ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (ଓକେସିଏଲ୍) ଏବଂ ରୋଟାରୀ ଇଣ୍ଟରନ୍ୟାସନାଲ୍ ଡିଷ୍ଟ୍ରିକ୍ଟ ୩୨୬୨ର ମିଳିତ ଉଦ୍ୟମରେ ପ୍ରସ୍ତୁତ ‘ରୋଟାରୀ କନେକ୍ଟ ୩୬୦’ (Rotary Connect 360) ୱେବ୍ ଆପ୍ଲିକେସନ୍ ଆଜି ଭୁବନେଶ୍ୱରସ୍ଥିତ ଓକେସିଏଲ୍ ମୁଖ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ବିଭିନ୍ନ ରୋଟାରୀ କ୍ଲବ୍ ମଧ୍ୟରେ ଡିଜିଟାଲ୍ ଯୋଗାଯୋଗ, ସମନ୍ୱୟ ଏବଂ ପ୍ରଯୁକ୍ତିଭିତ୍ତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ।
ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ଅନିଲ କୁମାର ସାମଲ ଏବଂ ଓକେସିଏଲ୍ର ପରିଚାଳନା ନିର୍ଦ୍ଦେଶକ ଡ. ମନୋରଞ୍ଜନ ପୁଥାଳ ମିଳିତ ଭାବେ ଏହି ଆପ୍ଲିକେସନ୍କୁ ଉନ୍ମୋଚନ କରିଥିଲେ। ଏହି ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ରୋଟାରୀ କ୍ଲବ୍ଗୁଡ଼ିକ ପରସ୍ପର ସହ ସହଜରେ ଯୋଡ଼ି ହୋଇ ନିଜର କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ସୁବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିପାରିବେ।
କାର୍ଯ୍ୟକ୍ରମର ଆରମ୍ଭରେ ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର (ପିଡିଜି) ଶିବବ୍ରତ ଦାଶ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଓକେସିଏଲ୍ର ଏମ୍ଡି ଡ. ମନୋରଞ୍ଜନ ପୁଥାଳ କହିଥିଲେ ଯେ, ସଂଗଠନଗୁଡ଼ିକର କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ଡିଜିଟାଲ୍ ରୂପାନ୍ତରଣ ଏବଂ ପ୍ରଯୁକ୍ତିବିଦ୍ୟାର ସଠିକ୍ ପ୍ରୟୋଗ ଏକାନ୍ତ ଆବଶ୍ୟକ।
ସେହିପରି ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ଅନିଲ କୁମାର ସାମଲ ଏହି ମିଳିତ ପଦକ୍ଷେପକୁ ପ୍ରଶଂସା କରିବା ସହ ରୋଟାରୀ ନେଟୱାର୍କକୁ ଡିଜିଟାଲ୍ ମାଧ୍ୟମରେ ସକ୍ରିୟ କରିବାରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ।
ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର (ପିଡିଜି) ଜୟଶ୍ରୀ ମହାନ୍ତି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ଉପଯୋଗୀତା ବିଷୟରେ କହିଥିଲେ ଯେ, କେବଳ ସଂଗଠନ ମଧ୍ୟରେ ସୀମିତ ନରହି ରୋଟାରୀ ନେତୃବୃନ୍ଦ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)ର ଲାଭ ଗ୍ରାମାଞ୍ଚଳ ତଥା ତୃଣମୂଳ ସ୍ତରର ଲୋକଙ୍କ ପାଖରେ ପହଞ୍ଚାଇବା ଦରକାର। ଏହାଦ୍ୱାରା ସାଧାରଣ ଲୋକେ ମଧ୍ୟ ନୂଆ ପ୍ରଯୁକ୍ତି ଆପଣାଇ ସଶକ୍ତ ହୋଇପାରିବେ।
ଉଦ୍ଘାଟନ ପରେ ଉପସ୍ଥିତ ରୋଟାରୀ ପ୍ରତିନିଧିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଓରିଏଣ୍ଟେସନ୍ ଓ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ‘ରୋଟାରୀ କନେକ୍ଟ ୩୬୦’ର ବ୍ୟବହାର ଓ ବିଭିନ୍ନ ବୈଶିଷ୍ଟ୍ୟ ସମ୍ପର୍କରେ ବୁଝାଯାଇଥିଲା।
ଏହାସହ ରୋଟାରୀ ନେତୃବୃନ୍ଦଙ୍କ ପାଇଁ ‘ଏଆଇ କାପାସିଟି ବିଲ୍ଡିଂ’ (AI Capacity-Building) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ଏଥିରେ ଜେନେରେଟିଭ୍ ଏଆଇ, ଦୈନନ୍ଦିନ କାମକୁ ସହଜ କରୁଥିବା ଏଆଇ ଟୁଲ୍ସ, ସ୍ମାର୍ଟ ଅଟୋମେସନ୍ ଏବଂ ସଂଗଠନ ପରିଚାଳନାରେ ଏଆଇର ବ୍ୟବହାରିକ ପ୍ରୟୋଗ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ପାଷ୍ଟ ପ୍ରେସିଡେଣ୍ଟ ରୋଟାରିଆନ୍ ରସାନନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ଡିଜିଟାଲ୍ ସଚେତନତା ଓ ପ୍ରଯୁକ୍ତିଭିତ୍ତିକ ଶିକ୍ଷାର ପ୍ରସାର ପାଇଁ ଓକେସିଏଲ୍ ସର୍ବଦା ପ୍ରତିଶ୍ରୁତିବଦ୍ଧ। ରୋଟାରୀ ସହ ଏହି ସହଭାଗିତା ମାଧ୍ୟମରେ ନୂତନ ଜ୍ଞାନକୌଶଳର ଫାଇଦା ସମାଜର ପ୍ରତ୍ୟେକ ବର୍ଗଙ୍କ ପାଖରେ ପହଞ୍ଚିପାରିବ ବୋଲି ଆଶା କରାଯାଉଛି।

