ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ । ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି । ‘ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି’ ନାଁରେ ସଂକଳ୍ପ ପତ୍ର ଉନ୍ମୋଚନ ହୋଇଛି । ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ । ଚିଟ୍ଫଣ୍ଡ ଟଙ୍କା ଫେରସ୍ତଠୁ ଧରି କୃଷି ଓ କୃଷକଙ୍କ କଲ୍ୟାଣ, ଭତ୍ତ ବୃଦ୍ଧି, ରତ୍ନ ଭଣ୍ଡାର ଖୋଲିବା, ମହିଳା ଓ ଶିଶୁଙ୍କ ବିକାଶ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉନ୍ନତି ଆଦି 21 ପ୍ରତିଶ୍ରୁତି ଦେଇଛି ବିଜେପି।
- ବିଜେଡି ସରକାରଙ୍କ ବ୍ୟାପକ ଦୁର୍ନୀତି ଏବଂ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ବ୍ୟବସ୍ଥାକୁ ସମାପ୍ତ ହେବ । ଚିଟ୍ଫଣ୍ଡ ପଇସା ୧୮ ମାସ ମଧ୍ୟରେ ଆମେ ଫେରାଇବୁ। ଖଣିଜରୁ ମିଳୁଥିବା ଲାଭ ଓଡ଼ିଶାର ବିକାଶ ପାଇଁ ଲଗାଇବୁ।
- ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା । ଚାଷୀଙ୍କୁ ଧାନ କ୍ରୟର ୪୮ ଘଣ୍ଟା ମଧ୍ୟରେ ପଇସା ମିଳିଯିବ। କଟନୀ ଛଟନୀ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ।
- ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା- ପ୍ରତି ମହିଳାଙ୍କୁ ୫୦ ହଜାର ମିଳିବ। କ୍ୟାସ୍ ଭାଉଚର ମିଳିବ, ୨ ବର୍ଷ ମଧ୍ୟରେ ଏନ୍କ୍ୟାସ କରିବେ।
- ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ପାଇଁ ଦେଶର ସବୁ ମେଟ୍ରୋ ସହରରେ ନିର୍ମାଣ ହେବ ଓଡ଼ିଆ ସମୁଦାୟ ଭବନ ।
- ଆଗାମୀ ୩ ବର୍ଷ ମଧ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ।
- ପ୍ରତ୍ୟେକ ମତ୍ସଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ।
- ସାରା ରାଜ୍ୟରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ। ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ।
- ଓଡ଼ିଶାର ଅର୍ଥନୀତିକୁ ଶ୍ରେଷ୍ଠ କାର୍ଯ୍ୟକ୍ଷମ ଅର୍ଥନୀତିରେ ପରିଣତ କରିବା ସହ ୨୦୨୯ ମଧ୍ୟରେ ୩.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ରାଜ୍ୟର ୪ଟି ଆଇଟି ପାର୍କ- ଭୁବନେଶ୍ୱର, ରାଉରକେଲା, ବାଲେଶ୍ବର, ବ୍ରହ୍ମପୁରରେ ହେବ।
- ଓଡ଼ିଆରେ ଆଇନ୍, ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମର ପ୍ରଚଳନ।
- ଖାଲି ଥିବା ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ। ଏହି ପଦବୀ ପୂରଣରେ OBC ଓ EWS ବର୍ଗକୁ ଅଗ୍ରାଧିକାର ଦେବୁ।
- କେନ୍ଦୁପତ୍ର ତୋଳାଳୀ କଲ୍ୟାଣ ଯୋଜନା ଆରମ୍ଭ । ଏହା ମାଧ୍ୟମରେ କେନ୍ଦୁପତ୍ର କ୍ୟାରୀ ପିଛା ୨ଟଙ୍କାରେକ୍ରୟ ଏବଂ କେନ୍ଦୁପତ୍ର ତୋଳାଳୀଙ୍କୁ ୩୫ ପ୍ରତିଶତ ଓ କେନ୍ଦୁପତ୍ର ବନ୍ଧାଳୀଙ୍କୁ ୧୦ ପ୍ରତିଶତ ବୋନସ ପ୍ରଦାନ।
- ପିଏମ୍ଏୱାଇ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ।
- ବିଜେପି ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ। ହଜିଥିବା ଚାବିର ତଦନ୍ତ ହେବ, ରତ୍ନଭଣ୍ଡାର ଖୋଲାଯିବ। ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ। କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ। ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲି ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନରେ ଚାଲିଥିବା ଅବ୍ୟବସ୍ଥା ଦୂର କରାଯିବ। ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ପରିଚାଳନା କରାଯିବ।
- ବୁଣାକାରଙ୍କ ଜୀବିକାର ଉନ୍ନତି ପାଇଁ ପଶ୍ଚିମ ଓଡ଼ିଶାରେ ୩ଟି ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ ସ୍ଥାପନ କରି ୫୧ ହଜାରରୁ ଅଧିକ ଚାକିରି ସୃଷ୍ଟି। ବୁଣାକାର ସମ୍ମାନ ନିଧି ଜରିଆରେ ପ୍ରତ୍ୟକ ବୁଣାକାରଙ୍କୁ ମାସିକ ସାଢ଼େ ୩ ହଜାର ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ।
- ଅଣସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କୁ ୫ ଲକ୍ଷ ଟଙ୍କାର ବୀମା କଭରେଜ୍।
- କ୍ଷମତାକୁ ଆସିଲେ ୧୦୦ ଦିନ ମଧ୍ୟରେ ଦେଶର ସବୁଠାରୁ ବଡ଼ ସ୍ୱାସ୍ଥ୍ୟବୀମା ଯୋଜନା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହେବ ।
- ବିଦ୍ୟାଳୟ ଗୁଡ଼ିକରେ ଡ୍ରପଆଉଟକୁ ରୋକିବା ପାଇଁ ପ୍ରତ୍ୟେକ ଜନଜାତି ଛାତ୍ରଛାତ୍ରୀଙ୍କୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ମାଧ୍ୟମରେ ବାର୍ଷିକ ୫ ହଜାର ଟଙ୍କା ସହାୟତା।
- ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା ଭତ୍ତା ୩ ହଜାର ଟଙ୍କା ହେବ।
- ମିଶନ ସ୍ୱାସ୍ଥ୍ୟ ଓଡ଼ିଶା ଯୋଜନାରେ ୧୦୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ତସ୍ତରୀୟ ଡାକ୍ତରଖାନା ନିର୍ମାଣ। ପ୍ରତ୍ୟେକ ଜିଲ୍ଲାରେ ନର୍ସିଂ କଲେଜ, ଏକ ମେଡିକାଲ କଲେଜ୍ ଓ ସୁପରସ୍ପେଶାଲିଷ୍ଟ ମେଡିକାଲ ନିର୍ମାଣ କରିବୁ।
- ପର୍ଯ୍ୟଟନ ଅର୍ଥନୀତିକୁ ବଢ଼ାଇବା ସହ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି।
- ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣାରେ ବିଜୁଳି ଯୋଗାଣ।

