ପ୍ରତି ପଞ୍ଚାୟତରେ ପହଞ୍ଚିବ ପାଣିପାଗ ଖବର। ଲୋକଙ୍କୁ ସଠିକ୍ ଏବଂ ଆଗୁଆ ସତର୍କ କରାଇବାକୁ ଏଭଳି ପଦକ୍ଷେପ ନେଇଛି ଭାରତୀୟ ପାଣିପାଗ ବିଭାଗ। ଏଥିପାଇଁ ବିଭାଗର ଦେଢଶହ ବର୍ଷ ପୂର୍ତ୍ତି ଉତ୍ସବରେ ଥିମ୍ ସଙ୍ଗ୍ ସହ ଡିସିସନ୍ ସପୋର୍ଟ ସିଷ୍ଟମ୍, ପଞ୍ଚାୟତ ମୌସମ ସେବା ମୋବାଇଲ ଆପ୍ ଏବଂ ନ୍ୟାସନାଲ ଫ୍ରେମ୍ଓ୍ବାର୍କ ଅଫ କ୍ଳାଇମେଟ୍ ସର୍ଭିସର ଲୋକାର୍ପଣ କରିଛନ୍ତି ଉପରାଷ୍ଟ୍ରପତି। ଏହି ସେବା ସାଧାରଣ ଲୋକଙ୍କ ପାଖରେ ଅତି ସରଳ ଭାବରେ ପହଞ୍ଚାଇବା ପାଇଁ ଉନ୍ନତମାନର ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ବର୍ତ୍ତମାନ ପାଣିପାଗ ଖବରର ୮୦ପ୍ରତିଶତ ଆକଳନ ସଠିକ ହେଉଥିବା ବେଳେ ବଜ୍ରପାତର ଶତ ପ୍ରତିଶତ ଆକଳନ ବଡ ଚ୍ୟାଲେଞ୍ଜ ହୋଇଛି।
ଆକାଶରୁ ଅତର୍କିତ ଖସୁଥିବା ବଜ୍ରପାତ ଖବର ଉପରେ ନଜର ରଖିବେ ଚାଷୀ। ଗାଁ ଗାଁ ଓ ଘରେ ଘରେ ପହଞ୍ଚିବ ପାଣିପାଗ ଖବର। ମୋବାଇଲରେ ଆଲର୍ଟ ଦେଖି କ୍ଷେତକୁ ବାହାରିବ ଚାଷୀ। ପଞ୍ଚାୟତ ମୌସମ ସେବା ବା ପିଏମଏସ ଆପକୁ ଲୋକାର୍ପିତ କରିଛନ୍ତି ଉପରାଷ୍ଟ୍ରପତି। ଭାରତୀୟ ପାଣିପାଗ ବିଭାଗର ୧୫୦ବର୍ଷ ପୂର୍ତ୍ତି ଅବସରରେ ଏହାର ଲୋକାର୍ପଣ କରାଯାଇଛି। ୧୨ଟି ଭାଷାରେ ଏହି ସେବା ପାଇପାରିବେ ସାଧାରଣ ଲୋକେ। ଦେଢଶହ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପାଣିପାଗ ଖବର ଦେଉଛି ବିଭାଗ। ସମୟ ଗଡିବା ସହ ଉନ୍ନତମାନର ଟେକ୍ନୋଲୋଜି ବ୍ୟବହାର ହେଉଛି। ଜିରୋ ଫଟାଲିଟି ମୋଡରେ ଆଗଉଛି ଆଇଏମଡି। ଖରା, ବର୍ଷା, ଶୀତ ସହ ବନ୍ୟା ଏବଂ ବାତ୍ୟାର ସଠିକ୍ ଆକଳନକୁ ଏକ ଚ୍ୟାଲେଞ୍ଜ ଭାବେ ନେଇ ବିଭାଗ କାମ କରୁଛି। ପୂର୍ବରୁ ଖବର ପହଞ୍ଚିବା ବିଳମ୍ବ ହେଉଥିବା ବେଳେ ଏବେ କିଭଳି ଘରେ ଘରେ ପାଣିପାଗ ଖବର ଅପଡେଟ୍ ରହିବ ସେନେଇ ଉଦ୍ୟମ ଜାରି ରହିଥିବା ଆଇଏମଡି ଡିଜି କହିଛନ୍ତି ।
୨୦୧୪ ମସିହାରୁ ବ୍ୟବହାର ହେଉଥିବା ଟେକ୍ନୋଲୋଜିରେ କୋଲ୍ଡଓ୍ବେଭ୍ ଏବଂ ହିଟଓ୍ବେଭ ଆକଳନ ୮୮ ପ୍ରତିଶତ ସତ ହେଉଛି। ସେହିଭଳି ବଜ୍ରପାତରେ ୮୬ପ୍ରତିଶତ ଆକଳନ ସତ ହେଉଥିବା ବେଳେ ନାଓକାଷ୍ଟରେ ୮୦ ପ୍ରତିଶତ ସଫଳତା ମିଳୁଛି। ବାତ୍ୟା ଲ୍ୟାଣ୍ଡଫଲରେ ୧୦୦ ପ୍ରତିଶତ ଆକଳନ ସତ ହେଉଛି। ବଜ୍ରପାତରେ ଦିନକୁ ଦିନ ଅଧିକ ଜୀବନ ଯାଉଥିବାରୁ ଏହାର ଶତପ୍ରତିଶତ ସଠିକ ଆକଳନ ଏବେ ବଡ ଚ୍ୟାଲେଞ୍ଜ ହୋଇଛି। ସେହିଭଳି ପାଣିପାଗ ବିଭାଗ ଖବରକୁ ନେଇ ବିମାନ ଚଳାଚଳ କରିଥାଏ। ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ପାଣିପାଗ କେନ୍ଦ୍ର ଗୋଟିଏ ବିଭାଗ ଭଳି କାର୍ଯ୍ୟ କରନ୍ତି । ଆକାଶରେ ମେଘ ଓ ବାଦଲ ଗୁଡିକର ଉପସ୍ଥିତିରୁ ଆରମ୍ଭ କରି ପବନର ଦିଗ, ଏସବୁ ସମ୍ବନ୍ଧରେ ପାଣିପାଗ ବିଭାଗ ଠାରୁ ଖବର ମିଳୁଥିବା ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି।


