ରାଜନୀତିରେ ଡେବ୍ଯୁ କରିବେ ରଞ୍ଜିତା ସାହୁ । ମୁଖ୍ଯମନ୍ତ୍ରୀଙ୍କ ନିଜ ଜିଲ୍ଲାକୁ କରିବେ ଭାଗ୍ଯ ପରିକ୍ଷା । ଆସିକା ସଂସଦୀୟ କ୍ଷେତ୍ରରେ ରଂଜିତା ସାହୁଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏହି ନିର୍ବାଚନ ଲଢି ରଂଜିତା ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିବେ । ରାଜନୈତିକ ପରିବାରରୁ ଆସିଛନ୍ତି ରଂଜିତା । ରଞ୍ଜିତାଙ୍କ ବାପା ହର ପ୍ରସାଦ ସାହୁ କୋଦଳା ଏନଏସିର ଚାରି ଥର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି ।
ପିଲାଟି ଦିନରୁ ରାଜନୀତି ସହ ବେଶ୍ ପରିଚିତ ରଞ୍ଜିତା । ବାପାଙ୍କ ସହ ଜନସେବାରେ ସେ ସବୁବେଳେ ନିୟୋଜିତ ଥିଲେ । ବାପାଙ୍କ ସାଥିରେ ପ୍ରଚାର କରିବା ସହ ଲୋକଙ୍କ ସୁଃଖଦୁଃଖରେ ସାମିଲ ହେଉଥିଲେ । ରାଜନୀତିକୁ ଅତି ପାଖରୁ ଦେଖିଥିବା ରଂଜିତା ଗତ ଦୁଇବର୍ଷ ହେଲା ସମାଜସେବା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି । ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ତାଙ୍କର ବେଶ୍ ଲୋକପ୍ରିୟତା ରହିଛି । ଏଣୁ ରଞ୍ଜିତାଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
୧୯୯୧ ମସିହାରେ ଜନ୍ମଗ୍ରହଣ କରିଥିବା ରଂଜିତା ବ୍ରହ୍ମପୁରରେ ନିଜ ସ୍କୁଲ ଶିକ୍ଷା ଶେଷ କରିବା ପରେ ବାଙ୍ଗାଲୋରରେ କଲେଜ ଶିକ୍ଷା ଗ୍ରହଣ କରିଥିଲେ । ଏହା ପରେ ବାଙ୍ଗାଲୋର ଖ୍ରୀଷ୍ଟ ବିଶ୍ବବିଦ୍ୟାଳୟରେ ଆପ୍ଲାଏଡ ଇକୋନୋମିକସରେ ମାଷ୍ଟର ଡିଗ୍ରୀ ଶେଷ କରିଛନ୍ତି । ଏହା ପରେ ନିଜ ଅଂଚଳରେ ସେ କବିସୂର୍ଯ୍ୟ ଯୁବ ସଂଗଠନ କରି ସେ ସମାଜସେବାରେ ନିଜକୁ ବ୍ରତୀ କରିଛନ୍ତି । ଏହି ସଂଗଠନରେ ସାତ ହଜାରରୁ ଅଧିକ ସଦସ୍ୟ କାର୍ଯ୍ୟ କରୁଛନ୍ତି । ଏବେ ପ୍ରତ୍ୟକ୍ଷ ରାଜନୀତିକୁ ଆସି ସେ ଆସକା ସଂସଦୀୟ କ୍ଷେତ୍ରରେ ବିଜେଡି ଟିକେଟରେ ଲଢିବାକୁ ଯାଉଛନ୍ତି ।

