କଂଗ୍ରେସକୁ ଫେରିବେ ସୌମ୍ୟ ?

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ଦଳରେ ଏକପ୍ରକାର କୋଣଠେସା ହୋଇ ରହିଥିବା ଚର୍ଚ୍ଚା ହେଉଛି । ନିଜର ଅମାନିଆ ତୁଣ୍ଡ ପାଇଁ କାଳେ ସୌମ୍ୟ ମନ୍ତ୍ରୀପଦରୁ ବଞ୍ଚିତ ହୋଇଥିବା କୁହାଯାଏ । ଏପରିକି ଆଗାମୀ ନିର୍ବାଚନରେ ସୌମ୍ୟଙ୍କୁ ବିଜେଡିରୁ ଟିକେଟ ମିଳିବ କି ନାହିଁ ତାହା ବି ସନ୍ଦେହରେ । ଯାହା ଏବେ ସୌମ୍ୟଙ୍କ ଚିନ୍ତା ବଢାଇ ଦେଇଥିବା କୁହାଯାଉଛି । ତେବେ ନିଜ ରାଜନୈତିକ କ୍ୟାରିୟରକୁ ଆଗକୁ ନେବା ପାଇଁ ସୌମ୍ୟ ଏବେ ବିକଳ୍ପ ପନ୍ଥା ଆପଣାଇବାକୁ ମନସ୍ଥିର କରିଥିବା ଶୁଣିବାକୁ ମିଳୁଛି । ବିଜେଡି ଟିକେଟ ନଦେଲେ ବି ସୌମ୍ୟ ପୁଣିଥରେ ନିର୍ବାଚନ ଲଢିବେ ଓ ତାହା ବି ପୁଣି ପୁରୁଣା ଦଳରୁ ବୋଲି ଚର୍ଚ୍ଚା ହେଉଛି । ତେବେ କେଉଁ ପୁରୁଣା ଦଳରୁ ସୌମ୍ୟ ପୁଣିଥରେ ରାଜନୀତି ମୈଦାନକୁ ଓହ୍ଲାଇବେ ତାହାକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

ସୌମ୍ୟ ବିଜେଡିକୁ ଆସିବା ପୂର୍ବରୁ ବିଜେପି, କଂଗ୍ରେସ ଏବଂ ନିଜେ ଗଢିଥିବା ଆମ ଓଡ଼ିଶା ପାର୍ଟିରୁ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରି ଫେଲ ମାରିଛନ୍ତି । ଏପରିକି ବିଜେଡିରେ କୋଣଠେସା ହେବା ପରେ ସୌମ୍ୟ ପ୍ରଥମେ ବିଜେପିକୁ ଯିବାକୁ ଜଣେ ତୁଙ୍ଗ ନେତାଙ୍କ ସହ ଡିଲ୍ ଆରମ୍ଭ କରୁଥିଲେ ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ କୌଣସି କାରଣବସତଃ ବିଜେପି ସହ ସୌମ୍ୟଙ୍କର ଡିଲ ଫାଇନାଲ ହୋଇନଥିବା କୁହାଯାଉଛି । କାରଣ ବିଜେପିରେ ସାମିଲ ହେବାକୁ ସୌମ୍ୟ ଯେଉଁ ସର୍ତ୍ତ ରଖିଥିଲେ ତାହାକୁ ଦିଲ୍ଲୀରୁ ରେଡ୍ ସିଗନାଲ ମିଳିଥିବା ଶୁଣିବାକୁ ମିଳୁଛି ।


ଅନ୍ୟପଟେ ବିଜେପିରେ ଡିଲ୍ ଫାଇନାଲ ନ ହେବା କାରଣରୁ ଏବେ ସୌମ୍ୟ କାଳେ କଂଗ୍ରେସ ମୁହାଁ ହୋଇଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଗତ କେଇ ଦିନ ତଳେ ସୌମ୍ୟ ନିଜ ଶ୍ୱଶୁର ତଥା ଦିବଙ୍ଗତ କଂଗ୍ରେସ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳର ଉଚ୍ଚ ପ୍ରଂଶସା କରିଥିବା କୁହାଯାଉଛି ।

ଅତୀତକୁ ଭୁଲି ଭବିଷ୍ୟତ ପାଇଁ ପୁଣିଥିରେ କଂଗ୍ରେସକୁ କମବ୍ୟାକ୍ କରିବାକୁ ସୌମ୍ୟ କମର କଷିଥିବା କୁହାଯାଉଛି । ଏପରିକି ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ ନିଲମ୍ବିତ ହେବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ସୌମ୍ୟଙ୍କୁ ପୁଣିଥରେ କଂଗ୍ରେସକୁ ଫେରାଇ ଆଣିବାକୁ ପଟ୍ଟନାୟକ ବ୍ରଦର କାଳେ ଜୋରସୋର ଉଦ୍ୟମ ଚଳାଇଥିବା ଶୁଣିବାକୁ ମିଳୁଛି । ଯଦି ସବୁ କିଛି ଠିକ୍ ଚାଲେ ତେବେ ଆସନ୍ତା କେଇ ମାସ ମଧ୍ୟରେ ସୌମ୍ୟଙ୍କୁ କଂଗ୍ରେସର ହାତ ଧରିଥିବାର ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ଏହାଛଡା ସୌମ୍ୟଙ୍କୁ କଂଗ୍ରେସରୁ ହଟାଇଥିବା ମୁଣ୍ଡ ଏବେ ଦଳରୁ ନିର୍ବାସିତ ହୋଇଛନ୍ତି । ତେଣୁ ପୁଣିଥରେ ସୌମ୍ୟ କଂଗ୍ରେସକୁ ଫେରିବାରେ କୌଣସି ବାଧକ ନଥିବା ଚର୍ଚ୍ଚା ହେଉଛି ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!