ତିର୍ତ୍ତୋଲ ରାଜନୀତିରେ ରାଜ୍ କରିବେ ରମାକାନ୍ତ !

ରାଜ୍ୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ବତନ୍ତ୍ରତା ରହିଛି। କାରଣ ଏହି ନିର୍ବାଚନମଣ୍ଡଳୀରୁ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି ଓ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ ପ୍ରମୁଖ ପ୍ରତିନିଧିତ୍ୱ କରୁଥିଲେ। ସେମାନେ ରାଜ୍ୟ ରାଜନୀତିରେ ସକ୍ରିୟ ଭୂମିକା ନେଇଥିଲେ। ଏଥର ବି ତିର୍ତ୍ତୋଲ ରାଜନୀତି ରାଜ୍ଯରେ ନୂଆ ଇତିହାସ ସୃଷ୍ଟି କରିବା ଆଶା କରାଯାଉଛି । କାରଣ ଏଥର ନୂଆ ମୁହଁଙ୍କୁ ବିଧାୟକ ଭାବେ ବାଛିପାରନ୍ତି ତିର୍ତ୍ତୋଲବାସୀ । ବିଜୁ ଜନତା ଜଳର ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଉଥିବାବେଳେ ବିଜେଡି ପ୍ରତି ବି ଲୋକଙ୍କ ଅହେତୁକ ଭଲପାଇବା ରହିଛି । ଉଭୟ ନିଜର ସଂଗଠନ ଓ ବିଜେଡିର ପ୍ରତିଷ୍ଠା ରମାକାନ୍ତଙ୍କୁ ବଡ଼ ବିଜୟ ଭେଟିଦେଇପାରେ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ।

ନୂଆ ମୁହଁ ଭାବେ ରମାକାନ୍ତ ଭୋଇଙ୍କୁ ବିଜେଡି ସୁଯୋଗ ଦେଇଛି । ଟିକେଟ ପାଇବା ପରେ ଜୋରଦାର ପ୍ରଚାର କରୁଛନ୍ତି ରମାକାନ୍ତ । ସବୁଠି ତାଙ୍କ ପ୍ରତି ବିପୁଳ ଜନସମର୍ଥନ ତାଙ୍କ ବିଜୟ ପଥକୁ ସୁଗମ କରୁଛି । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଆଭିମୁଖ୍ଯ ଓ ଜନକଲ୍ଯାଣକାରୀ ଯୋଜନାକୁ ଆଧାର କରି ଲୋକଙ୍କ ନିକଟତର ହେଉଛନ୍ତି ରମାକାନ୍ତ । ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ସମସ୍ତଙ୍କୁ ନିବେଦନ କରୁଛନ୍ତି । ରମାକାନ୍ତ ଭୋଇ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେପି ଟିକେଟରେ ତିର୍ତ୍ତୋଲ ଆସନରୁ ଲଢ଼ିଥିଲେ। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରମାକାନ୍ତ ଭୋଇ ୨୦୧୪ ମସିହାରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜେପିରୁ ପ୍ରାର୍ଥୀ ହୋଇ ୧୪ ହଜାର ୫୧୬ ଖଣ୍ଡ ଭୋଟ ପାଇଥିଲେ । ସେ ସମୟରେ ୮୮ ହଜାର ୫୫୩ ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ବିଜୟୀ ହୋଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଭାବେ ରାଜକିଶୋର ବେହେରା ୫୩ ହଜାର ୫୦୫ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

୨୦୧୯ ସାଧାରଣ ନିର୍ବାଚନରେ ରମାକାନ୍ତ ଭୋଇ ବିଜେପିରୁ ପ୍ରାର୍ଥୀ ହୋଇ ୫୩ ହଜାର ୫୮୧ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ ସମୟରେ ଏହି ଆସନରୁ ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ଦାସ ୯୩ ହଜାର ୯୬୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୨୨ରେ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହୋଇଥିଲା । ଏହି ଉପନିର୍ବାଚନରେ ପୂର୍ବରୁ କଂଗ୍ରେସରେ ଥିବା ରାଜକିଶୋର ବେହେରା ବିଜେପିରେ ଯୋଗ ଦେବା ପରେ ବିଜେପି ଛାଡି ରମାକାନ୍ତ ଭୋଇ ବିଜେଡିରେ ଯୋଗ ଦେଇଥିଲେ । ସେ ସମୟରେ ବିଜେଡି ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ କରିଥିଲା । ବିଜୟ ଶଙ୍କର ବିଜୟୀ ହୋଇଥିଲେ । କିନ୍ତୁ ଏଥର ବିଜେଡି ପ୍ରାର୍ଥୀ ବଦଳାଇବା ସହ ରମାକାନ୍ତଙ୍କୁ ଭରସା କରିଛି । ରମାକାନ୍ତଙ୍କ ପ୍ରତି ବି ଲୋକଙ୍କ ସମର୍ଥନ ରହିଛି । ଏଣୁ ସେ ବିଜୟୀ ହେବା ସମ୍ଭାବନା ଅଧିକ ରହିଛି ।

୧୯୫୧ରୁ ଦେଖିଲେ ଜଣାଯାଏ ଖୁଣ୍ଟିଆ ପୃଥକ୍‌ ଭାବେ କଂଗ୍ରେସ ଓ ପିଏସ୍‌ପି (ପ୍ରଜା ସୋସିଆଲିଷ୍ଟ ପାର୍ଟି)ରୁ ୩ଥର ବିଧାୟକ ହେବାର ଗୌରବ ହାସଲ କରିଥିଲେ। ସେହିପରି ମହାନ୍ତି ପୃଥକ୍‌ ଭାବେ କଂଗ୍ରେସ, ୟୁଟିସି (ଉତ୍କଳ କଂଗ୍ରେସ) ଓ ଜନତା ପାର୍ଟିରୁ ୪ଥର ଏବଂ ବିଶ୍ୱାଳ କଂଗ୍ରେସରୁ ୩ ଥର ବିଧାୟକ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ସେମାନଙ୍କ ପରେ ଅର୍ଥାତ୍‌ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ସପକ୍ଷରେ ସର୍ବାଧିକ ୪ ଥର ଓ କଂଗ୍ରେସକୁ କେବଳ ୨୦୦୪ ନିର୍ବାଚନରେ ସଫଳତା ମିଳିଥିଲା। ଏହି ଆସନରେ ବିଜେଡିର ପତିଆରା ଥିଲେ ସୁଦ୍ଧା ଦଳ ଜଣେ ନେତାଙ୍କ ଉପରେ ଭରସା କରିପାରିନାହିଁ। ଫଳରେ ପ୍ରତିଥର ପ୍ରାର୍ଥୀ ବଦଳାଇ ଚାଲିଛି। ୨୦୦୦ରେ ଦେବାଶିଷ ସାମନ୍ତରାୟ, ୨୦୦୯ରେ ରବୀନ୍ଦ୍ରନାଥ ଭୋଇ, ୨୦୧୪ ରାଜଶ୍ରୀ ମଲ୍ଲିକ, ୨୦୧୯ରେ ବିଷ୍ଣୁ ଚରଣ ଦାସ ଓ ୨୦୨୦ରେ ବିଜୟଶଙ୍କର ଦାସ ବିଜେଡି ପ୍ରାର୍ଥୀଭାବେ ବିଜୟୀ ହୋଇଥିଲେ। ୨୦୨୪ରେ ମଧ୍ୟ ବିଜେଡି ନୂଆ ମୁହଁ ଅର୍ଥାତ୍‌ ରମାକାନ୍ତ ଭୋଇଙ୍କୁ ପ୍ରାର୍ଥୀ କରିଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!