ରାଜ୍ୟର ଚର୍ଚ୍ଚିତ ପ୍ରଶାସକରୁ ସଫଳ ରାଜନେତା ପାଲଟିଥିବା ରାଜନେତାବର୍ଗରେ ନଳିନୀକାନ୍ତ ପ୍ରଧାନଙ୍କ ସ୍ୱତନ୍ତ୍ର ପରିଚୟ । ସାଂଗଠନିକ ଦକ୍ଷତାରେ ପାରିଲାପଣ, ଲୋକ ସମ୍ପର୍କରେ ପଟୁତା, ଅପ୍ରତିହତ ରାଜନୈତିକ ରଣନୀତି, ବିରୋଧୀ ଦମନ କୌଶଳ ତଥା ଦଳର ସୁପ୍ରିମୋଙ୍କ ଭରସାରୁ ଆଠମଲ୍ଲିକ ବିଧାନସଭା ଆସନରେ ବିଜେଡି ପକ୍ଷରୁ ମୈଦାନକୁ ଓହ୍ଲାଇଛନ୍ତି ଦକ୍ଷ ଯନ୍ତ୍ରୀରୁ ଲୋକପ୍ରିୟ ରାଜନେତା ପାଲଟିଥିବା ନଳିନୀକାନ୍ତ ପ୍ରଧାନ। ୨୦୧୯ ମସିହାରେ ପୂର୍ତ୍ତ ବିଭାଗ ସଚିବ ପଦରୁ ଇସ୍ତଫା ଦେଇ ସେ ରାଜନୀତିରେ ପାଦ ଥାପିଥିଲେ । ନିଜ ରାଜନୈତିକ ଜୀବନର ପ୍ରଥମ ଲଢ଼େଇରେ ପରାଜିତ ହୋଇଥିଲେ ମଧ୍ୟ ହତାଶ ନହୋଇ ପରବର୍ତ୍ତୀ ସମୟରେ ନିଜର ପରାଜୟ ଅନୁଭୂତିରୁ ନୂତନ ଶିକ୍ଷା ଲାଭ କରି ବିଜେଡି ପଲଟିକାଲ ଗୁଡ଼ବୁକରେ ଭଲ ସ୍କୋର ରଖିଥିବାରୁ ତାଙ୍କୁ ଲୋକସଭା ଆସନ ପରେ ଚଳିତ ନିର୍ବାଚନରେ ଦଳ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ସ୍ଥାନରେ ନଳିନୀଙ୍କ ଉପରେ ଆସ୍ଥା ରଖି ଲଢ଼ିବା ପାଇଁ ଦଳ ସୁଯୋଗ ଦେଇଛି । ସମ୍ବଲପୁର ଲୋକସଭା ଆସନରେ ପରାଜିତ ହୋଇଥିଲେ ମଧ୍ୟ ଏଥର ଆଠମଲ୍ଲିକ ଆସନରୁ ବିଧାୟକ ହେବାର ସମ୍ଭାବନା ଯଥେଷ୍ଟ ରହିଛି।
ନଳିନୀଙ୍କ ଦଳପ୍ରତି ଉତ୍ସର୍ଗତା, ନୈତିକ ନେତୃତ୍ୱ ଦକ୍ଷତା, କର୍ମୀ ମହଲରେ ଆଦର, ସପକ୍ଷ ଓ ବିପକ୍ଷ ଉଭୟଙ୍କୁ ଏକତ୍ରିତ କରିବାର କଳା, ସଂଗଠନ ମଜଭୁତ ସହ ସଂଗଠନର କାୟାବୃଦ୍ଧି, ବିରୋଧୀ ଦଳକୁ ବିଚ୍ଛିନ୍ନ ଓ ଶକ୍ତିହୀନ କରିବା ଓ ତୃଣମୂଳସ୍ତରରୁ ଦଳର ଏକତାକୁ ବଜାୟ ରଖିବାରେ ନଳିନୀଙ୍କ ଦକ୍ଷତା କାରଣରୁ ଦଳ ତାଙ୍କୁ ଆଠମଲ୍ଲିକ ଗଡ଼ ସମ୍ଭାଳିବା ଦାୟିତ୍ୱ ଦେଇଛି ।
ରାଜନୈତିକ ଜୀବନରେ ଅନେକ ଉତ୍ଥାନ ପତନ ପରେ ମଧ୍ୟ ସେ ଅନେକ ହତାଶ ନହୋଇ ନୂଆ ଉତ୍ସାହ ନେଇ ସେ ଦଳ ପାଇଁ କାମ କରିବା ଛାଡ଼ିନାହାନ୍ତି। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକର ଅଙ୍ଗପଡ଼ା ପଞ୍ଚାୟତର ତୁରୁଡା ଗାଁର ମୂଳବାସୀନ୍ଦା ହେଉଛନ୍ତି ନଳିନୀ ପ୍ରଧାନ। ସମ୍ବଲପୁର ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଥିବାବେଳେ ନଳିନୀ ବହୁ ଗୋଷ୍ଠୀର ବିଭାଜିତ ସମ୍ବଲପୁର ଜିଲ୍ଲା ବିଜେଡି ସଂଗଠନକୁ ସଜାଡ଼ିବା, ଅନ୍ୟ ଦଳର ନେତାଙ୍କୁ ବିଜେଡିରେ ସାମିଲ କରିବା ଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ନେଇଥିଲେ । ଆଠମଲ୍ଲିକର ବିଜେଡି ଗଡ଼ ଭୁଶୁଡ଼ିରୁ ରକ୍ଷା କରିବାରେ ନଳିନୀଙ୍କ ରଣନୀତିକୁ ଦଳରେ ପ୍ରଶଂସା କରାଯାଇଥିଲା। ଆଠମଲ୍ଲିକରେ ତାଙ୍କର ଲୋକପ୍ରିୟତା, ସେ ଅଞ୍ଚଳର ବାସିନ୍ଦା ଓ ମଜଭୁତ ସଂଗଠନ କାରଣରୁ ତାଙ୍କୁ ଏହି ଆସନରେ ଲଢ଼ିବା ପାଇଁ ଟିକେଟ ପ୍ରଦାନ କରିଛି ବିଜେଡି । ନଳିନୀଙ୍କ ରଣନୀତିକୁ ପାଥେୟ କରି ଦଳ ସମ୍ବଲପୁରରେ ସ୍ଥିତି ମଜଭୁତ କରିଥିବା ବେଳେ ଆଠମଲ୍ଲିକରେ ତାଙ୍କୁ ଟିକେଟ ଦେଇ ଆଠମଲ୍ଲିକ ଅକ୍ତିଆର କରିବା ଏକ ପ୍ରକାର ସ୍ଥିର ନିଶ୍ଚିତ କରିଛି । ତେବେ ବିଜେଡିରୁ ଇସ୍ତଫା ଦେଇଥିବା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ବିଜେପିରେ ଯୋଗଦେବା ପରେ ନଳିନୀ ଓ ରମେଶଙ୍କ ମଧ୍ୟରେ ଏକ ରୋଚକ ଫାଇଟ ଦେଖିବାକୁ ମିଳିପାରେ।
ରାଜ୍ୟର ଜଣେ ସୁପରିଚିତ, ନାମକରା ପ୍ରଶାସକ ନଳିନୀକାନ୍ତ ପ୍ରଧାନ । ସେ ପୂର୍ତ୍ତ ସଚିବ ଥିବା ସମୟରେ ତାଙ୍କ କାର୍ଯ୍ୟଦକ୍ଷତା ଦେଖି ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ 1 ବର୍ଷ ମଧ୍ୟ ବୃଦ୍ଧି କରିଥିଲେ। ସେ ପୂର୍ତ୍ତ ସଚିବ ଥିବା ସମୟରେ କଟକ-ଭୁବନେଶ୍ୱରକୁ ସଂଯୋଗ କରୁଥିବା 2.81 କିଲୋମିଟରର ନେତାଜୀ ସୁଭାଷଚନ୍ଦ୍ର ବୋଷ ସେତୁ, ଝାରସୁଗୁଡ଼ା-ସମ୍ବଲପୁରକୁ ସଂଯୋଗ କରୁଥିବା 2.5 କିଲୋମିଟର ଲମ୍ବର ସେତୁ, ଗୁରୁପ୍ରିୟା ସେତୁ, ବମିଖାଲ ଏବଂ ପଳାଶପଲ୍ଲୀ ସେତୁ କାର୍ଯ୍ୟକ୍ଷମ ହୋଇଥିଲା । ୨୦୧୮ ମାର୍ଚ୍ଚ ମାସରେ ନଳିନୀଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କିନ୍ତୁ ୨୦୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ତେବେ ସେ ମାର୍ଚ୍ଚ 1. 2019ମାସକୁ ଆଗରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଇଥିଲେ । ୨୦୧୯ ମସିହା ନିର୍ବାଚନରେ ଅନୁଗୁଳ ଜିଲ୍ଲାରେ ଜନ୍ମିତ ଓ ସମ୍ବଲପୁରରେ ବହୁ ସମୟ ବିତାଇଥିବା ବିଜେଡି ପ୍ରାର୍ଥୀ ହୋଇଥିଲେ ନଳିନୀକାନ୍ତ ପ୍ରଧାନ। ତାଙ୍କୁ ଛେଣ୍ଡିପଦା ଓ ଆଠମଲ୍ଲିକରୁ ଅଧିକ ଭୋଟ ମିଳିଥିଲେ ହେଁ ସମ୍ବଲପୁର ଜିଲ୍ଲାରୁ ଆଶାନୁରୂପ ଭୋଟ ନ ମିଳିବା ଯୋଗୁ ସେ ପରାଜିତ ହୋଇଥିଲେ। ସେ ୪ଲକ୍ଷ ୬୪ ହଜାର ୬୦୮ଖଣ୍ଡ ଭୋଟ (୪୧.୩୨%) ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ୨୦୧୯ ନିର୍ବାଚନରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ୪ଲକ୍ଷ ୭୩ ହଜାର ୭୭୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନ ୪ଲକ୍ଷ ୬୪ ହଜାର ୬୦୮ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ମାତ୍ର ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନ ବିଶେଷ ଅଧିକ ନଥିଲା । ନୂଆ କରି ନିର୍ବାଚନ ଳଢି଼ ସ୍ୱଳ୍ପ ବ୍ୟବଧାନରେ ହାରିଥିଲେ ମାତ୍ର ତାଙ୍କର ରାଜନୈତିକ କୁଶଳୀ ଅଭିଜ୍ଞତାରୁ ଦଳ ତାଙ୍କୁ ଚଳିତ ବର୍ଷ ସେ ଆଠମଲ୍ଲିକ ବିଧାନସଭା ଆସନରେ ଯୋଦ୍ଧା କରିଛି।

