ବିଜେଡିର ବଳକା ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। କୋରେଇ ଆସନ ପାଇଁ ବିଜେଡି ଦେଇଛି ବିଗ୍ ସରପ୍ରାଇଜ୍। କୋରେଇ ଆସନରୁ ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସ୍ବର୍ଗତ ଅଶୋକ ଦାସଙ୍କ ଧର୍ମପତ୍ନୀ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି ।
କୋରେଇରେ ତାଙ୍କ ନାଁ ଘୋଷଣା ହେବା ପରେ କେହି କିଛି ଜାଣିନଥିଲେ ସେ କିଏ ବୋଲି, ତେବେ କିଛି ସମୟ ପରେ ଜଣାପଡିଲା ସେ ଜଣେ ଟାଣୁଆ ନେତାଙ୍କ ପତ୍ନୀ। ସନ୍ଧ୍ୟାରାଣୀ ପ୍ରଥମ ଥର ପାଇଁ ରାଜନିତୀରେ ପାଦ ଦେଇଛନ୍ତି । ପୂର୍ବରୁ କୌଣସି ବି ରାଜନୈତିକ ସଭା ସମିତିରେ ତାଙ୍କୁ ଦେଖିବାକୁ ମିଳେ ନାହିଁ ।
ସ୍ବର୍ଗତ ଅଶୋକ ଦାସ କୋରେଇ ଆସନରୁ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଶେଷଥର ସେ 2000 ମସିହାରେ ନିର୍ବାଚିତ ହୋଇଥିଲେ। ତାଙ୍କର କୋରେଇ ଅଞ୍ଚଳରେ ବେଶ ଭଲ ସଂଗଠନ ରହିଛି। ଏ ପର୍ଯ୍ୟନ୍ତ ମଧ୍ୟ କୋରେଇରେ ତାଙ୍କର ସମର୍ଥକ ରହିଛନ୍ତି। ସେଥିପାଇଁ ନବୀନ ତାଙ୍କର ଧର୍ମପତ୍ନୀ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।
ଇତିମଧ୍ୟରେ 1985ରୁ 1990 ପର୍ଯ୍ୟନ୍ତ ଥରେ ମାତ୍ର କଂଗ୍ରେସରୁ ରାମଚନ୍ଦ୍ର ଖୁଣ୍ଟିଆ ଓ 2004ରେ ବିଜେପି-ବିଜେଡି ମେଣ୍ଟରେ ହୋଇଥିବା ନିର୍ବାଚନରେ ଅଶୋକ ଦାସଙ୍କୁ ହରାଇ ବିଜେପି ପ୍ରାର୍ଥୀ ସଞ୍ଚିତା ମହାନ୍ତି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

