ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ପ୍ରେସମିଟ୍ରେ ଭାରତୀୟ ନିର୍ବାଚନ କମିଶନ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ମେ ୨୦ରେ ୨ୟ ପର୍ଯ୍ୟାୟ, ମେ ୨୫ରେ ୩ୟ ଓ ଜୁନ ୧ ତାରିଖରେ ୪ର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଓଡ଼ିଶାରେ ଜୁନ ୪ ତାରିଖରେ ହେବ ଭୋଟ ଗଣତି । ଏଥି ସହିତ ଜୁନ ୪ରେ ଉଭୟ ଲୋକସଭା ସହ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।
ଆଜି ଓଡ଼ିଶାର ନିର୍ବାଚନ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଏଥର ନିର୍ବାଚନରେ ଓଡିଶାରେ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଏଥର ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟର ଅଧିକ ଯୋଡି ହୋଇଛନ୍ତି। ଓଡ଼ିଶାରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୦୩୧ ଅଛି। ସେହିପରି ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ରହିଛି ୩ ହଜାର ୩୮୦।
ସୂଚନା ଯୋଗ୍ୟ ଯେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ୫୪୩ ଟି ସିଟ୍ ପାଇଁ ସାତୋଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ ୧ ରେ ଏବଂ ଶେଷ ପର୍ଯ୍ୟାୟ ଭୋଟ୍ ଜୁନ୍ ୧ ରେ ଅନୁଷ୍ଠିତ ହେବ । ଫଳାଫଳ ଜୁନ୍ ୪ ରେ ଆସିବ । ଭୋଟ୍ ଠାରୁ ଫଳାଫଳ ପର୍ଯ୍ୟନ୍ତ ୪୬ ଦିନ ଲାଗିବ । ନିର୍ବାଚନ ଆୟୋଗ କହିଛନ୍ତି, ଦେଶରେ ମୋଟ ୯୭ କୋଟିରୁ ଅଧିକ ଭୋଟର ଅଛନ୍ତି । ୧୦.୫ ଲକ୍ଷ ପୋଲିଂ ଷ୍ଟେସନ ଏବଂ ୧.୫ କୋଟି ଅଫିସିଆଲ୍ ଏହାକୁ ନିୟନ୍ତ୍ରଣ କରିଥାନ୍ତି । ଏହାସହ ସେ ସୂଚନା ଦେଇ କହିଛନ୍ତି ଯେ ୪୮.୭ କୋଟି ପୁରୁଷ, ୪୭.୧ କୋଟି ମହିଳା, ୪୮ ହଜାର ଟ୍ରାନ୍ସ ଜେଣ୍ଡର, ୧୯.୭୪ କୋଟି ଯୁବ ବର୍ଗ ଏବଂ ୮୨ ଲକ୍ଷ ବରିଷ୍ଠ ନାଗରିକ ଅଛନ୍ତି ଯେଉଁମାନଙ୍କ ବୟସ ୮୫ ବର୍ଷ ଉପରେ । ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ ନିର୍ବାଚନରେ ମୋଟ ୫୫ ଲକ୍ଷ ଇଭିଏମ ବ୍ୟବହାର କରାଯିବ । ଏଥିପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍ କରାଯିବ ।

