କେନ୍ଦୁଝର ଲୋକସଭା ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଟିକେଟ ପାଇବା ପରେ ଭୋଟରଙ୍କୁ ନିଜପକ୍ଷକୁ ନେବା ପାଇଁ ବିଭିନ୍ନ ଶୈଳୀରେ ପ୍ରାର୍ଥୀମାନେ ପ୍ରଚାର ଚଳାଇଛନ୍ତି। ଏଥର କେନ୍ଦୁଝର ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଚଳିତ ନିର୍ବାଚନରେ ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିଥିବା ବେଳେ ପୁରୁଣା ଚେହେରାକୁ ପୁଣି ଟିକେଟ୍ ଦେଇଛି ବିଜେପି । ଅନନ୍ତ ନାୟକଙ୍କୁ ପୁଣି ରିପିଟ୍ କରିଛି ବିଜେପି ।
କେନ୍ଦୁଝର ରାଜନୀତିରେ ଅନନ୍ତ ନାଏକ ବିଜେପିର ସବୁଠୁ ବଡ ଚେହେରା । ୩୦ ବର୍ଷ ବୟସରେ କେନ୍ଦୁଝର ଲୋକସଭା ସିଟରୁ ନିର୍ବାଚନ ଜିତି କନିଷ୍ଠ ସାଂସଦ ହୋଇଥିଲେ ଅନନ୍ତ ନାଏକ । ପୁଣି ୨୦୦୪ରେ ବି ନିର୍ବାଚନ ଜିତିଥିଲେ । ସେ ଦୁଇ ଥର ସଂସଦକୁ ନିର୍ବାଚିତ ହୋଇଛନ୍ତି । ୨୦୧୯ ନିର୍ବାଚନରେ କଡା ପ୍ରତିଦ୍ୱନ୍ଦ୍ୱିତାରେ ହାରିଥିବା ଅନନ୍ତ ନାଏକଙ୍କୁ ଦଳ ଏଥର ପୁନଃ ଭରସା କରି ୨୦୨୪ ନିର୍ବାଚନରେ ଏହି ଆସନରୁ ପ୍ରାର୍ଥୀ କରିଛି ।
ଜାତୀୟ ଜନଜାତି କମିଶନ ସଦସ୍ୟ ରହିଥିଲେ ଅନନ୍ତ ନାଏକ । ଏହି ସମୟରେ ସେ ଆଦିବାସୀଙ୍କ ବିକାଶ ପାଇଁ ଅନେକ ପଦକ୍ଷପେ ନେଇଛନ୍ତି । ମୋଦି ସରକାରଙ୍କ ଅତୁଳନୀୟ ଅବଦାନକୁ ତୃଣମୂଳସ୍ତରରେ ପହଞ୍ଚାଇଛନ୍ତି । ଜନଜାତିଙ୍କ ପାଇଁ କାମ କରି ସଭିଙ୍କର ଆପଣାର ପାଲଟିଛନ୍ତି । ଆଦିବାସୀ ସମାଜର ବିକାଶ ପାଇଁ ହୋଇଥିବା କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ତାଙ୍କର ପ୍ରମୁଖ ଭୁମିକା ରହିଛି । କେନ୍ଦୁଝର ଏକ ଆଦିବାସୀ ଅଞ୍ଚଳ ହୋଇଥିବାରୁ ଏହା ଅନନ୍ତଙ୍କୁ ଫାଇଦା ଦେବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ।
୨୦୧୯ ନିର୍ବାଚନରେ ବିଜେଡିର ଚନ୍ଦ୍ରାଣୀ ମୁର୍ମୁ ୫ ଲକ୍ଷ ୨୬ ହଜାର ୩୫୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଅନନ୍ତ ନାଏକ ୪ଲକ୍ଷ ୬୦ ହଜାର ୧୫୬ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମୋହନ ହେମ୍ବ୍ରମ ୧ ଲକ୍ଷ ୨୮ ହଜାର ୭୧୬ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ। ଏଥର ବିଜେଡି ଏଠାରେ ଧନୁର୍ଜୟ ସିଦୁଙ୍କୁ ପ୍ରାର୍ଥୀ କରିଛି। ତେବେ ଦେଶରେ ମୋଦି ହାୱା ଓ ମୋଦି ଗ୍ଯାରେଣ୍ଟି ବଡ଼ ଫ୍ଯାକ୍ଟର ସାଜିବ । ମୋଦିଙ୍କ ଚେହେରା କେନ୍ଦୁଝରରେ ବଡ଼ କାମ କରିବ ବୋଲି ବିଜେପି ଆଶା ରଖିଛି । ଏଣୁ ଏଥର ବିଜେପି ଏଠାରେ ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ।

