ତିନି ବର୍ଷ ପୂର୍ବେ ଓମାନରୁ ଦୁବାଇ ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ଭାରତୀୟଙ୍କୁ କ୍ଷତିପୂରଣ ହିସାବରେ ୫ ମିଲିୟନ୍ ଦିରହମ୍ (୧୧କୋଟିରୁ ଅଧିକ) ପ୍ରଦାନ କରିଛନ୍ତି ଦୁବାଇ ସରକାର। ରିପୋର୍ଟ ଅନୁଯାୟୀ ମହମ୍ମଦ ବାଗ ମିର୍ଜା ସମ୍ପର୍କୀୟଙ୍କ ସହ ଇଦ୍ ଅଲ–ଫିତର ଛୁଟି କଟାଇବା ପରେ ମସ୍କାଟରୁ ଦୁବାଇକୁ ଫେରୁଥିଲେ। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ବସ୍ରେ ୧୨ ଜଣ ଭାରତୀୟଙ୍କ ସମେତ ମୋଟ ୩୧ ଜଣ ଯାତ୍ରୀ ଥିଲେ। ବସ୍ ଡ୍ରାଇଭର ଅଲ ରଶିଦିଆ ମେଟ୍ରୋ ଷ୍ଟେସନ ପାର୍କିଂ ସ୍ଥଳର ପ୍ରବେଶ ପଏଣ୍ଟରେ ଓଭରହେଡ୍ ଉଚ୍ଚତା ପ୍ରତିବନ୍ଧକକୁ ଧକ୍କା ଦେଇ ବସର ଉପର ବାମ ପାର୍ଶ୍ୱକୁ ସମ୍ପୂର୍ଣ୍ଣ କ୍ଷତି ପହଞ୍ଚାଇଥିଲା। ଏହି ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲେ।
ବାଗ ମିର୍ଜାଙ୍କୁ ଦୁଇ ମାସରୁ ଅଧିକ ସମୟ ଦୁବାଇର ରସିଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ୧୪ ଦିନ ପର୍ଯ୍ୟନ୍ତ ଚେତାଶୂନ୍ୟ ରହିଲେ, ଏହା ପରେ ଡାକ୍ତରମାନେ କହିଥିଲେ ଯେ ଦୁର୍ଘଟଣା ହେତୁ ମସ୍ତିଷ୍କର ଗୁରୁତର କ୍ଷତି ହେତୁ ମିର୍ଜାଙ୍କ ସାଧାରଣ ଜୀବନକୁ ଫେରିବାର ସମ୍ଭାବନା ସ୍ୱଳ୍ପ ଥିଲା।
ସେ ମେକାନିକାଲ୍ ଇଞ୍ଜିନିୟରିଂରେ ତାଙ୍କର ଅନ୍ତିମ ସେମିଷ୍ଟାର ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ମଧ୍ୟ ଦୁର୍ଘଟଣା ହେତୁ ସେ ଅଧ୍ୟୟନ ଶେଷ କରିପାରିନଥିଲେ । ୟୁଏଇ ସୁପ୍ରିମକୋର୍ଟ ବୀମା କମ୍ପାନୀକୁ ଏକ ଡାକ୍ତରୀ ରିପୋର୍ଟ ପଢ଼ିବା ପରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ମିର୍ଜାଙ୍କର ମସ୍ତିଷ୍କର ୫୦ ପ୍ରତିଶତ ସ୍ଥାୟୀ କ୍ଷତି ହୋଇଛି।
ବରିଷ୍ଠ ପରାମର୍ଶଦାତା ଆସା ଅନିସ୍ କହିଛନ୍ତି ଯେ ମହମ୍ମଦ ବାଗ ମିର୍ଜା କେବଳ ଶରୀରର ଅଙ୍ଗଗୁଡ଼ିକର କାର୍ଯ୍ୟ ହରାଇ ନାହାଁନ୍ତି ବରଂ ସୁଖମୟ ଜୀବନ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସୁଯୋଗ ମଧ୍ୟ ହରାଇଛନ୍ତି। ସେ ଜଣେ ଅତ୍ୟନ୍ତ ବୁଦ୍ଧିମାନ ଛାତ୍ର ଏବଂ ଭର୍ସିଟି ଫୁଟବଲ୍ ଏବଂ ଭଲିବଲ୍ ଦଳର ସଦସ୍ୟ ମଧ୍ୟ ଥିଲେ।

