ଭଦ୍ରକ ରାଜ୍ୟର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ । ରାଜ୍ୟ ପାଇଁ ଏହି ନିର୍ବାଚନ ମଣ୍ଡଳୀ ଗୁରୁତ୍ୱକେନ୍ଦ୍ର ଓ ଜିଲ୍ଲା ପାଇଁ ମଧ୍ୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଆସନ । ଅନ୍ୟପଟେ ଏହି ନିର୍ବାଚନମଣ୍ଡଳୀ ବିଜେଡିର ଅଭେଦ୍ୟ ଦୁର୍ଗ । ଏହି ହାଇ ହାଇପ୍ରୋଫାଇଲ ଆସନରେ ଦଳର ବରିଷ୍ଠ ରାଜନେତା, ରାଜନୀତିର ପୋଖତ ଓ ପ୍ରବୀଣ ଖେଳାଳି ପ୍ରଫୁଲ୍ଲ ସାମଲଙ୍କୁ ଦଳ ଟିକେଟ ପ୍ରଦାନ କରିଛି । ଭଣ୍ଡାରିପୋଖରୀରୁ କ୍ରମାଗତ 3ଥର ବିଜୟ ଟିକା ପିନ୍ଧିଥିବା ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଏଥର ଭଦ୍ରକ ବିଧାନସଭା ଟିକେଟ ପ୍ରଦାନ କରିଛି ଦଳ । ଅନ୍ୟପଟେ ଭଦ୍ରକ ଆସନରେ ବିଜେପି ପକ୍ଷର ସିତାଂଶୁ ଶେଖର ମହାପାତ୍ର ଓ କଂଗ୍ରେସ ପକ୍ଷରୁ ଭଦ୍ରକର ଯୁବ ନେତା ଅସିତ ପଟ୍ଟନାୟକଙ୍କୁ ଟିକେଟ ମିଳିଥିବା ବେଳେ । ଏହି ତ୍ରିମୁଖୀ ଲଢ଼େଇରେ ପ୍ରଫୁଲ୍ଲଙ୍କ ପଲ୍ଲା ଭାରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ରହିଛି ।
ପ୍ରଫୁଲ୍ଲ ସାମଲ, ଭଦ୍ରକ ସହ ସାରା ରାଜ୍ୟରେ ପରିଚିତ ନାମ। ଦିନେ ଅଧ୍ୟାପନାକୁ ବୃତ୍ତି ଭାବେ ବାଛି ଉତ୍କଳ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଭାବେ ୧୯୮୨ରୁ ୧୯୮୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ପରେ ବିଜୁ ବାବୁଙ୍କ ଆହ୍ବାନରେ ରାଜନୀତିରେ ପାଦ ଥାପି ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ଭଦ୍ରକ ଆସନରୁ ତତ୍କାଳୀନ କଂଗ୍ରେସର ବରିଷ୍ଠ ନେତା ଯୁଗଳ କିଶୋର ପଟ୍ଟନାୟକଙ୍କୁ ହରାଇ ବିଧାନସଭାକୁ ଆସିଥିଲେ। ସେବେଠୁ ରାଜନୀତିରେ ସେ ପଛକୁ ଫେରି ଚାହିଁନାହାଁନ୍ତି। ୧୯୯୫ ମସିହାରେ ପୁଣି ଥରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ଭଦ୍ରକ ଆସନରୁ ସେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ସେ ବିଜେଡି ଟିକେଟରେ ଲଢିଥିବାବେଳେ ମାତ୍ର ୫୩୨ ଖଣ୍ଡ ଭୋଟ ବ୍ୟବଧାନରେ ପ୍ରଥମ ଥର ପରାଜୟ ବରଣ କରିଥିଲେ। କିନ୍ତୁ ତତ୍କାଳୀନ ବିଧାୟକଙ୍କ ଦେହାନ୍ତ ପରେ ୨୦୦୧ ମସିହାରେ ହୋଇଥିବା ଉପନିର୍ବାଚନରେ ସେ ପୁଣି ଥରେ ବାଜିମାତ କରିଥିଲେ। ତେବେ ୨୦୦୪ ମସିହାରେ ବହୁ କମ ବ୍ୟବଧାନରେ ପ୍ରଫୁଲ୍ଲ ସାମଲ ପୁଣି ଥରେ ପରାଜିତ ହୋଇଥିଲେ।
୨୦୦୯ ମସିହାରେ ନିର୍ବାଚନମଣ୍ଡଳୀ ପୁନଃଗଠନ ପରେ ସେ ଭଣ୍ଡାରୀପୋଖରୀରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇ ବିଜୟ ହୋଇଥିଲେ। ପରେ ସେବେଠୁ ବର୍ତ୍ତମାନ ପର୍ଯ୍ୟନ୍ତ ଭଣ୍ଡାରୀପୋଖରୀର ଅପରାଜିତ ନେତା ଭାବେ ଲଗାତାର ୩ ଧର ସେ ବାଜିମାତ କରିଛନ୍ତି। ଏହି ସମୟରେ ସେ ଅନେକ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ପଞ୍ଚାୟତରାଜ, ମହିଳା ଓ ଶିଶୁ ବିକାଶ, ସୂଚନା ଓ ଲୋକସମ୍ପର୍କ, ପର୍ଯ୍ୟଟନ ଓ ସଂସ୍କୃତି, ସହଯୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଦ ଏବଂ ମିଶନ ଶକ୍ତି ବିଭାଗ ଆଦି ଅନେକ ବିଭାଗ ସେ ମନ୍ତ୍ରୀ ରହିଛନ୍ତି।
ତେବେ ୨୦୨୪ ନିର୍ବାଚନ ପାଇଁ ଦଳ ତାଙ୍କ ଉପରେ ଭଦ୍ରକ ବିଧାନସଭା ଦାୟିତ୍ବ ନ୍ୟସ୍ତ କରିଛି। ବିଜେଡି ପୁଣି ଥରେ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକ ପାଇଁ ଟିକେଟ ଦେଇଛି। ନିଜର ଲୋକପ୍ରିୟତା, ସାଂଗଠନିକ ସାମର୍ଥ୍ୟରେ ଭରସା, ଅଞ୍ଚଳବାସୀଙ୍କ ପ୍ରିୟଭାଜନ ହେବାରେ ଦୀର୍ଘତାଦୂରଦୃଷ୍ଟିସମ୍ପନ୍ନ, ସ୍ଥିରତା, ଚ୍ୟାଲେଞ୍ଜ ଗ୍ରହଣ ଏବଂ ନିଷ୍ଠା ସହିତ ଜନତାଙ୍କ ସେବା ତଥା ପ୍ରେରଣାଦାୟକ ନେତୃତ୍ୱ କ୍ଷମତା, ଏବଂ ସାଥୀ ନେତା ଓ କର୍ମୀଙ୍କ ବିଶ୍ୱାସଭାଜନ, ବିଜୟର ଆତ୍ମବିଶ୍ୱାସ ଏବଂ ଅନ୍ୟମାନଙ୍କୁ ପ୍ରେରିତ କରିବା ଭଳି ରାଜନୈତିକ ବିରଳ ଗୁଣ ଓ ପରିପକ୍ୱ ରାଜନୈତିକ କଳା ଓ ଅନୁଭବି ନେତାଙ୍କ ଅନୁଭବ ଭଦ୍ରକରେ ମଧ୍ୟ ତାଙ୍କୁ ପୁଣି ଥରେ ଜନତାଙ୍କ ଆସ୍ଥାଭାଜନରେ ସହାୟକ ହେବ ବୋଲି ରାଜନୈତିକ ଅଳିନ୍ଦରେ ଆଲୋଚନା ଚାଲିଛି।
ସେହିପରି ଓଡ଼ିଶା ବେସରକାରୀ ବୈଷୟିକ ମହାବିଦ୍ୟାଳୟ ସଂଘ, ଓଡ଼ିଶା ବେସରକାରୀ ବୈଷୟିକ ବିଦ୍ୟାଳୟ ସଂଘର ସଭାପତି ମଧ୍ୟ ସେ ରହିଥିଲେ। ଏହାସହ ଭଦ୍ରକ ଇନିଷ୍ଟିଚିଉଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ସମ୍ପାଦକ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।
ରାଜନୀତିକୁ ଆସିବା ପୂର୍ବରୁ ଦିନେ ଦେଶ ଗଢ଼ିବାକୁ ପିଲାଙ୍କୁ ଶିକ୍ଷା ଦେଉଥିଲେ। ପରେ ନିଜ ମାଟିର ବିକାଶ ପାଇଁ ରାଜନୀତିକୁ ଆସିଲେ। ନିଜ ହାତରେ ନିଜ ଅଞ୍ଚଳର ବିକାଶର ଭବିଷ୍ୟତ ଗଢ଼ିଛନ୍ତି। ଅନେକ ଶିକ୍ଷିତ ଯୁବପୀଢ଼ୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଭଦ୍ରକକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଲେ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପାଇଁ ଅନେକ କାର୍ଯ୍ୟ କଲେ। ଯେଉଁଥିପାଇଁ, ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନିଜ ଦଳର କର୍ମୀଙ୍କର ପ୍ରିୟ ଭାଜନ ହୋଇ ୬ ଥର ବିଧାୟକ ହେବାର ଗୌରବ ଅର୍ଜନ କରିଛନ୍ତି ପ୍ରଫୁଲ୍ଲ ସାମଲ। ଚଳିତ ନିର୍ବାଚନରେ ମଧ୍ୟ ପ୍ରଫୁଲ୍ଲଙ୍କ ବିଜୟ ପକ୍କା ନେଇ ରାଜନୈତିକ ପଣ୍ଡିତଙ୍କ ପୂର୍ବାନୁମାନ ରହିଛି।

