ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ପତ୍ନୀ ବିଦ୍ୟାଭାରତୀଙ୍କୁ ସୁପ୍ରିମ୍ ଝଟକା । ସୁପ୍ରିମକୋର୍ଟରୁ ବି ମିଳିଲାନି ଆଶ୍ଵସ୍ତି । ବିଦ୍ୟାଭାରତୀଙ୍କ ସ୍ପେଶାଲ ଲିଭ୍ ପିଟିସନ୍ ଖାରଜ ହୋଇଛି । ଅନ୍ତରୀଣ ସୁରକ୍ଷା ହଟାଇଥିବା ହାଇକୋର୍ଟଙ୍କ ଆଦେଶକୁ ସର୍ବୋଚ୍ଚ ଅଦାଲତ ବଳବତ୍ତର ରଖିଛନ୍ତି । ସେପଟେ ତତ୍କାଳୀନ ରୋଷେୟା ତଥା ଅନ୍ୟତମ ଅଭିଯୁକ୍ତ ମନ୍ମଥ କୁମ୍ଭ ଗିରଫ ହୋଇଛନ୍ତି । ଏନବିଡବ୍ଲୁ ଆଧାରରେ ମନ୍ମଥଙ୍କୁ ପାରଳାଖେମୁଣ୍ଡି ପୁଲିସ ଗିରଫ କରିଛି ।
ସୂଚନାନୁଯାୟୀ, ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ସୁପ୍ରିମକୋର୍ଟ ବିଦ୍ୟା ଭାରତୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଗତ ୯ ତାରିଖରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ତେଣୁ ଅକ୍ଟୋବର ୧ ସୁଦ୍ଧା, ବିଦ୍ୟାଭରତୀଙ୍କୁ ଟ୍ରାଏଲ୍ କୋର୍ଟରେ ହାଜର ହେବାକୁ ପଡିବ । ଟ୍ରାଏଲ୍ କୋର୍ଟରେ ବ୍ୟକ୍ତିଗତ ହାଜିରାରୁ ଛାଡ଼ ପାଇଁ ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହା ଉପରେ ଶୁଣାଣି କରି ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ହାଜର ହେବାକୁ ଗତ ୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
ଉଲ୍ଲେଖଯୋଗ୍ୟ, ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁକୁ ନେଇ ପାରଳାଖେମୁଣ୍ଡି ଥାନାରେ ପତ୍ନୀ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫଓ ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପୋଲିସ କେବଳ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏହାପରେ ଅଭିଯୋଗକାରୀ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ । ପ୍ରୋଟେଷ୍ଟ ପିଟିସନ୍ ରେ ମାଜିଷ୍ଟ୍ରେଟ୍ ବିଦ୍ୟାଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ୨୦୨୫ ଜୁଲାଇ ୩ ତାରିଖରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ । ପୁନର୍ବାର ବିଦ୍ୟାଭାରତୀଙ୍କ ପକ୍ଷରୁ ଦର୍ଶାଯାଇଥିଲାଯେ, ସେ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ନୁଆଗାଁରେ ଚୁକ୍ତିଭିତ୍ତିକ ସରକାରୀ ଚାକିରି କରୁଛନ୍ତି । ପାରଳାଖେମୁଣ୍ଡି ତାଙ୍କ କର୍ମସ୍ଥଳୀଠାରୁ ୫୨୪ କିମିରୁ ଅଧିକ ଦୂର ହୋଇଥିବାରୁ ବାରମ୍ବାର କୋର୍ଟରେ ହାଜର ହେବା କଷ୍ଟକର ବୋଲି ଯୁକ୍ତି ଦିଆଯାଇଥିଲା । ତେବେ ବିଦ୍ୟାଭାରତୀ ଜାଣିଶୁଣି କୋର୍ଟ ପ୍ରକ୍ରିୟାକୁ ଏଡ଼ାଇ ଚାଲିଥିବା ଯୁକ୍ତି ଦର୍ଶାଇଥିଲେ ପ୍ରତିପକ୍ଷ । ବିଦ୍ୟା ଭାରତୀଙ୍କ ଅନୁପସ୍ଥିତି ଯୋଗୁଁ ଟ୍ରାଏଲ୍ ଆରମ୍ଭ ହୋଇ ପାରିନାହିଁ ବୋଲି ପ୍ରତିପକ୍ଷଙ୍କ ତରଫରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ଯାହାକୁ ଗ୍ରହଣ କରି ହାଇକୋର୍ଟ କହିଛନ୍ତି କି, ମାମଲାର ପ୍ରକୃତି ଏବଂ ଅଭିଯୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଦ୍ୟାଭାରତୀଙ୍କ ବ୍ୟକ୍ତିଗତ ହାଜର ହେବା ଏବେ ଏଡ଼ାଇ ହେବ ନାହିଁ ।

