ସ୍କୁଲରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳ

ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (CBSE) ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ଆହୁରି ସୁଦୃଢ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ବୋର୍ଡ ତାର ଅନୁବନ୍ଧିତ ସ୍କୁଲଗୁଡ଼ିକ ପାଇଁ ନୂତନ ନିରାପତ୍ତା ନିର୍ଦ୍ଦେଶିକା ଜାରି କରିଛି। ଯେଉଁଥିରେ ସମସ୍ତ ସ୍କୁଲରେ ଉଚ୍ଚ ରିଜୋଲୁସନ ଓ ଅଡ଼ିଓ-ଭିଜୁଆଲ ରେକର୍ଡିଂ ସହିତ CCTV କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଏହି ନିର୍ଦ୍ଦେଶିକା ଅନୁଯାୟୀ, ସ୍କୁଲର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର, ଲବି, କରିଡର, ସିଡ଼ି, ଶ୍ରେଣୀଗୃହ, ଲାଇବ୍ରେରୀ, କ୍ୟାଣ୍ଟିନ, ଷ୍ଟୋର ରୁମ ଏବଂ ଖେଳ ପଡ଼ିଆ ଆଦି ସାଧାରଣ ଅଞ୍ଚଳରେ CCTV କ୍ୟାମେରା ଲଗାଇବାକୁ ଆଡଭାଇଜରି ଜାରି କରାଯାଇଛି। ତେବେ ଟଏଲେଟ ଓ ଓ୍ୱାସରୁମକୁ ଏଥିରୁ ବାଦ ଦିଆଯାଇଛି।

 ସ୍କୁଲଗୁଡ଼ିକୁ ଅତି କମରେ ୧୫ ଦିନର ଫୁଟେଜ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଦ୍ୱାରା କୌଣସି ଘଟଣା ଘଟିଲେ ତୁରନ୍ତ ତଦନ୍ତ କରାଯାଇପାରିବ। ସ୍କୁଲଗୁଡ଼ିକୁ ଅଭିଭାବକ-ଶିକ୍ଷକ-ଛାତ୍ର କମିଟି ଗଠନ କରିବାକୁ କୁହାଯାଇଛି, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସମ୍ବନ୍ଧୀୟ ଆଲୋଚନା ଓ ଅଭିଭାବକଙ୍କ ମତାମତ ନିୟମିତ ଭାବରେ ଗ୍ରହଣ କରାଯିବ। ଏହା ସହିତ, ବାହାରୁ ଆସୁଥିବା ଲୋକଙ୍କ ପ୍ରବେଶ ନିୟନ୍ତ୍ରଣ ଏବଂ ସମସ୍ତ କର୍ମଚାରୀଙ୍କ ପୁଲିସ ଯାଞ୍ଚ ଓ ସାଇକୋମେଟ୍ରିକ ମୂଲ୍ୟାଙ୍କନ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।
ଯଦି କୌଣସି ସ୍କୁଲ ଏହି ନିର୍ଦ୍ଦେଶିକା ପାଳନ ନକରେ, ତେବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଏପରି କ୍ଷେତ୍ରରେ ଅନୁବନ୍ଧନ ମଧ୍ୟ ରଦ୍ଦ ହୋଇପାରେ ବୋଲି ବୋର୍ଡ ଘୋଷଣା କରିଛି।

CBSEର ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଏକ ନିରାପଦ ଓ ସୁରକ୍ଷିତ ଶିକ୍ଷା ପରିବେଶ ପ୍ରଦାନ କରିବା। ଏହା ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ନିରାପତ୍ତାକୁ ସୁନିଶ୍ଚିତ କରିବ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଧିକ ଦାୟିତ୍ୱଶୀଳ କରିବ।ଏହି ନୂତନ ନିୟମକୁ ଅଭିଭାବକ ଓ ଶିକ୍ଷାବିତମାନେ ସ୍ୱାଗତ କରିଛନ୍ତି, କିନ୍ତୁ କେତେକ ସ୍କୁଲ ପାଇଁ ଏହାର ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ଏକ ଚ୍ୟାଲେଞ୍ଜ ହେବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।

Post Views2 Total Count

Apply Now


This will close in 0 seconds

error: Content is protected !!