ଦେଶରେ ଜାରି ରହିଛି ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ମହାନ, ସମ୍ଭ୍ରାନ୍ତଶାଳୀ ଭୋଟ ପର୍ବ। ତେବେ ଚଳିତ ବର୍ଷ ଅନୁଷ୍ଠିତ ଭାରତରେ ୧୮ ତମ ଲୋକସଭା ନିର୍ବାଚନ ଅନେକ ବିଭାଗରେ ରେକର୍ଡ କରିବାକୁ ଯାଉଥିବା ବେଳେ ଖର୍ଚ୍ଚରେ ଏକ ନୂଆ ରେକର୍ଡ କରିବାକୁ ଯାଉଛି। ସାରା ବିଶ୍ଵରେ ସବୁଠୁ ବଡ଼ ଗଣ ତାନ୍ତ୍ରିକ ଦେଶ ଭାରତରେ ସାଧାରଣ ନିର୍ବାଚନୀ ଖର୍ଚ୍ଚ ୧.୩୫ ଲକ୍ଷ କୋଟି ଟଙ୍କା ଟପିବ ବୋଲି ସେଣ୍ଟର ଫର୍ ମିଡିଆ ଷ୍ଟଡିଜ୍ (ସିଏମ୍ଏସ୍) ଏନ୍ଜିଓ ଏକ ରିପୋର୍ଟରେ ଦାବି କରିଛି। ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଚଳିତ ଥର ତାହା ଦୁଇଗୁଣରୁ ଅଧିକ ହେବ । ୩୫ ବର୍ଷ ଧରି ସିଏମ୍ଏସ୍ ନିର୍ବାଚନୀ ଖର୍ଚ୍ଚ ଉପରେ ନଜର ରଖୁଛି।
ସିଏମ୍ଏସ୍ ଅଧ୍ୟକ୍ଷ ଏନ୍ ଭାସ୍କର ରାଓ ଏକ ସାକ୍ଷାତକାରରେ କହିଛନ୍ତି, ଏହି ଖର୍ଚ୍ଚରେ ରାଜନୈତିକ ଦଳ, ସଙ୍ଗଠନ, ପ୍ରାର୍ଥୀ, ସରକାର ଏବଂ ନିର୍ବାଚନ କମିଶନଙ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଖର୍ଚ୍ଚ ଅନ୍ତର୍ଭୁକ୍ତ। ପୂର୍ବରୁ ଏହି ଆକଳନ ୧.୨୦ ଲକ୍ଷ କୋଟି ଟଙ୍କା ରହିଥିଲା। ହେଲେ ଇଲେକ୍ଟୋରାଲ ବଣ୍ଡ୍ ତଥ୍ୟ ସାମ୍ନାକୁ ଆସିବା ପରେ ସେହି ଅର୍ଥ ସମେତ ନିର୍ବାଚନ ବାବଦ ଅନ୍ୟ ଖର୍ଚ୍ଚକୁ ଅନ୍ତର୍ଭୂକ୍ତ କରି ଏହାକୁ ପୁନଃ ଆକଳନ କରାଯାଇଥିଲା। ରାଓ ଆହୁରି କହିଛନ୍ତି, ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନଙ୍କ ବଜେଟ ମୋଟ ଖର୍ଚ୍ଚର ୧୦ରୁ ୧୫ ପ୍ରତିଶତ ହେବ । ତେବେ ମୋଟ ଖର୍ଚ୍ଚର ୩୦ ପ୍ରତିଶତ ବିଭିନ୍ନ ପ୍ଲାଟଫର୍ମରେ ମିଡିଆ କ୍ୟାମ୍ପେନ୍ରେ ଖର୍ଚ୍ଚ ହେବାର ଆକଳନ କରାଯାଇଛି। ରାଜନୈତିକ ଦଳର ରାଲି, ପରିବହନ, ବୈଷୟିକ ବିଦ୍ୟା ପ୍ରୟୋଗ, ଆଧୁନିକ ଶୈଳୀରେ ପ୍ରଚାର ଇତ୍ୟାଦି ଅନେକ ଦିଗରେ ଏହି ଖର୍ଚ୍ଚ ୧.୩୫ ଲକ୍ଷ କୋଟି ଟପିବ।

