ଆସନ୍ତା ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ମାତ୍ରା ୩ ଘଣ୍ଟା ମିଳିବ ମହାପ୍ରଭୁଙ୍କ ଦର୍ଶନ । ସକାଳ ୮ଟା ରୁ ୯ଟା ଯାଏ ଘଣ୍ଟାଏ ହେବ ପାରିମାଣିକ ଦର୍ଶନ । ୯ ଟାରୁ ୧୧ଟା ଯାଏ ୨ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ରହିଛି । ପାରିମାଣିକ ଦର୍ଶନ ପାଇଁ ଦକ୍ଷିଣ ଦ୍ବାର ଦେଇ ଯିବେ ଭକ୍ତ । ସେହପରି ସର୍ବସାଧାରଣ ଦର୍ଶନ ପାଇଁ ସିଂହଦ୍ବାର ଦେଇ ଯିବେ ଭକ୍ତ । ୧୧ଟା ପରଠାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । କେବଳ ଭକ୍ତମାନେ ବେଢ଼ା ପରିକ୍ରମା ସହ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିପାରିବେ । ପାରିମାଣିକ ଦର୍ଶନରେ ୭ ହଜାର ଟିକେଟର ବ୍ୟବସ୍ଥା କରାଯାଇଛି । ପ୍ରତି ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଛି । ରାତି ୯ଟା ସୁଦ୍ଧା ସେନାପଟା ଲାଗି କାର୍ଯ୍ୟକ୍ରମ କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଓ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ସୂଚନା ଦେଇଛନ୍ତି ।
ନବଯୌବନ ବେଶ ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି । କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ । ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ ।
ନୀତି
ସ୍ନାନଯାତ୍ରା ହେତୁ ରଥଯାତ୍ରାର ଚାରିଦିନ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁନଶ୍ଚ ରଞ୍ଜିବାର ଆବଶ୍ୟକତା ପଡ଼ିଥାଏ, ଏହାକୁ ଅଙ୍ଗରାଗ କୁହାଯାଏ । ଏହାପରେ ନବଯୌବନର ଦିନର ପ୍ରାତଃକାଳରେ ନେତ୍ରୋତ୍ସବ ପାଳନ କରାଯାଏ । ଠାକୁରମାନଙ୍କୁ ଅର୍ଦ୍ଧ–ସମାନ୍ତର ସ୍ଥିତିରେ ରଖାଯାଇ ସେମାନଙ୍କୁ ଉପଯୁକ୍ତ ଭାବେ ଚିତ୍ରିତ କରାଯାଏ । ଏହି ସେବା ସରିବାପରେ ନେତ୍ରୋନ୍ମୀଲନ ନୀତି ପାଳିତ ହୁଏ । ଏଥିରେ ପ୍ରତ୍ୟେକ ଠାକୁରଙ୍କ ଉଭୟ ଚକ୍ଷୁରେ ତୁଳସୀ ପତ୍ର ସାହାଯ୍ୟରେ ଔଷଧୀ ପ୍ରୟୋଗ କରାଯାଇଥାଏ । ଏତଦପରେ କଜ୍ୱଳ ଲାଗି କରାଯାଏ । ନେତ୍ରୋନ୍ମୀଲନ ପରେ ଶ୍ରୀଜୀଉମାନଙ୍କର କ୍ଷୁଧା ଫେରିଥାଏ ଏବଂ ସ୍ନାନଯାତ୍ରା ପରେ ସେମାନେ ପ୍ରଥମଥର ପାଇଁ ରାଜଭୋଗ ଗ୍ରହଣ କରିଥାନ୍ତି । ଏହାପରେ ଜନସାଧାରଣ ନବଯୌବନ ବେଶ ସହ ନିଜ ଆରାଧ୍ୟଙ୍କ ପ୍ରଥମ ଦର୍ଶନ ଲାଭ କରିଥାନ୍ତି ଏପରି ମନୋରମ ବେଶ ଦର୍ଶନ ଅଭିପ୍ରାୟେ ନେତ୍ରମାନଙ୍କର ସମାଗମ ତଥା ଉତ୍ସବ କାରଣରୁ ଏହି ନୀତିକୁ ନେତ୍ରୋତ୍ସବ କୁହାଯାଇଥାଏ ।

