ପୂର୍ବ ଭାରତରେ ଗୁରୁତ୍ୱ ବହନ କରୁଥିବା ଲୋକସଭା ଆସନ ମଧ୍ୟରୁ ବାଲେଶ୍ୱର ଅନ୍ୟତମ । ଏହାସହ ରାଜ୍ୟ ରାଜନୀତିର ପ୍ରମୁଖ ତିନିଦଳ ପାଇଁ ବାଲେଶ୍ୱର ଲୋକସଭା ଆସନ ବିଜୟ ଏକପ୍ରକାର ସମ୍ମାନର ପ୍ରଶ୍ନ । ଆଉ ଏହାସହ ଏହାସ୍ଥିର ନିଶ୍ଚିତ ଯେ, ରାଜ୍ୟ ରାଜନୀତିର ସର୍ବବୃହତ ରୋଚକ, ରୋମାଞ୍ଚ ଓ କଡ଼ା ଲଢ଼େଇ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଦେଖିବାକୁ ମିଳିବ । ରାଜ୍ୟର ହାଇପ୍ରୋଫାଇଲ୍ ନେତାମାନେ ଏଥର ପରସ୍ପର ବିରୋଧରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ବିଜେପିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା 10 ବର୍ଷ ପରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଏହି ଦୁଇ ଅଭିଜ୍ଞ ନେତାଙ୍କୁ ଚେକ୍ ଦେବା ପାଇଁ ବିଜେଡି ମହିଳା କାର୍ଡ ଖେଳିଛି। ବିଜେପି ଛାଡ଼ି ବିଜେଡି ଆସିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଏଥର ବିଜେଡି ପ୍ରାର୍ଥୀ କରିଛି। ତେଣୁ ବାଲେଶ୍ୱର ଆସନରେ ଏଥର ହାଇଭୋଲଟେଜର ତ୍ରିମୁଖୀ ଲଢ଼େଇ ହେବା ଏକପ୍ରକାର ସ୍ପଷ୍ଟ ରହିଛି । ତେବେ ଏହି ଦମଦାର ଫାଇଟରେ ଶ୍ରୀକାନ୍ତ ଫାଷ୍ଟ ହେବା ନେଇ ରାଜନୈତିକ ସମୀକ୍ଷକ, ନିର୍ବାଚନ ଉପରେ କଡ଼ା ନଜର ରଖିଥିବା ଆଲୋଚକ ଆକଳନ କରିଛନ୍ତି।
ଜାତୀୟ ରାଜନୀତିର ଜଣେ ଚର୍ଚ୍ଚତ ଚେହେରା ଶ୍ରୀକାନ୍ତ ଜେନା । ୭୦ ଦଶକରୁ ଶ୍ରୀକାନ୍ତ ଜେନା ବିଧାନସଭା ନୁହେଁ, ଲୋକସଭାରେ ଦମ୍ ଦେଖାଇ ଚର୍ଚ୍ଚାକୁ ଆସିଥିଲେ । ରାଜନୀତିରେ ଅଭିଜ୍ଞ, ପରିପକ୍ୱ ଓ କୌଶଳୀ ରାଜନେତା ସହ ଶାଣିତ ସ୍ୱରରେ ବିରୋଧୀଙ୍କୁ ସମାଲୋଚନା କରିବାରେ ପାରଙ୍ଗମ ଶ୍ରୀ ଜେନା । ତାଙ୍କ ରାଜନୈତିକ ସମୀକ୍ଷା, ସମାଲୋଚନା ତର୍କ, ବିତର୍କ ବିରୋଧୀଙ୍କୁ ସବୁବେଳେ ଅକଳରେ ପକାଏ । ୨୦୨୪ରେ କଂଗ୍ରେସ ଶ୍ରୀକାନ୍ତଙ୍କୁ ବାଲେଶ୍ୱର ଆସନରେ ଟିକେଟ ପ୍ରଦାନ କରିଛି । ନିଜର ଉପସ୍ଥିତି ମାତ୍ରକେ ରାଜ୍ୟ ରାଜନୀତିର ହଟଚମଟ ପକାଉଥିବା, ପୁରୁଣା, ପୁରୁଖା, ପ୍ରବୀଣ ତଥା ନିପୁଣ ପ୍ଲେୟାରଙ୍କୁ ମୈଦାନକୁ ଓହ୍ଲାଇଛି କଂଗ୍ରେସ । ଏନେଇ ବିରୋଧୀ ଶିବିରରେ ନିଶ୍ଚୟ ପରାଜୟକୁ ପ୍ରତିହତ କରିବା ପାଇଁ ଚାଲିଛି ଜୋରଦାର ରଣକୌଶଳ । ଅନ୍ୟପଟେ ୭ଟି ବିଧାନସଭା କ୍ଷତ୍ରକୁ ନେଇ ଗଠିତ ବାଲେଶ୍ୱର ଲୋକସଭା କ୍ଷେତ୍ରର ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା ଓ ନୀଳଗିରି ଆଦି ସ୍ଥାନରେ ଶ୍ରୀକାନ୍ତ ଜେନା କର୍ମୀ ସମ୍ମିଳନୀ କରିବା ସହିତ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଲେଣି। ତାଙ୍କ ପ୍ରଚେଷ୍ଟାରେ ଜିଲ୍ଲାରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଜଣାଇ ସେ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା ଜାରି ରଖିଛନ୍ତି ।
କଂଗ୍ରେସ ପ୍ରାର୍ଥୀ ଭାବେ ଶ୍ରୀକାନ୍ତ ଜେନା ୨୦୦୯ ମସିହାରେ ୩୮,୯୦୦ ଭୋଟ୍ ବ୍ୟବଧାନରେ ବାଲେଶ୍ୱରର ପୁରୁଖା ନେତା ଅରୁଣ ଦେ’ଙ୍କୁ ହରାଇ ବିଜୟୀ ହୋଇଥିଲେ। କେନ୍ଦ୍ରରେ ତତ୍କାଳୀନ କଂଗ୍ରେସ ସରକାର ସେ ମନ୍ତ୍ରୀଭାବେ ବି କାର୍ଯ୍ୟ କରିଥିଲେ। ହେଲେ, ୨୦୧୪ ନିର୍ବାଚନରେ ତାଙ୍କ ପାଇଁ କଣ୍ଟା ସାଜିଥିଲେ ବିଜେଡିର ରବୀନ୍ଦ୍ର ଜେନା ଏବଂ ବିଜେପିର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଏହି ନିର୍ବାଚନରେ ରବୀନ୍ଦ୍ରଙ୍କର ବିଜୟ ହୋଇଥିବା ବେଳେ ପ୍ରତାପ ଦ୍ବିତୀୟ ଏବଂ ଶ୍ରୀକାନ୍ତ ତୃତୀୟ ସ୍ଥାନରେ ରହିଥିଲେ। ଏହାପରେ ୨୦୧୯ରେ ଦଳ ଏହି ଆସନରେ ତାଙ୍କୁ ଆଉ ପ୍ରାର୍ଥୀ କରି ନଥିଲା। ୨୦୧୯ କଂଗ୍ରେସ ନବଜ୍ୟୋତି ପଟ୍ଟନାୟଙ୍କୁ ପାର୍ଥୀ ଭାବେ କରିଥିବା ବେଳେ, ସେ ବିଜେପିର ପ୍ରତାପ ଷଡ଼ଙ୍ଗୀଙ୍କୁ ଠାରୁ ବହୁ ବ୍ୟବଧାନରେ ହାରିଯାଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏକ କଡ଼ା ମୁକାବିଲାରେ ବିଜେଡିର ରବୀନ୍ଦ୍ର କୁମାର ଜେନାଙ୍କୁ ପରାସ୍ତ କରି ସଂସଦରେ ପହଞ୍ଚିଥିଲେ। ପ୍ରତାପଙ୍କ ସପକ୍ଷରେ ମୋଟ୍ ୪, ୮୩, ୮୫୮ ଖଣ୍ଡ ଅର୍ଥାତ୍ ୪୧.୭୯ ପ୍ରତିଶତ ଭୋଟ୍ ପଡ଼ିଥିବା ବେଳେ ରବୀନ୍ଦ୍ରଙ୍କୁ ୪, ୭୦, ୯୦୨ ଖଣ୍ଡ ଅର୍ଥାତ୍ ୪୦.୬୨ ପ୍ରତିଶତ ଭୋଟ୍ ମିଳିଥିଲା। ମାତ୍ର ୧୨, ୯୫୬ ଖଣ୍ଡ ଭୋଟ୍ରେ ପ୍ରତାପ ବାଜି ମାରିଥିବା ବେଳେ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକଙ୍କୁ ୧, ୭୯, ୪୦୩ ଖଣ୍ଡ ଅର୍ଥାତ୍ ମାତ୍ର ୧୫.୪୯ ପ୍ରତିଶତ ଭୋଟ୍ ମିଳିଥିଲା। ଏଥିରେ କଂଗ୍ରେସର ଦଳୀୟ ସଂଗଠନକୁ ଲାଗିଥିଲା ଜୋରଦାର ଝଟକା । ତେବେ ଦଳ ଏଥର ପୁଣି ଶ୍ରୀକାନ୍ତଙ୍କ ବଢ଼ୁଥିବା ଲୋକପ୍ରିୟତାକୁ ଆଧାର କରି ତାଙ୍କୁ ବାଲେଶ୍ୱର ଟିକେଟ ପ୍ରଦାନ କରିଛି । ଫଳରେ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତଙ୍କ ଟିକେଟ ଘୋଷଣା ପରେ କଂଗ୍ରେସକୁ ମିଳୁଛି ଅଧିକ ଜନ ସମର୍ଥନ । ଯୁବ, ଛାତ୍ର ଓ ସବୁବର୍ଗର ଭୋଟର ତିନି ପ୍ରାର୍ଥୀଙ୍କ ମଧ୍ୟରେ ଶ୍ରୀକାନ୍ତ ହିଁ ଶ୍ରେଷ୍ଠ ଓ ଶ୍ରେୟସ୍କର ବୋଲି ଚର୍ଚ୍ଚା କରୁଛନ୍ତି । ପୂର୍ବଥର ଅପେକ୍ଷା ଏଥର ପ୍ରତାପଙ୍କ ଲୋକପ୍ରିୟତା ଓ ବିଜେପିର ଶକ୍ତି ବାଲେଶ୍ୱରରେ କମିଛି ଓ ବିଜେପିରୁ ଆସି ବିଜେଡି ଟିକେଟରେ ଲଢ଼ୁଥିବା ଲେଖାଶ୍ରୀଙ୍କୁ ମଧ୍ୟ ଭୋଟର ବର୍ଗ ସହଜରେ ଗ୍ରହଣ କରିନପାରନ୍ତି । ତେଣୁ ଏହି ଆସନରେ ଶ୍ରୀକାନ୍ତଙ୍କ ବିଜୟ ସମ୍ଭାବନା ସର୍ବାଧିକ ରହିଛି । ନିଜ କାର୍ଯ୍ୟକାଳ ସମୟରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଅଭୁତପୂର୍ବ କାର୍ଯ୍ୟ କରିଛନ୍ତି ଶ୍ରୀ ଜେନା । ଅନ୍ୟ ସମସ୍ତ ସାଂସଦଙ୍କ ଅପେକ୍ଷା ଶ୍ରୀକାନ୍ତ ଜେନାଙ୍କ ଟ୍ରାକ ରେକର୍ଡ ଓ ରିପୋର୍ଟ କାର୍ଡ ନମ୍ବର ୱାନରେ ରହିଛି । ଫଳରେ ପୁଣି ଥରେ ଶ୍ରୀକାନ୍ତଙ୍କୁ ପାୱାରକୁ ଫେରାଇବା ପାଇଁ ମନସ୍ଥ ଓ ସଂକଳ୍ପ କରିଛନ୍ତି ।
ସୂଚନା ଯେ ରତ୍ନଗିରି ରତ୍ନ ଶ୍ରୀକାନ୍ତ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । ସେ ୧୮ ଜୁନ ୧୯୫୦ରେ ଓଡ଼ିଶାର ଯାଜପୁର ଜିଲ୍ଲାର ରତ୍ନଗିରି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କେନ୍ଦ୍ରାପଡ଼ା ମହାବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ । ଶ୍ରୀକାନ୍ତ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । ସେ ପାଠପଢ଼ା ସମୟରେ ଛାତ୍ର ନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ଓଡ଼ିଶା ଯୁବ କଂଗ୍ରସ ଦଳର ସଭାପତି ଥିଲେ । ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟର ପ୍ରତିଷ୍ଠା ଦାବି କରି ଜଣେ ଯୁବ ନେତା ଭାବରେ ସେ ଅନେକଥର କାରାଗାରରେ ବନ୍ଦୀ ହୋଇଛନ୍ତି । ୧୯୭୫ ମସିହାରୁ ୧୯୭୭ ମସିହା ମଧ୍ୟରେ ଭାରତରେ ସୃଷ୍ଟି ହୋଇଥିବା ଜରୁରୀକାଳିନ ପରିସ୍ଥିତିରେ ସେ ୧୯ ମାସ ଧରି ବନ୍ଦୀ ହୋଇ ରହିଥିଲେ । ଏହାପରେ ସେ ୧୯୭୭ ମସିହାର ଜନତା ଦଳର ଯୁବ ପ୍ରତିନିଧି ଭାବରେ ଓଡ଼ିଶାର ବିଧାନସଭାକୁ ବରି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ ପରେ ଆଉ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇ ୧୯୮୯ ମସିହା ପର୍ଯ୍ୟନ୍ତ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ । ୧୯୮୯ ମସିହାରେ ସେ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୯ମ ଲୋକସଭା ପରେ ସେ ୧୦ମ ଲୋକସଭା, ୧୧ଶ ଲୋକସଭା ଏବଂ ୧୫ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଦୁଇଥର କଟକ (୧୯୮୯ ରୁ ୧୯୯୧ ଏବଂ ୧୯୯୧ ରୁ ୧୯୯୬) ଏବଂ ଥରେ କେନ୍ଦ୍ରାପଡା ସିଟ୍ (୧୯୯୬ ରୁ ୧୯୯୮ ) ଏବଂ ବାଲେଶ୍ୱର (୨୦୦୯ରୁ ୨୦୧୪) ରେ ଜିତିଥିଲେ । ୨୦୧୪ରେ, ସେ ବାଲେଶ୍ୱର ଲୋକସଭା ନିର୍ବାଚନରେ ପରାସ୍ତ ହୋଇଥିଲେ। ସେ ଗୁଜରାଲ ଓ ଦେବ ଗୌଡ଼ାଙ୍କର ମନ୍ତ୍ରୀମଣ୍ଡଳରେ ସଂସଦୀୟ ବ୍ୟାପାର ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିଲେ। ମନମୋହନ ସିଂହଙ୍କର ୨ୟ ମନ୍ତ୍ରୀମଣ୍ଡଳରେ ସେ ରସାୟନ ଓ ସାର ମନ୍ତ୍ରୀ ଥିଲେ । ଭି. ପି. ସିଂହଙ୍କର ମନ୍ତ୍ରୀ ମଣ୍ଡଳରେ ସେ ରାଜ୍ୟ, କ୍ଷୁଦ୍ର ଉଦ୍ୟୋଗ ଏବଂ କୃଷି ଓ ଗ୍ରାମୀଣ ଉଦ୍ୟୋଗର ମନ୍ତ୍ରୀ ଥିଲେ ।
ତେବେ ଚଳିତ ନିର୍ବାଚନରେ ବାଲେଶ୍ୱରରେ ଶ୍ରୀକାନ୍ତ ଜେନାଙ୍କ ପଲ୍ଲା ଭାରି ରହିଥିବା ବେଳେ ପୁଣି ଥରେ ତାଙ୍କୁ ଜିତାଇବା ସହ ‘ବାଲେଶ୍ୱରବାସୀ କୌଣସି କାମ ପାଇଁ ଦିଲ୍ଲୀ ଯିବା ଦରକାର ପଡ଼ିବ ନାହିଁ, ବରଂ ଦିଲ୍ଲୀ ବାଲେଶ୍ୱରକୁ ଆସିବ’ ବୋଲି କହୁଛନ୍ତି।

