ଜାତୀୟ ସ୍ତରରେ କମାଲ୍ କଲା‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’

୨୦୨୫ରେ ମୁକ୍ତିଲାଭ କରିଥିବା ଦୁଇଟି ଓଡ଼ିଆ ଛବି ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ‘ବୋଉ ବୁଟୁ ଭୂତ’କୁ ୩ଟି ବିଭାଗ ରେ ଓ ‘ଅନନ୍ତା’କୁ ଗୋଟିଏ ବିଭାଗ ଲାଗି ଇଣ୍ଡିଆନ୍ ନେସନାଲ୍ ସିନେ ଏକାଡେମି ଆୱାର୍ଡସ୍ ରେ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ସିନେମା ଶ୍ରେଣୀରେ ବୋଉ ବୁଟୁ ଭୂତ ଫିଲ୍ମ ପାଇଁ ପ୍ରଯୋଜିକା ତଥା ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କୁ ସମ୍ମାନିତ କରାଯାଇଛି। ଠିକ୍ ସେହିପରି ବାବୁଶାନ୍ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତାସାହୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଟ୍ରଫି ହାସଲ କରିଛନ୍ତି। ଓଡ଼ିଶାରେ ଏତେ ଭଲ ପାଇବା ମିଳିବା ପରେ ଜାତୀୟ ସ୍ତରରେ ଫିଲ୍ମଟି ଆଦୃତ ଲାଭ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଫିଲ୍ମର କଳାକାର।

ଏଣେ ‘ଅନନ୍ତା’ ଲାଗି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସବ୍ୟସାଚୀ ମହାପାତ୍ର ଓ କୁମାର ସି ଦେବ ମହାପାତ୍ରଙ୍କୁ ଇଣ୍ଡିଆନ୍ ନେସନାଲ୍ ସିନେ ଏକାଡେମି ଆୱାର୍ଡସ୍ ପ୍ରଦାନ କରାଯାଇଛି।

ସମ୍ମାନିତ ହେବା ଅବସରରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ କହିଥିଲେ‌ ଯେ, ଜୀବନ‌ରେ ସବୁକିଛି ପ୍ରଥମ ଥର ହୁଏ। ଏହି ଅଭିଜ୍ଞତା ‌ମଧ୍ୟ ମୋ ପାଇଁ ପ୍ରଥମ। ଏହା କେବଳ ଏକ ଆୱାର୍ଡ ନୁହେଁ। ମୁଁ ବହୁତ ଗର୍ବର ସହ ଏହି ମଞ୍ଚରେ ମୋ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପ୍ରତିନିଧିତ୍ବ କରୁଛି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆୱାର୍ଡ କାଟାଗୋରୀରେ ଅନ୍ତର୍ଭୁକ୍ତ କରିଥିବାରୁ ମୁଁ ଭାରତୀୟ ଜାତୀୟ ସିନେ ଏକାଡେମୀକୁ ଧନ୍ୟବାଦ ଜଣାଉଛି। ଏତେ ବଡ଼ ବଡ଼ କଳାକାରଙ୍କ ଆଗରେ ଏହି ସମ୍ମାନଜନକ ଆୱା‌ର୍ଡ ଗ୍ରହଣ କରିବା କୌଣସି ସ୍ବପ୍ନଠାରୁ କମ ନୁହେଁ।

 

ଠିକ୍ ସେହିପରି ତୃପ୍ତି କହିଥିଲେ ଯେ, “ଏହା ମୋ ଜୀବନର ପ୍ରଥମ ଆୱାର୍ଡ। ୨୦୨୩ ପର୍ଯ୍ୟନ୍ତ ମୁଁ ଜଣେ ଗଣିତ ଶିକ୍ଷୟତ୍ରୀ ଥିଲି। ଏହାପରେ ମୁଁ ମୋ ସ୍ବାମୀଙ୍କ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହେଲି। ଏହି ଆୱାର୍ଡ ପାଇଁ ମୁଁ ସମଗ୍ର ଓଡ଼ିଶାବାସୀଙ୍କୁ ଧନ୍ୟବାଦଦେବି। ଜୟ ଜଗନ୍ନାଥ।”

ନିଜ ପତ୍ନୀ ତଥା ପ୍ରଯୋଜିକା ତୃପ୍ତିଙ୍କୁ ଧନ୍ୟବାଦ ଜଣାଇ ବାବୁଶାନ କହିଥିଲେ ଯେ, ମୋ ଉପରେ ଭରସା କରିଥିବାରୁ ସମଗ୍ର ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ଏହି ଆୱାର୍ଡ ପାଇ ମୁଁ ଧନ୍ୟ ଏବଂ ସମ୍ମାନିତ ଅନୁଭବ କରୁଛି। ଜୟ ଜଗନ୍ନାଥ।

ସୂଚନାଯୋଗ୍ୟ, ବୋଉ ବୁଟୁ ଭୂତ ଜୁନ୍ ୧୨, ୨୦୨୫ରେ ଓଡ଼ିଶାରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ପରିବର୍ତ୍ତନ ଆଣିଥିଲା। ବଲିଉଡ ଫିଲ୍ମ ହାଉସଫୁଲ୍ ୫ ଏବଂ ସୀତାରେ ଜମିନ୍ ପର ଭଳି ବଡ଼ ଫିଲ୍ମ ସହିତ ପ୍ରତିଯୋଗିତା କରିବା ସତ୍ତ୍ୱେ, ଏହି ହରର୍-ଥ୍ରିଲର୍-କମେଡି ଫିଲ୍ମ ସର୍ବକାଳୀନ ସର୍ବାଧିକ ଆୟକାରୀ ଓଡ଼ିଆ ଚଳଚ୍ଚିତ୍ର ହୋଇପାରିଥିଲା। ଫିଲ୍ମରେ ବାବୁଶାନଙ୍କ ବ୍ୟତୀତ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅପରାଜିତା ମହାନ୍ତି ଓ ଅର୍ଚ୍ଚିତା ସାହୁ।  ‘ଗ୍ୟାଙ୍ଗସ୍‌ ଅଫ୍ ପୁରୀ’ ଫେମ୍ ଜଗଦୀଶ ମିଶ୍ର ‘ବୋଉ ଭୁଟ୍ଟୁ ଭୂତ’ର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ମହମ୍ମଦ ଇମ୍ରାନ୍। ପ୍ରଣବପ୍ରସନ୍ନ ରଥ ଏହାର ସଂଳାପ ରଚନା କରିଥିବା ବେଳେ ପ୍ରଯୋଜନା କରିଥିଲେ ତୃପ୍ତି ଶତପଥୀ। ବାବୁଶାନ୍ ଫିଲ୍ମସ୍‌ ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରବ ଆନନ୍ଦ।

‘ଅନନ୍ତା’ର ନିର୍ଦ୍ଦେଶନା ଦେଇଥିଲେ ସବ୍ୟସାଚୀ ମହାପାତ୍ର ଓ କୁମାର ସି ଦେବ ମହାପାତ୍ର। ଏହି ଚଳଚ୍ଚିତ୍ରରେ ଫକୀର ମୋହନଙ୍କ କାଳଜୟୀ ଚରିତ୍ର ‘ଅନନ୍ତା’ ଭୂମିକାରେ ନଜର ଆସିଥିଲେ  ଅଭିନେତା ସବ୍ୟସାଚୀ ମିଶ୍ର। ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ସୂର୍ଯ୍ୟମୟୀ।  ଏଥିରେ କୁନା ତ୍ରିପାଠୀ, ଜ୍ୟୋର୍ତିମୟୀ ପଣ୍ଡା ଓ ତାପସ ସରଘରିଆ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ଡକ୍ଟର ରଜନରରଂଜନ ଏହାର ସଂଳାପକାର ଓ ଅଭିଜିତ୍ ମଜୁମଦାର ସଂଗୀତକାର।

 

Post Views49 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!