ବିଜେପିର ନୂଆ ଟିମ୍: ଉତ୍ସାହ କମ୍ ଅସନ୍ତୋଷ ବେଶି

୨୦୨୪ ପାଇଁ ନୂଆ ଟିମ ଘୋଷଣା କରିଛି ରାଜ୍ୟ ବିଜେପି ।‌ ପାଖାପାଖି ୪ ମାସର କସରତ ପରେ ନୂଆ ଟିମ୍ ଘୋଷଣା କରିଛନ୍ତି ନୂଆ ସଭାପତି ମନମୋହନ ସାମଲ । ଜାରି ହୋଇଥିବା ୩୫ ଜଣିଆ କାର୍ଯ୍ୟକର୍ତ୍ତା ତାଲିକାକୁ ନେଇ ଅନେକ ଚର୍ଚ୍ଚା ଆଉ ଆଲୋଚନା ହେଉଛି । ଅସନ୍ତୁଷ୍ଟ ଗୋଷ୍ଠୀ ମଧ୍ୟରେ ବିବାଦ ଆଉ ପଦବୀ ଲଡୁ ପାଇଥିବା ନେତାଙ୍କ ମଧ୍ୟରେ ଉତ୍ସବ ଆୟୋଜନ ହୋଇଗଲାଣି ।‌ ହେଲେ ରାଜନୈତିକ ମହଲର ଚର୍ଚ୍ଚା ଦଳର ଅନ୍ତଃକନ୍ଦଳକୁ ପଦାରେ ପକାଇଛି ।

ତାଲିକାରେ ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ରହିଛନ୍ତି। ଉପସଭାପତି ତାଲିକାରେ ଅଛନ୍ତି ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ସୁକେଶି ଓରାମ, ବିରଞ୍ଚିନାରାୟଣ ତ୍ରିପାଠୀ ଓ ଲେଖାଶ୍ରୀ ସାମନ୍ତସିଂହାର । ମାତ୍ର ଏଥିରେ ଲେଖାଶ୍ରୀ ସନ୍ତୁଷ୍ଟ ନଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ମହିଳା ମୋର୍ଚ୍ଚା ସଭାପତି ପାଇଁ ଲେଖାଶ୍ରୀ ଆଶାୟୀ ଥିଲେ। ତେବେ ପଦ ନମିଳିବାରୁ ତାଙ୍କ ଭିତରେ ଅସନ୍ତୋଷ ପୁଞ୍ଜି ବାନ୍ଧୁଛି। ମହିଳା ମୋର୍ଚ୍ଚା ସଭାପତି ଭାବେ ଡକ୍ଟର ଐଶ୍ଚର୍ଯ୍ୟା ବିଶ୍ବାଳଙ୍କୁ ନିଯୁକ୍ତି ମିଳିଛି ।

 

ସେପଟେ ଦଳର ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କୁ ଦଳ ଅଭିଳାଷ ପଣ୍ଡାଙ୍କୁ ନିଯୁକ୍ତି ଦେଇଛି । ଈରାଶିଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟତର ଭାବେ ଜଣାଶୁଣା । ତାଙ୍କୁ ପଦରୁ ହଟାଇବା ନିଷ୍ପତ୍ତିକୁ ଦଳର ବରିଷ୍ଠ ନେତା ଗ୍ରହଣ କରୁନାହାନ୍ତି ।‌ ସେପଟେ ପୃଥ୍ୱୀରାଜ ହରିଚନ୍ଦନ, ପ୍ରଦୀପ ପୁରୋହିତ ଓ ଭୃଗୁ ବକ୍ସିପାତ୍ରଙ୍କ ଭଳି ନେତାଙ୍କୁ ଟିମରେ ସ୍ଥାନ ନମିଳିବା ଉଭୟ କର୍ମୀ ଓ ନେତାଙ୍କୁ ଚକିତ କରିଛି।

ବିଜେପିର ସାଧାରଣ ସମ୍ପାଦକ ତାଲିକାରେ ଅଛନ୍ତି ସାରଦା ପ୍ରସାଦ ଶତପଥୀ, ଯତୀନ ମହାନ୍ତି, ଶ୍ରୀମତି ପୂର୍ଣ୍ଣିମା କେର୍କେଟା, ସୀମାଞ୍ଚଳ ଖଟେଇ ଓ ମାନସ କୁମାର ମହାନ୍ତି । ସେହିପରି ସମ୍ପାଦକ ତାଲିକାରେ ରମେଶ ଚନ୍ଦ୍ର ସାହୁ,ଟଙ୍କଧର ତ୍ରିପାଠୀ, ନବୀନ ରାମ, ଶ୍ରୀମତି ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର, ଶ୍ରୀମତି କସ୍ତୁରୀ ମିଶ୍ର, ଶ୍ରୀମତି ପୂର୍ଣ୍ଣିମା ନାୟକ ଓ ଇରାଶିଷ ଆଚାର୍ଯ୍ୟ ସ୍ଥାନ ପାଇଛନ୍ତି। କିଷାନ ମୋର୍ଚ୍ଚା ସଭାପତି ଭାବେ ମହେଶ୍ୱର ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ଏସଟି ମୋର୍ଚ୍ଚା ସଭାପତି ଭାବେ ନିତ୍ୟାନନ୍ଦ ଗଣ୍ଡ, ଏସ୍‌ସି ମୋର୍ଚ୍ଚା ସଭାପତି ଭାବେ ବିଭୁପ୍ରସାଦ ତରାଇ ଓ ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ମିଳିଛି ନୂଆ ଦାୟିତ୍ୱ।

୨୦୨୪ ନିର୍ଵାଚନକୁ ମାସ କେଇଟା ବାକିଅଛି।‌ ଦେଶରେ ଦରଦାମ ବୃଦ୍ଧିଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବିଜେପି ବ୍ୟାକଫୁଟରେ ରହିଛି। ଏଭଳି ସ୍ଥଳେ ଓଡ଼ିଶା ବିଜେପିର ନୂଆ ଟିମକୁ ଦେଇ ଦଳୀୟ ଅସନ୍ତୋଷ ମଧ୍ୟ ଦେଖାଯାଉଛି। ଦଳୀୟ କନ୍ଦଳର ମୁକାବିଲା କରି ମନମୋହନ କିଭଳି ୨୪ ନିର୍ବାଚନ ବୈତରଣୀ ପାର ହେବେ ତାହା ଉପରେ ନଜର ରହିଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!