ମଙ୍ଗଳରେ ଜଳର ସନ୍ଧାନ ପାଇଁ ନାନା ଗବେଷଣା ଜାରି ରହିଛି । ତେବେ ଦୁଇ ବର୍ଷ ତଳେ ଆମେରିକାର ‘ନାସା’ ପକ୍ଷରୁ ମଙ୍ଗଳ ପୃଷ୍ଠକୁ ପ୍ରେରିତ ମହାକାଶଯାନ ‘ପର୍ସିଭରାନ୍ସ’ ନିକଟରେ ପଠାଇଥିବା ଫଟୋରୁ ଏ ଦିଗରେ ଏକ ସକାରାତ୍ମକ ଆଶା ସଂଚାର ହୋଇଛି। ମଙ୍ଗଳ ପୃଷ୍ଠରେ ଏକଦା ଗଭୀର ନଦୀ ଭୀଷଣ ସ୍ରୋତରେ ପ୍ରବାହିତ ହେଉଥିଲା ବୋଲି ‘ପର୍ସିଭରାନ୍ସ’ ପ୍ରମାଣ ଛାଡ଼ିଛି।ତରାଂ ଅତୀତରେ ସେଠାରେ ଜୀବଜଗତ ସୃଷ୍ଟି ହୋଇଥିବା କଥା ମଧ୍ୟ ବିଚାରକୁ ନିଆଯାଉଛି। ଉଲ୍ଲେଖ ଥାଉ କି, ମଙ୍ଗଳ ପୃଷ୍ଠରେ ‘ପର୍ସିଭରାନ୍ସ’ ଅବତରଣ କଲା ପରଠାରୁ ସେଠାରେ ଧୂଳିରେ ପୋତି ହୋଇ ରହିଥିବା ଏକ ୮୨୦ ଫୁଟ ଉଚ୍ଚର ପ୍ରସ୍ତରମାଳା ଉପରେ ପରୀକ୍ଷା ନିରୀକ୍ଷା ଚଳାଇଥିଲା। ତେବେ ଉକ୍ତ ପ୍ରସ୍ତର ଦେହରେ ଅଙ୍କା ବଙ୍କା ହୋଇ ପଡ଼ିଥିବା ଦାଗ ଓ ତାହାର ଗଭୀରତାରୁ ସେଠାରେ ଭୀଷଣ ସ୍ରୋତର ନଦୀ ପ୍ରବାହିତ ହେଉଥିବା ଅନୁମାନ କରାଯାଇଛି। ସୁତରାଂ ସେଠାରେ କୌଣସି ଜୀବସତ୍ତାର ଉପସ୍ଥିତିର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନପାରେ। ମଙ୍ଗଳ ପୃଷ୍ଠରୁ ତାହା କୌଣସି କାରଣରୁ ଉଭେଇ ଯାଇଥିଲେ ହେଁ ଭୂଇଁ ତଳେ ଛପି ରହିଥିବା ମଧ୍ୟ ସମ୍ଭବ।

