ଆପଣ ୧୦ ଟଙ୍କିଆ ଓ ୨୦ ଟଙ୍କିଆ କଏନ୍ ନିଶ୍ଚିତ ଦେଖିଥିବେ। ପ୍ରତିଦିନ କିଣାକିଣିରେ ଏହାକୁ ବ୍ୟବହାର ମଧ୍ୟ କରୁଥିବେ। କିନ୍ତୁ ଏବେ ଦେଶରେ ଜାରି ହୋଇଛି ୨୫୦ ଟଙ୍କିଆ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା। ଏହି ନିଆରା କଏନ୍ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ମହାନ କର୍ଣ୍ଣାଟକ ସଙ୍ଗୀତଜ୍ଞ ମୁଥୁସ୍ୱାମୀ ଦୀକ୍ଷିତାରଙ୍କ ୨୫୦ତମ ଜୟନ୍ତୀ ଅବସରରେ ଏହି ସ୍ୱତନ୍ତ୍ର ମୁଦ୍ରା ଜାରି କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବାରାଣସୀରେ ଆଇଆଇଟି-ବିଏଚ୍ୟୁ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରାକୁ ଉନ୍ମୋଚନ କରିଛନ୍ତି। ତେବେ ଏହି ମୁଦ୍ରା କ’ଣ ସାଧାରଣ କିଣାକିଣିରେ ବ୍ୟବହାର କରିହେବ? ଏହାର ଓଜନ କେତେ ଏବଂ ଦାମ୍ କେତେ? ଆସନ୍ତୁ ଜାଣିବା।
ଏହି ସ୍ମାରକୀ ମୁଦ୍ରାକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହାକୁ ସାଧାରଣ ଟଙ୍କା ଭଳି ବ୍ୟବହାର କରିହେବ କି? ତେବେ ଏହି କଏନ୍ ସାଧାରଣ ଦୈନନ୍ଦିନ ଲେଣଦେଣ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହାକୁ ଏକ ସ୍ମାରକୀ ଓ ସଂଗ୍ରହଯୋଗ୍ୟ ମୁଦ୍ରା ଭାବେ ଜାରି କରାଯାଇଛି। ଯେଉଁମାନେ ଏଭଳି ନିଆରା କଏନ୍ ସଂଗ୍ରହ କରିବାକୁ ପସନ୍ଦ କରନ୍ତି, ସେମାନେ India Government Mint ର ଅଧିକାରିକ ୱେବସାଇଟ୍ରୁ ଏହାକୁ କିଣିପାରିବେ।

