ଇଏ କେମିତିକା ମା’ ?

ଇଏ କେମିତିକା ମା’। ଦଶ ମାସ ଦଶ ଦିନ ଗର୍ଭ ଯନ୍ତ୍ରଣା ସହିଥିଲା । ଯେଉଁ ହାତରେ ପିଲାଙ୍କୁ ଆଣିଥିଲା ସଂସାରକୁ ସେହି ହାତରେ କୂଅରେ ପକାଇଦେଲା ମା । ଦୁଇ ଯାଆଁଳା ଶିଶୁଙ୍କୁ କୂଅରେ ପକାଇ କଲା ହତ୍ୟା ।  ରକ୍ତ ମାଂସ ଦେଇ ଛୁଆକୁ ଜନ୍ମ ଦେଲା । ଆଉ ସେଇ ମା’ ଆଜି ସାରା ଦୁନିଆ ଆଗରେ ପାଲଟି ଯାଇଛି ରାକ୍ଷସୀ । ଅନୁଗୁଳ ଜିଲ୍ଲା ମୁଣ୍ଡାଢ଼ିପ ଗାଁର ଏ ଘଟଣା ସମସ୍ତଙ୍କୁ କେବଳ ବିଚଳିତ କରିନି, ବ୍ୟଥିତ ମଧ୍ୟ କରିଛି । ପୋଲିସ ମା’କୁ ଅଟକ ରଖି ପଚରାଉଚରା ପରେ ସବୁ ସତ ସାମ୍ନାକୁ ଆସିଛି । ୧୨ ବର୍ଷ ତଳେ ବିବାହ କରିଥିଲେ ମୁଣ୍ଡାଢ଼ିପ ସାହିର ସୁନୀଲ ସାହୁ । ଏକ କୁକୁଡ଼ା ମାଂସ ଦୋକାନ ଦେଇ ପରିବାର ଚଳାନ୍ତି । ଅସୁସ୍ଥତା କାରଣରୁ ବଡ଼ ଭାଇ ବିବାହ କରି ନଥିବା ବେଳେ, ମଝିଆ ଭାଇଙ୍କର ମଧ୍ୟ ପିଲାଛୁଆ ନଥିଲା । ସୁନୀଲ ତପସ୍ବିନୀଙ୍କୁ ବିବାହ କରିବା ପରେ ତାଙ୍କ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ଉପୁଜିଥିଲା । ପିଲା ପିଲି ହେଉନଥିବାରୁ ତିନି ଭାଇଙ୍କ ପରେ ପରିବାରର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ସମସ୍ତେ ଚିନ୍ତାରେ ଥିଲେ । ପିଲାଟିଏ ପାଇବା ପାଇଁ ଚିକିତ୍ସାରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିଲେ । ଆଉ ଦୀର୍ଘ ୧୨ ବର୍ଷ ପରେ ତପସ୍ବିନୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଯାଆଁଳା ସନ୍ତାନ -ପୁଅ ସାଇ ଓ ଝିଅ ଶ୍ରଦ୍ଧା । ଦୀର୍ଘ ବର୍ଷ ପରେ ପରିବାରକୁ ଏକାବେଳେ ଦୁଇ ଦୁଇଟି ଶିଶୁ ଆସିଥିବାରୁ ଖୁସିରେ ଫାଟି ପଡିଥିଲା ପୂରା ପରିବାର । କିନ୍ତୁ ଏ ଖୁସି ମାତ୍ର ଅଳ୍ପ ଦିନ ବୋଲି କେହି ଭାବିନଥିଲେ । ବୁଧବାର ସନ୍ଧ୍ୟାରେ ଯାଆଁଳା ଶିଶୁଙ୍କ ମୃତଦେହ କୂଅରୁ ମିଳିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୂରା ପରିବେଶ ।

ଦୁଇ ଛୁଆଙ୍କୁ ଶୁଆଇ ଦେଇ ବାହାରକୁ ଯାଇଥିବା କହି ନିଜେ ଖୋଜାଖୋଜି କରିଥିଲା ମା’ ତପସ୍ବିନୀ । ପରିବାର ସହ ମିଶି ଦେଢ଼ ଘଣ୍ଟା ଖୋଜିବା ପରେ କୂଅ ଭିତରୁ ମିଳିଥିଲା ମୃତଦେହ । ଅନେକ ଦିନ ପରେ ଯେଉଁ ଘରେ ଖୁସିରେ ଲହରି ଖେଳିଥିଲା, ଯାଆଁଳା ଶିଶୁଙ୍କ ମୃତଦେହ ମିଳିବା ପରେ ସେହି ଘର କାନ୍ଦରେ ଫାଟି ପଡ଼ିଥିଲା । ଖବର ପାଇ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କଲା । ଛୁଆ ଦୁହିଁଙ୍କୁ କିଏ ଓ କାହିଁକି ହତ୍ୟା କଲା । ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା । ଘରେ ପରିବାର ଲୋକ ନଥିବାରୁ, ସନ୍ଦେହ ଘେରକୁ ଆସିଥିଲେ ମା’ ତପସ୍ବିନୀ । ପଚରାଉଚରା କରିବାରୁ ସବୁ ସତ ମାନିଥିଲେ ତପସ୍ବିନୀ । ମାନସିକ ଚିନ୍ତାଗ୍ରସ୍ତ ସହ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୁଇ ଛୁଆଁଙ୍କୁ ହତ୍ୟା କରିଥିଲେ ବୋଲି କହିଛି ଏହି ନିର୍ଦ୍ଦୟ ମା’ । ପିଲାଟିଏ ପାଇବା ପାଇଁ କେତେ ଦିଅଁ, କେତେ ମାନସିକ କରିଥାଏ ମା’ । ହେଲେ ଦୁଇ ଦୁଇଟି ସନ୍ତାନ ଲାଭ କରି କାହିଁକି ତପସ୍ବିନୀ ନେଲେ ଲୋମହର୍ଷକ ପଦକ୍ଷେପ, ତାହାକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା ।

Post Views50 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!