ଼ିକ ଏହି କ୍ଷେତ୍ରର ଶିଳ୍ପ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବ ବୋଲି ଜଣାପଡିଛି। ଏହି ଶିଳ୍ପ ଗୁଡିକ ରାଜ୍ୟର ୧୪ଟି ଜିଲ୍ଲାରେ ସ୍ଥାପନ କରାଯାଇଛି। ଏଗୁଡିକ ହେଲା- ଅନୁଗୋଳ, ବରଗଡ, ବାଲେଶ୍ୱର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିଳ୍ପ କେବଳ କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ସୀମିତ ନ ରହି ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସ୍ଥାପିତ ହେବା ଉଚିତ। ଏହି ନୀତିକୁ ଆଧାର କରି କେନ୍ଦୁଝର ଓ ସୁନ୍ଦରଗଡ଼ରେ ଇସ୍ପାତ ଶିଳ୍ପ, ଅନୁଗୋଳ ଓ ଢେଙ୍କାନାଳରେ ଅକ୍ଷୟ ଶକ୍ତି ପ୍ରକଳ୍ପ, ଖୋର୍ଦ୍ଧାରେ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପୁରୀ, କଟକ, ବରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ, ହସ୍ପିଟାଲିଟି ଓ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପଗୁଡ଼ିକୁ ସ୍ଥାନ ଦିଆଯାଇଛି। ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ୧୫୧ ଗୋଟି ପ୍ରକଳ୍ପର ଭୂମିପୂଜନ କିମ୍ବା ଉଦ୍ଘାଟନ କରାଯାଇ ୩ ଲକ୍ଷ ୧୧ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ ହୋଇଥିବାବେଳେ ଏହାଦ୍ୱାରା ୨ ଲକ୍ଷ ୪୦ ହଜାରରୁ ଅଧିକ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ପଥ ଉନ୍ମୁକ୍ତ ହୋଇଛି। ଆଜିର ପ୍ରକଳ୍ପକୁ ମିଶାଇଲେ ରାଜ୍ୟରେ ସମୁଦାୟ ୩ ଲକ୍ଷ ୫୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରକଳ୍ପର ପ୍ରସ୍ତାବ ସମୟଠାରୁ ଗ୍ରାଉଣ୍ଡିଙ୍ଗ୍ ହେବା ପର୍ଯ୍ୟନ୍ତ Project Life Cycleର ପୁରା ସମୟଚକ୍ରରେ ନିବେଶକମାନଙ୍କୁ ଓଡିଶା ସରକାର ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେଉଛନ୍ତି। ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଏବଂ ନୂତନ ଶିଳ୍ପନୀତି ମାଧ୍ୟମରେ ପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରାଯାଇଛି। ଏପର୍ଯ୍ୟନ୍ତ ୧୨.୦୭ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ସହିତ ୫୬୦ଟି ଶିଳ୍ପ ପ୍ରସ୍ତାବ ଅନୁମୋଦିତ ହୋଇସାରିଛି। ଏହା ମାଧ୍ୟମରେ ପ୍ରାୟ ୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।
ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ ଆଗାମୀ ଦିନରେ ଯାଜପୁର ଜିଲ୍ଲାର ଅଭୂତପୂର୍ବ ବିକାଶ ଘଟିବ ଏବଂ ଶିଳ୍ପ ନକ୍ସା ଅଧିକ ସମୃଦ୍ଧ ହେବ। ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଆମେ କେବଳ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବାରେ ଅଟକି ରହୁନାହୁଁ, ବରଂ ନୂତନ ଶିଳ୍ପ ଆବଶ୍ୟକତା ଅନୁଯାୟୀ ଆମର ଯୁବଗୋଷ୍ଠୀଙ୍କୁ ଦକ୍ଷ ଓ ପ୍ରଶିକ୍ଷିତ କରି ଗଢ଼ି ତୋଳୁଛୁ।
ଏହି ସମାରୋହରେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, JSL ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ, IMFA ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଧନ୍ୟବାଦ ଦେଇଥିଲେ
ଓଡ଼ିଶା ହେବ ଦେଶର ଶ୍ରେଷ୍ଠ ମାନୁଫାକ୍ଚରିଂ ହବ୍

