ରାଜ୍ୟରେ ହାଇଭୋଲଟେଜ ପ୍ରଚାରର ଆରମ୍ଭ ପର୍ବରେ ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ଓ ଦମ୍ଭୋକ୍ତି ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ଆରମ୍ଭ କରି ନବୀନ ସରକାର ଉପରେ ବର୍ଷିଛନ୍ତି । ଗୋଟିଏ ଦିନରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇ ଦୁଇଟି ବିଶାଳ ଜନସଭା କରି ପ୍ରଧାନମନ୍ତ୍ରୀ, ଖାଲି ବିଜେଡିର ଏକ୍ସପାଏରୀ ଡେଟ୍ ଘୋଷଣା କରିବା ସହ ଜୁନ୍ ୧୦ରେ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ ଯୋଗ ଦେବାକୁ ନିମନ୍ତ୍ରଣ ବି କରିଛନ୍ତି ।
ଆଜି ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀ ମୋଦି।ପିଏମ ମୋଦି ତାଙ୍କ ଭାଷଣରେ ୪ ଜୁନ୍- ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଓ ୬ ଜୁନ୍- ବିଜେପିର ମୁଖ୍ୟମନ୍ତ୍ରୀ ଚୟନ ସହ ୧୦ ଜୁନ୍- ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ କଥା କହିଛନ୍ତି । ମୋଦି କହିଛନ୍ତି, ‘ ଯିଏ ଓଡ଼ିଶା ଲୋକଙ୍କୁ ଜାଣିଥିବ, ବୁଝିଥିବ, ସେ ହିଁ ହେବ ମୁଖ୍ୟମନ୍ତ୍ରୀ। ଅର୍ଥାତ ଓଡ଼ିଶାର ପୁଅ କିମ୍ବା ଝିଅ ଏଠାରେ ମୁଖ୍ୟମନ୍ତ୍ରୀ ହେବେ, କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନାହିଁ। ଓଡ଼ିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବ, ସେ ହେବ ମୁଖ୍ୟମନ୍ତ୍ରୀ।’ ବୋଲି କହିଛନ୍ତି ।
ତେବେ ପିଏମ ମୋଦିଙ୍କ ଏହି ଭାଷଣର ମାତ୍ର କିଛି ସମୟରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତା ଜରିଆରେ କଟାକ୍ଷ ଶୈଳୀରେ କହିଛନ୍ତି ଯେ, କିଛି ଦିନ ହେବ ଦିନରେ ସ୍ୱପ୍ନ ଦେଖୁଛି ବିଜେପି । ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଭବାନୀପାଟଣାରୁ ଖଡିଆଲ ଯିବା ରାସ୍ତାରେ ଏହି ଭିଡିଓଟି କରାଯାଇଛି ।
ଏହାସହ ଏହା ମଧ୍ୟରେ ଭିତରେ ବିଜେଡି ନେତା ଭି.କେ ପାଣ୍ଡିଆନ୍ ନବୀନ ସରକାରଙ୍କ ବିଜୟ ସହ ଶପଥ ଗ୍ରହଣର ତାରିଖ ସହ ସମୟ ମଧ୍ୟ ଘୋଷଣା କରିଛନ୍ତି । କହିଛନ୍ତି- ୯ ତାରିଖ, ସାଢ଼େ ୧୧ରୁ ସାଢ଼େ ଗୋଟିଏରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ରେକର୍ଡ କରିବେ ବୋଲି କହିଛନ୍ତି ।

