ଭଦ୍ରକ ଲୋକସଭା ଅଧିନରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଆସନ ଭଣ୍ଡାରିପୋଖରୀ । ଚଳିତ ନିର୍ବାଚନରେ ଏହି ଆସନରେ ଲଢେଇ ରୋଚକ ହେବାକୁ ଯାଉଛି । ମୈଦାନରେ ଏଥର ବିଜେଡି-କଂଗ୍ରେସ ମଧ୍ଯରେ ଟକ୍କର ହେବାର ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ । ବିଜେଡି ଏଠାରେ ପ୍ରାର୍ଥୀ ବଦଳାଇ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଟିକେଟ ଦେଇଥିବାବେଳେ ସାମ୍ନାରେ ଅଛନ୍ତି କଂଗ୍ରେସର ହେଭିୱେଟ୍ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ଦଳର ଜଣେ ଟାଣୁଆ ନେତା ନିରଞ୍ଜନ । ୨୦୧୯ ନିର୍ବାଚନରେ ସେ ବିଜେଡିର ପ୍ରଫୁଲ୍ଲ ସାମଲଙ୍କୁ କଡ଼ା ଟକ୍କର ଦେଇଥିଲେ । ତେବେ ଏଥର ବିଜୟ ପାଇଁ ନିରଞ୍ଜନ ସମରସଜ୍ଜା କରିଛନ୍ତି ।
୨୦୧୯ରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ଭେଟେରାନ୍ ନେତା ପ୍ରଫୁଲ୍ଲ ସାମଲ ଓ ନିରଞ୍ଜନଙ୍କ ମଧ୍ୟରେ ହାଇଭୋଲଟେଜ୍ ଲଢ଼େଇ ଦେଖିବାକୁ ମିଳିଥିଲା। କଡ଼ା ମୁକାବିଲା ମଧ୍ୟରେ ପ୍ରଫୁଲ୍ଲ ୮,୮୫୯ ଭୋଟ୍ରେ ବିଜୟୀ ହୋଇଥିବା ବେଳେ ତୃତୀୟ ସ୍ଥାନରେ ରହିଥିଲା ବିଜେପି । ପ୍ରଫୁଲ୍ଲଙ୍କୁ ଏଥର ବିଜେଡି ଭଦ୍ରକ ଆସନରୁ ପ୍ରାର୍ଥୀ କରିଥିବା ବେଳେ ସଞ୍ଜୀବଙ୍କୁ ଭଣ୍ଡାରିପୋଖରୀରୁ ଛିଡ଼ା କରିଛି । ନିରଞ୍ଜନଙ୍କୁ ନେଇ କର୍ମୀମାନେ ମଧ୍ୟ ବେଶ୍ ଉତ୍ସାହିତ। ଗଲାଥର ଅଳ୍ପ ବ୍ୟବଧାନରେ ହାରି ଯାଇଥିଲେ ମଧ୍ୟ ଭଣ୍ଡାରିପୋଖରୀ ଅଞ୍ଚଳବାସୀଙ୍କ ସୁଖଦୁଃଖ ସହ ଅଛନ୍ତି ନିରଞ୍ଜନ। ଏହାଛଡ଼ା ପୁରଖା ଓ ଅନୁଭବୀ ନେତା ଭାବେ ତାଙ୍କର ଦକ୍ଷତା କାହାକୁ ଅଛପା ନାହିଁ। ପ୍ରତିଦିନ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ କରି କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ସହ ପ୍ରଚାରକୁ ମଧ୍ୟ ଜୋରଦାର କରିଛନ୍ତି।
୧୯୭୪ରୁ ଗଠିତ ହୋଇଥିବା ଏହି ଆସନରେ ୨ଟି ଉପନିର୍ବାଚନକୁ ମିଶାଇ ମୋଟ ୧୨ ଥର ନିର୍ବାଚନ ହୋଇଛି । ଏଥିରୁ କଂଗ୍ରେସ ୪ ଥର ବିଜୟୀ ହୋଇଥିବା ବେଳେ, ଜନତା ପାର୍ଟି ଥରେ, ଜନତା ଦଳ ୩ ଥର ଏବଂ ବିଜୁ ଜନତା ଦଳ ୪ ଥର ବିଜୟୀ ହୋଇଛି । ସୀମା ନିର୍ଦ୍ଧାରଣ ପରେ ଗତ ୩ଟି ନିର୍ବାଚନରେ ଶାସକ ବିଜେଡି ଲଗାତର ବିଜୟୀ ହୋଇଆସୁଛି । ୨୦୧୯ରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ୮୮୫୯ ଭୋଟରେ ହରାଇଥିଲେ । ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ୭୦, ୧୮୦ ଭୋଟ୍ ପାଇଥିବା ବେଳେ, କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟନାୟକ ପାଇଥିଲେ ୬୧, ୩୨୧ ଭୋଟ୍ । ବିଜେପି ପ୍ରାର୍ଥୀ ବଦ୍ରି ନାରାୟଣ ଧଳଙ୍କୁ ମିଳିଥିଲା ୩୮, ୮୫୬ ଭୋଟ୍। ୨୦୧୯ରେ ଶାସକ ବିଜେଡିକୁ ୪୦.୪୯ % ଭୋଟର ସମର୍ଥନ କରିଥିବା ବେଳେ, କଂଗ୍ରେସକୁ ୩୫.୩୮% ଏବଂ ବିଜେପିକୁ ୨୨.୫୮% ଜନ ସମର୍ଥନ ମିଳିଥିଲା ।
ଏଥର ଭଣ୍ଡାରିପୋଖରୀ ରାଜନୀତିରେ ଦୃଶ୍ଯପଟ୍ଟ ପରିବର୍ତ୍ତନ ହେବା ଆଶା କରାଯାଉଛି । ଯଦିଓ ନିରଞ୍ଜନ ଘୋଷଣା କରିନାହାନ୍ତି ତଥାପି ଏହା ତାଙ୍କର ଶେଷ ନିର୍ବାଚନ ବୋଲି ଆଶା କରାଯାଉଛି । ଏଣୁ ଜିତିବା ପାଇଁ ସବୁ କଳବଳ କୌଶଳର ଉପଯୋଗ କରିବେ ନିରଞ୍ଜନ । ବିଜେଡି ସରକାରର ବିଫଳତା ଓ ନୂଆ ପ୍ରାର୍ଥୀଙ୍କ ଦୁର୍ବଳତାକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ନିରଞ୍ଜନ । ଯାହାକୁ ନେଇ ଭଣ୍ଡାରୀପୋଖରୀରେ ତାଙ୍କ ପଲ୍ଲା ଭାରି ରହିଥିବା ଚର୍ଚ୍ଚା ହେଉଛି ।

