ଜନତା ଖୋଲିଦେଇଛନ୍ତି ସରକାର ଗଢ଼ିବାର ବାଟ । ଗୋଟିଏ ପଟେ ଓଡ଼ିଶାରେ ବିଜେପି ପାଇଁ ସରକାର ଗଢ଼ିବାକୁ ବହୁମତ ମିଳିଥିବା ବେଳେ ଅନ୍ୟପଟେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି । ୨୦୧୯ ଭଳି ସ୍ପଷ୍ଟ ବହୁମତ ପାଇବାରେ ସକ୍ଷମ ହୋଇପାରି ନାହିଁ ଏନଡିଏ । ଏଭଳି ସ୍ଥିତି ଭିତରେ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ବୈଠକ କରିବାକୁ ଯାଉଥିବା ଚର୍ଚ୍ଚା ଯୋର ଧରିଛି ।
ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ମିଟିଂ କରିବାକୁ ଯାଉଛନ୍ତି । ଏହାପରେ ଏନଡିଏର ବୈଠକ ମଧ୍ୟ ଡକାଯାଇଛି । ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଆନ୍ଧ୍ରପ୍ରଦେଶର ବିଜୟୀ ଦଳ ଟିଡିପି ଏବଂ ବିଜେପିର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜେଡିୟୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଇଣ୍ଡିଆ ମେଣ୍ଟ ଯୋଗାଯୋଗ କରୁଥିବା କୁହାଯାଉଛି । ଶରଦ ପାୱାର ଏଥିପାଇଁ ପ୍ରୟାସ କରୁଥିବା କୁହାଯାଉଛି । ସେହିପରି ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଯୋଗାଯୋଗ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରୟାସ କରୁଥିବା କୁହାଯାଉଛି । କିନ୍ତୁ ଅମିତ ଶାହ ଉଭୟ ସହଯୋଗୀଙ୍କ ସହ କଥା ହୋଇସାରିଛନ୍ତି । ଏବଂ ନୀତିଶ ଓ ନାଇଡୁ ଏନଡିଏରେ ରହିବେ ଏବଂ ଆଜିର ବୈଠକରେ ଯୋଗଦେବେ ବୋଲି ଜଣାପଡ଼ିଛି ।

