‘ଓଡ଼ିଶାରେ କ୍ରୀଡ଼ା, କ୍ରୀଡ଼ାବିତ୍‌ଙ୍କ ଭବିଷ୍ୟତ ଉଜ୍ଜ୍ୱଳ’

ଏମ୍‌ଜିଏମ୍‌ ସ୍କୁଲ ଅଫ୍‌ ସ୍ପୋଟର୍‌ସ ଆଣ୍ଡ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି ଫର୍‌ କ୍ରିକେଟ ଆଠଗଡ ଗୁରୁଡିଝାଟିଆର କପୁରସିଂହଠାରେ ଉଦ୍‌ଘାଟିତ ହୋଇଯାଇଛି।

ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଯୋଗଦେଇ ପୂର୍ବଭାରତର ଏହି ସର୍ବବୃହତ୍‌ ଘରୋଇ ଆବାସିକ ଏକାଡେମି କୁହାଯାଉଥିବା କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଏକାଡେମିକୁ ଉଦ୍‌ଘାଟନ କରିବା ଅବସରରେ ରାଇନା ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶକୁ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ ଓଡ଼ିଶାରେ ହକି ସମେତ ଅନ୍ୟ କ୍ରୀଡ଼ାର ବିକାଶ ହେଉଛି। ଏମ୍‌ଜିଏମ୍‌ ଏକାଡେମି ସ୍ଥାନୀୟ ଖେଳାଳିମାନଙ୍କୁ ଉତ୍ସାହିତ କରିବ। ଏଭଳି ବ୍ୟବସ୍ଥା ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିପାରିବ ବୋଲି ସେ କହିଥିଲେ।

ଏମ୍‌ଜିଏମ୍‌ ସ୍କୁଲ ଅଫ୍‌ ସ୍ପୋଟର୍‌ସର ଅଧ୍ୟକ୍ଷ ତଥା ଓଡିଶା କ୍ରିକେଟ ଆସୋସିଏଶନ ଉପସଭାପତି ପଙ୍ଗଜ ଲୋଚନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ଉକ୍ତ ଏକାଡେମୀ ଆଠଗଡ଼ ମାଟିର ଗର୍ବ ଓ ଗୌରବକୁ ଦ୍ୱିଗୁଣିତ କରିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଓଡ଼ିଶା ସ୍ପୋଟର୍‌ସ ହବ୍‌ ଭାବେ ପରିଗଣିତ ହେଲାଣି।

ଏମ୍‌ଜିଏମ୍‌ ଏକାଡେମି ଭଳି ଏକାଧିକ ଘରୋଇ ଏକାଡେମି ଖୋଲିଲେ ରାଜ୍ୟରେ ଅନେକ ପ୍ରତିଭା ଆଗକୁ ଆସିପାରିବେ ବୋଲି ସେ କହିଥିଲେ। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଉତ୍କର୍ଷର ଶୀର୍ଷରେ ପହଞ୍ଚତ୍ଛି ବୋଲି କହିଥିଲେ। ଉତ୍ସବର ଅନ୍ୟତମ ଆକର୍ଷଣ ଥିଲେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ଆଇପିଏଲ ଗଭର୍ନିଂ କାଉନ୍ସିଲ ସଦସ୍ୟ ପ୍ରଜ୍ଞାନ ଓଝା। ସେ କହିଥିଲେ ଯେ, ଓଡ଼ିଶାରୁ ଖେଳାଳିମାନେ କାହିଁକି ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ପାଇପାରୁନାହାନ୍ତି ତାହାକୁ ନେଇ ସବୁବେଳେ ତାଙ୍କୁ ପ୍ରଶ୍ନ କରାଯାଏ। ଯାହାର ଉତ୍ତର ସେ ଦେଇପାରନ୍ତି ନାହିଁ।

ହେଲେ ଗତ କିଛି ବର୍ଷ ଭିତରେ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଯେଉଁଭଳି ଭାବେ ହେଉଛି ତଦ୍ଦ୍ବାରା ଖୁବ୍‌ଶୀଘ୍ର ଏକାଧିକ ପ୍ରତିଭା ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ପାଇବେ। ଏଣୁ ଉପରୋକ୍ତ ଅସମାହିତ ପ୍ରଶ୍ନର ଉତ୍ତର ମିଳିସାରିଲାଣି ବୋଲି ପ୍ରଜ୍ଞାନ ନିଜ ବକ୍ତବ୍ୟରେ କହିଥିଲେ ା ବିଧାୟକ ରାଜେନ୍ଦ୍ର ପ୍ରସାଦ ସାହୁ, ଓଡ଼ିଶା କ୍ରିକେଟ ଆସୋସିଏଶନ ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ରାଜ୍ୟର ଅନେକ ବରିଷ୍ଠ କ୍ରୀଡ଼ାବିତ୍‌, କ୍ରୀଡ଼ା ସଙ୍ଗଠକ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଆୟୋଜନ କରାଯାଇଥିଲା। ଓଡ଼ିଶା ୪ ଉଇକେଟରେ ବିଜୟ ହାସଲ କରିଥିଲା ାା

ସୂଚନା ଥାଉକି ଏହି କେନ୍ଦ୍ରଟିକୁ ୩୦ ଏକର ଜମିରେ ନିର୍ମାଣ କରାଯାଉଛି। କ୍ରିକେଟ ଗ୍ରାଉଣ୍ଡ ନିର୍ମାଣ ଶେଷ ହୋଇଥିବା ବେଳେ ଆସନ୍ତା ୬ ମାସ ମଧ୍ୟରେ ଏଠାରେ ଇନ୍‌ଡୋର ବ୍ୟବସ୍ଥା ଓ ଖେଳାଳିଙ୍କ ରହଣି ବ୍ୟବସ୍ଥା କରାଯିବ। ଏହି ପ୍ରକଳ୍ପର ବଜେଟ ୪୦କୋଟି ଟଙ୍କା ରହିଛି। ଏଠାରେ ଏକା ସାଙ୍ଗରେ ୧୦୦ ପିଲା କ୍ରିକେଟ ସମେତ ଅନ୍ୟ କ୍ରୀଡାର ପ୍ରଶିକ୍ଷଣ ନେଇପାରିବେ ବୋଲି ସୂଚନା ମିଳିଛି ା

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!