ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ଏବେ ଉଠୁଛି ପଡୁଛି ଓଡ଼ିଶା ରାଜନୀତି । କେବଳ ଆଗୁଆ ନିର୍ବାଚନ ନୁହେଁ ବରଂ ବିଜେପି-ବିଜେଡି ମେଣ୍ଟ ହେବା ନେଇ ଚର୍ଚ୍ଚା କିଛି କମ ନୁହେଁ । ଖାସକରି ବିଜେପି ନେତା ପ୍ରତିଦିନ ମେଣ୍ଟ ରାଜନୀତିକୁ ନେଇ ବୟାନବାଜି କରୁଥିବାର ଦେଖିବାକୁ ମିଳୁଛି । ଦଳର କେନ୍ଦ୍ରମନ୍ତ୍ରୀ ମଧ୍ୟ ଓଡ଼ିଶା ଗସ୍ତରେ ମେଣ୍ଟକୁ ନେଇ ବୟାନ ରଖୁଛନ୍ତି । ଭିତିରିଆ ଯାହା ଚର୍ଚ୍ଚା ହେଉଛି ତାହା ହେଲା, ବିଜେପି ନେତାଏ ମୁହଁରେ ଗୋଟିଏ କଥା କହୁଛନ୍ତି କିନ୍ତୁ ମନ ଭିତରେ ଭିନ୍ନ କଥା ଚାହୁଁଛନ୍ତି । ବିଜେଡି ସହ ମିତ ବସିବାକୁ ବିଜେପି ନେତାଏ ଗୋଡ ଟେକି ବସିବାକୁ ଚାହିଁ ରହିଥିବା କୁହାଯାଉଛି ।
ଏପରିକି ବିଜେପି ଚାଣକ୍ୟ ଅମିତ ଶାହା ମଧ୍ୟ କାଳେ ଏହି ମେଣ୍ଟ ପ୍ରସ୍ତାବ ନେଇ ଓଡ଼ିଶା ଆସିଥିଲେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମେଣ୍ଟ ରାଜନୀତି ପାଇଁ ମନା କରିଥିବା କୁହାଯାଉଛି । ଆଉ ଏହାପରେ ବିଜେପି ନେତାଏ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ନ୍ୟାୟରେ ଆମେ ମେଣ୍ଟ କରିବାକୁ ଚାହୁଁନୁ ବୋଲି କହି ବୁଲୁଥିବା ଶୁଣିବାକୁ ମିଳୁଛି ।
୨୦୨୪ରେ ଓଡ଼ିଶାରେ ପୁଣିଥରେ ନବୀନ ପଟ୍ଟନାୟକ ସରକାର ଗଠନ କରିବେ, ଏନେଇ ରାଜନୈତିକ ପଣ୍ଡିତ ମାନେ ଭବିଷ୍ୟବାଣୀ କଲେଣି । ଏପରିକି ଦଳ ଗତ ୫ ନିର୍ବାଚନ ଅପେକ୍ଷା ଏହି ନିର୍ବାଚନରେ ଅଧିକ ଆସନ ହାତେଇବ ବୋଲି ମଧ୍ୟ ରାଜନୈତିକ କରିଡରରେ ଚର୍ଚ୍ଚା । ଯେଉଁଥିପାଇଁ ଦଳ ତୃଣମୂଳସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ସହ ସିକ୍ରେଟ ସର୍ଭେ କରି ଉପଯୁକ୍ତ ପ୍ରାର୍ଥୀ ଖୋଜା ଅଭିଯାନ ମଧ୍ୟ ଜାରି ରଖିଛି । ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରି ଦଳ ଏବେ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲାଣି । ଅନ୍ୟପଟେ ରାଜ୍ୟରେ ବିଜେପିର ସ୍ଥିତି ଫମ୍ପା ମାଠିଆ ଭଳି ବୋଲି କୁହାଯାଏ । ଦଳୀୟ ନେତା ଭୁବନେଶ୍ୱରରେ ଜୋରଦାର ଗର୍ଜନ କରନ୍ତି କିନ୍ତୁ ରାଜଧାନୀ ବର୍ଡର ପାର କରିବା ମାତ୍ରେ ଦଳର ବାସ୍ତବ ସ୍ଥିତି କଣ ତାହା ଜାଣି ପୂରା ମୌନ ହୋଇ ଯାଆନ୍ତି । ମନମୋହନ ଦଳର ଦାୟିତ୍ୱ ନେବା ପରେ ବିଜେପି ଏବେ ବ୍ୟାକଫୁଟକୁ ଆହୁରି ଠେଲି ହୋଇ ଯାଉଥିବା କୁହାଯାଉଛି ।
ଦଳ ଭିତରେ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ଧାରଣ କରିଥିବା ନେଇ ଶୁଣିବାକୁ ମିଳୁଛି । ଏପରିକି ବିଜେପି ଆଗାମୀ ନିର୍ବାଚନରେ ୨୦୧୯ ଫଳାଫଳର ପୁନରାବୃତ୍ତି କରିପାରିବନି ବୋଲି ଦଳୀୟ ମହଲରେ ଟୁପୁରୁଟାପୁର ହେଲେଣି । ଏଭଳି ସ୍ଥିତିରେ ବିଜେଡି ପିଠିରେ ଲାଉ ହୋଇ ନିର୍ବାଚନ ବୈତରଣୀ ପାର ହେବାକୁ ଦଳର ଏକ ଗୋଷ୍ଠୀ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ପ୍ରସ୍ତାବ ଦେଇଥିଲେ ବୋଲି କୁହାଯାଉଛି ।
ବିଜେଡି ସହ ମିତ ନ ବସିଲେ ଓଡ଼ିଶାରେ ବିଜେପିର ଖାତା ଖତିଆନ ରହିବନି ବୋଲି ଦିଲ୍ଲୀକୁ ଖବର ଦିଆଯାଇଥିଲା ବୋଲି କୁହାଯାଉଛି । ଯେଉଁଥିପାଇଁ ବିଜେଡି ସହ ମେଣ୍ଟ କରିବାକୁ ଦିଲ୍ଲୀରୁ ପ୍ରସ୍ତାବ ଆସିଥିବା ନେଇ ଚର୍ଚ୍ଚା ହେଉଛି । ଯାହାକୁ ନବୀନ ଅତି ଭଦ୍ରାମୀର ସହ ଏଡାଇ ଦେଇଥିବା କୁହାଯାଉଛି । ଏପରିକି ଦଳର ବିଧାୟକ ଓ ନେତା ମଧ୍ୟ ସ୍ପଷ୍ଟ କରି ସାରିଛନ୍ତି ଯେ, ଓଡ଼ିଶାବାସୀଙ୍କ ଆଶୀର୍ବାଦ ବଳରେ ଏକାକୀ ଲଢିବାକୁ ବିଜେଡି ପାଖରେ ଯଥେଷ୍ଟ କ୍ଷମତା ଅଛି । ତେଣୁ କାହାକୁ ମିତ କରିବାର ଆବଶ୍ୟକତା ନାହିଁ ବୋଲି ଦଳୀୟ ନେତା ରୋକଠୋକ କହୁଛନ୍ତି ।



