ଏକଦା ଲାଲବାହିନୀରେ ସାମିଲ ହୋଇ ବନ୍ଧୁକ ଧରୁଥିଲେ । ସ୍ୱାଭାବିକ ଜୀବନ ବଞ୍ଚିବା ଯେମିତି ଭୁଲି ଯାଇଥିଲେ । ଏବେ ଆଉ ତାହା ନାହିଁ । ଜୀବନକୁ ମନଭରି ଉପଭୋଗ କରିବାକୁ ନୂଆ ସୁଯୋଗ ଜୁଟିଛି । ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିଥିବା ବସ୍ତରର ଏହି ମହିଳା ମାଓବାଦୀଙ୍କୁ ଏବେ ରାମ୍ପଓ୍ବାକ୍ କରୁଥିବା ଦେଖିବାକୁ ମିଳିଛି । ପେସାଦାର ମଡେଲଙ୍କ ଠାଣିରେ ସେମାନେ କ୍ୟାଟ୍ୱାକ୍ କରି ଦର୍ଶକଙ୍କ ମନ ଜିଣିଛନ୍ତି ।
ଅବସର ଥିଲା ଜାତୀୟ ହସ୍ତତନ୍ତ ଦିବସ । ଛତିଶଗଡ଼ ରାଜଧାନୀ ରାୟପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବସ୍ତରର ପୂର୍ବ ମହିଳା ମାଓବାଦୀମାନେ କ୍ୟାଟ୍ୱାକ୍ କରିଥିଲେ । ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କେବେ ଘଞ୍ଚ ଜଙ୍ଗଲରେ ବନ୍ଧୁକ ଧରି ବୁଲୁଥିବା ଏହି ମହିଳାମାନେ ଯେତେବେଳେ ରାମ୍ପ୍କୁ ଓହ୍ଲାଇଲେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଅଡିଟୋରିୟମ୍ କରତାଳିରେ କମ୍ପି ଉଠିଲା । ଏହି ‘ଦେଶୀ’ ଫ୍ୟାସନ ସୋ’ରେ ପ୍ରାୟ ୯ ଜଣ ପୂର୍ବ ମହିଳା ମାଓବାଦୀ ଛତିଶଗଡ଼ର ପାରମ୍ପରିକ କୋସା ସିଲ୍କ ଏବଂ ହାତବୁଣା ସୁନ୍ଦର ବସ୍ତ୍ର ପରିଧାନ କରି ମଞ୍ଚରେ ଚାଲି ଜଲୱା ଦେଖାଇଥିଲେ । ଏହି ମୁହୂର୍ତ୍ତ କେବଳ ଏକ ଫ୍ୟାସନ ସୋ’ରେ ସୀମିତ ନଥିଲା, ବରଂ ବନ୍ଧୁକ ଛାଡ଼ି ସମ୍ମାନ ଓ ଆତ୍ମନିର୍ଭରଶୀଳତାର ଏକ ନୂଆ ଜୀବନ ଆରମ୍ଭ କରିଥିବା ଏହି ମହିଳାଙ୍କ ମନୋବଳ ବଢ଼ାଇବାର ଏକ ଚମତ୍କାର କାହାଣୀ ଥିଲା । ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ସେମାନଙ୍କ ସହ କଥା ହୋଇଥିଲେ । ସେମାନଙ୍କୁ ଉତ୍ସାହିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ ।
କ୍ୟାଟ୍ୱାକ୍ କଲେ ମାଓବାଦୀ

