ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ମନିଟାରୀ ପଲିସି କମିଟି ବୈଠକ ପରେ ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ୨୦୨୨ ମେ ମାସରେ ଏମପିସିର ଜରୁରୀ ବୈଠକରେ ରେପୋରେଟ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିଲା । କ୍ରମାଗତ ଭାବେ ଚାରି ମାସରେ ୬ ଥର ରେପୋ ରେଟ ବଢ଼ାଇଥିଲା ରିଜର୍ଭ ବ୍ୟାଙ୍କ । ଖୁଚୁରା ମୁଦ୍ରାସ୍ଫୀତି ଓ ଆର୍ଥିକ ବୃଦ୍ଧିକୁ ଧ୍ୟାନରେ ରଖି ରୋପୋରେଟ ପରିବର୍ତ୍ତନ ଉପରେ ନିଷ୍ପତ୍ତି ନିଆଯାଇଥାଏ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକରେ ଜିଡିପି ବୃଦ୍ଧି ହାର ୮ ପ୍ରତିଶତ, ଦ୍ବିତୀୟ ତୈମାସିକରେ ୬.୫ ପ୍ରତିଶତ, ତୃତୀୟ ତୈମାସିକରେ ୬ ପ୍ରତିଶତ ଓ ଚତୁର୍ଥ ତୈମାସିକରେ ୫.୭ ପ୍ରତିଶତ ରହିପାରେ ବୋଲି ଆରବିଆଇ ଅନୁମାନ କରିଛି । ୨୦୨୩-୨୪ ଆର୍ଥକ ବର୍ଷରେ ଖୁଚୁରା ମୁଦାସ୍ଫୀତି ୫.୨ ପ୍ରତିଶତରୁ କମାଇ ୫.୧ ପ୍ରତିଶତ ରହିବା ଅନୁମାନ କରିଛି । ମୁଦ୍ରାସ୍ଫୀତି କାବୁ କରିବାକୁ ଆରବିଆଇ ରେପୋରେଟ ବୃଦ୍ଧି କରିଥିବା ବେଳେ ଏଥିରେ ସଫଳତା ମିଳିଛି ବୋଲି ବିଶେଷଜ୍ଞ କହିଛନ୍ତି ।

