ବିଗୁଡୁଛି ସନ୍ତୁଳନ। ଉତ୍ତପ୍ତ ପିଣ୍ଡରେ ପରିଣତ ହେଲାଣି ସମୁଦ୍ର। କେଉଁଠି ଛାତିଥରା ବଜ୍ରପାତ ସହ କେଇ ଘଣ୍ଟାରେ ବାଦଲ ଫଟା ବର୍ଷା, ଭୂସ୍ଖଳନ ଯୋଗୁ ନଷ୍ଟ ହେଉଛି ଧନଜୀବନ। ବର୍ଷା ଛାଡ଼ିଲେ ଅସହ୍ୟ ତାତି ସହ ଗୁଳଗୁଳିରେ ଅସ୍ତବ୍ୟସ୍ତ ଜୀବନ। ବେଳ ଥାଉ ଉଦ୍ୟମ ନକଲେ ଦୁର୍ବିସହ ହେବ ଜୀବନ । ଧନ, କୋଠାବାଡି କିଛି ବି କାମରେ ଆସିବନି । ଆଗକୁ ଘନ ଘନ ବାତ୍ୟା ଓ ଅଦିନିଆ ଘୂର୍ଣ୍ଣିବଳୟ ଦେଖିବାକୁ ମିଳିବ। ଏଭଳି ସତର୍କ କରାଇଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ।… ଏଲ୍ନିନୋ ପ୍ରଭାବରେ କେଉଁଠି ଅନାବୃଷ୍ଟି ତ ଆଉ କେଉଁ ଅତିବୃଷ୍ଟି ଯୋଗୁ ଫସଲ ହାନି ହେଉଛି। ଚଳିତବର୍ଷ ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି ବାୟୁମଣ୍ଡଳରେ ଅଙ୍ଗାରକାମ୍ଲ ନିର୍ଗମନ। ଗତସପ୍ତାହ ସୁଦ୍ଧା ୪୨୦ ପିପିଏମ୍ରେ ପହଞ୍ଚିଛି । ସବୁଜଗୃହ ବାଷ୍ପ ବୃଦ୍ଧି ପାଇଁ ମୁଖ୍ୟତଃ ୩ଟି ଗ୍ୟାସ୍ ଦାୟୀ ଅଙ୍ଗାରକାମ୍ଲ, ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ ମିଥେନ୍ ।
ଗୋଟିଏ ପରମାଣୁ ବୋମା ଫୁଟିଲେ ସେକେଣ୍ଡ୍ ପିଛା ୪୦୦ ଜିଟା ଜୁଲ୍ ଉତ୍ତାପ ବାୟୁମଣ୍ଡଳକୁ ଆସେ। ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରର ଦୁଇ କିଲୋମିଟର ପର୍ଯ୍ୟନ୍ତ ଗଭୀର ଜଳରାଶି ଏବେ ଅତିମାତ୍ରାରେ ଉତ୍ତପ୍ତ ହେଲାଣି। ୪ରୁ ୫ଟି ପରମାଣୁ ବୋମା ଫୁଟିଲେ ସେକେଣ୍ଡ୍ ପିଛା ଯେତିକି ଉତ୍ତାପ ବାହାରିବ ସେତିକି ଉତ୍ତପ୍ତ ହେଲାଣି ଜଳାରାଶି । ବର୍ଷକୁ ମହାସମୁଦ୍ର ୧୨୬୧ କୋଟି ୪୪ ଲକ୍ଷ ଜିଟା ଜୁଲ୍ ଉତ୍ତାପ ଧାରଣ କରୁଛି। ତିବ୍ର ଗତିରେ ଗ୍ଲାସିୟର୍ ତରଳିବା ସହିତ ନଦୀ ଉତ୍ସ ଶୁଷ୍କ ହେବାକୁ ଯାଉଛି । ୧୯୯୦ ମସିହାରୁ ଏ ନେଇ ବୈଜ୍ଞାନିକ ସତର୍କ କରିଥିଲେ । କିନ୍ତୁ କୌଣସି ଦେଶ ଏହାକୁ ଗୁରୁତ୍ବ ଦେଲେ ନାହିଁ। ଫଳରେ ନବେ ଦଶକରୁ କାର୍ବନ ପରିମାଣ ବଢିଚାଲିଛି । ଏହାକୁ ରୋକିବାକୁ ହେଲେ ତୁରନ୍ତ ସବୁଜଗୃହ ବାଷ୍ପ ନିର୍ଗମନକୁ କମାଇବାକୁ ପଡ଼ିବ।
ପ୍ରକୃତିର ଏପରି ଅସ୍ବାଭିବକତା ପାଇଁ ମଣିଷ ଦାୟୀ । ସବୁଜଗୃହ ବାଷ୍ପ କମାଇବାକୁ ହେଲେ ଅକ୍ଷୟଶକ୍ତି ବ୍ୟବହାର, ଜୈବ ଇନ୍ଧନ ଚାଳିତ ଗାଡ଼ି ବଦଳରେ ବୈଦୁତିକ ଗାଡ଼ି ବା ଇଭିକୁ ଅତିଶୀଘ୍ର ଆପଣାଇବାକୁ ପଡ଼ିବ। ଇଭି ଗାଡ଼ିର ଦାମ ଅଧିକ ଥିବାରୁ ସାଧାରଣ ଲୋକେ କିଣିପାରୁନାହାନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଇଭି ଗାଡ଼ି ଉପରେ ଅଧିକ ସବସିଡି ଦେବା ଦରକାର । ଓଡ଼ିଶାର ପ୍ରତି ଗ୍ରାମ ପଞ୍ଚାୟତକୁ ଆଗାମୀ ୫ ବର୍ଷ ଭିତରେ କାର୍ବନ ନିଉଟ୍ରାଲ୍ କରିବାକୁ ପଡ଼ିବ। ଏଥିପାଇଁ ବ୍ୟାପକ ଥ୍ରୀ- ପି- ପ୍ଲାଣ୍ଟେସନ୍, ପଲିଥିନ୍ ବର୍ଜନ ଓ ପରିବେଶ ପ୍ରତି ସମ୍ମିଳିତ ଉଦ୍ୟମ ଦରକାର। ନହେଲେ ସ୍ଥିତି ଅସମ୍ଭାଳ ହେବ ବୋଲି ପରିବେଶବିତ୍ ସତର୍କ କରାଇଛନ୍ତି ।



