ଆଜି ବିଜେଡି ଆଗାମୀ ନିର୍ବାଚନ ନିମନ୍ତେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ସମ୍ବଲପୁର ଲୋକସଭା ଆସନ ପାଇଁ ଦଳର ତୃତୀୟ କ୍ଷମତା କେନ୍ଦ୍ର ତଥା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଟିକେଟ ମିଳିଛି । ଅନ୍ୟପଟେ ପୂର୍ବରୁ ଏହି ଲୋକସଭା ଆସନ ନିମନ୍ତେ ବିଜେପ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ଏହି ଆସନ ପାଇଁ ଦୁଇ ହେବିୱେଟଙ୍କ ମଧ୍ୟରେ ରାଜ୍ୟର ଚର୍ଚ୍ଚିତ ତଥା ଏକ ବଡ଼ ଲଢେ଼ଇ ହେବାକୁ ଯାଉଛି।ଗତ କିଛି ମାସ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ଓ ରହଣି ସେଠାରୁ ସେ ନିର୍ବାଚନ ଲଢ଼ିବା ସ୍ପଷ୍ଟ କରୁଥିଲା ବେଳେ । ସମ୍ବଲପୁରରେ ମଧ୍ୟ ବିଜେଡିର ବେଶ ଦବଦବା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କିଛି ଦିନ ତଳେ ସମ୍ବଲପୁର ଗସ୍ତରେ ଆସି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁରରେ ମଧ୍ୟ ସଂଗଠନ ସୁଦୃଢ଼ ରହିଛି । ସେପଟେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସମ୍ବଲପୁରରେ ବେଶ ସକ୍ରିୟ ରହିଛନ୍ତି ବହୁଦିନ ହେବ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଜଣେ ଦକ୍ଷ ସଂଗଠକ ଲଢ଼େଇ କଲେ ହିଁ ବିଜୟ ସମ୍ଭବ ଜାଣି ପ୍ରଣବଙ୍କୁ ଦଳ ସେଠାରୁ ଟିକେଟ ପ୍ରଦାନ କରିଛି। ପ୍ରଣବଙ୍କୁ ଟିକେଟ ପରେ କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ସମ୍ବଲପୁରରୁ ଏଥର ଆସନରୁ ଦ୍ୱିମୁଖୀ ଜୋରଦାର ଲଢ଼େଇ ହେବ ବୋଲି ରାଜନୈତିକ ପାଣିପାଗ ସ୍ପଷ୍ଟ କରୁଛି।

