୨୪ ସିଂହାସନ ଲଢେଇରେ ଚର୍ଚ୍ଚାରେ ରାୟଗଡା । ରଣାଙ୍ଗନରେ ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର କରୁଥିବାବେଳେ ଆଗରେ ବିଜେଡି ରହିଥିବା ଚର୍ଚ୍ଚା ହେଉଛି । କାରଣ ଶାସକ ବିଜେଡି ପ୍ରଥମ କରି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୟା ମାଝୀ ନିର୍ବାଚନ ମଇଦାନରେ ଅଛନ୍ତି । ମହିଳା ପ୍ରାର୍ଥୀ ଏବଂ ନବୀନ ସରକାରଙ୍କ ବିକାଶ ନୀତି ଭୋଟରଙ୍କୁ ବିଜେଡି ଆଡ଼କୁ ଆକର୍ଷିତ କରୁଛି । ଅନ୍ଯପଟେ ଅନୁସୟାଙ୍କ ବିପକ୍ଷରେ ବିଜେପି ଦ୍ୱୀତିୟ ଥର ପାଇଁ ବସନ୍ତ ଉଲ୍ଲାକାଙ୍କୁ ବିଶ୍ୱାସକୁ ନେଇଥିବା ବେଳେ ୨୦୧୯ରେ ତୃତୀୟ ସ୍ଥାନରେ ଥିବା ଆପଲାସ୍ୱାମୀ କାଡ୍ରାକାଙ୍କୁ ପୁଣି ଥରେ ଭରସା କରିଛି ଜାତୀୟ କଂଗ୍ରେସ ।
ଏଥର ରାୟଗଡ ନିର୍ବାଚନ ମଣ୍ଡଳୀରେ ନୂଆ ଇତିହାସ ଲେଖିବା ଆଶାରେ ରହିଛି ବିଜେଡି । କାରଣ ପ୍ରଥମ ଥର ପାଇଁ ଦଳ ମହିଳା ପ୍ରାର୍ଥୀ ଭାବେ ଅନୁସୂୟା ମାଝୀଙ୍କୁ ଚୟନ କରିଛି । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୂୟା ମାଝୀଙ୍କୁ ରାୟଗଡ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବେ ଜୋରଦାର ପ୍ରଚାର କରୁଛନ୍ତି । ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ଅନନ୍ତ ରାମ ମାଝୀଙ୍କ ଝିଅ ଓ ପୂର୍ବତନ କଂଗ୍ରେସ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଭଉଣୀ ହେଉଛନ୍ତି ଅନୁସୂୟା । ସେ ଯେତେବେଳେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ସେତେବେଳେ ତାଙ୍କର ରାଜନୈତିକ ଅନୁଭୂତିକୁ ଉପଯୋଗ କରି ଦଳର ଶୀର୍ଷ ନେତୃବୃନ୍ଦଙ୍କ ଦୃଷ୍ଟିକୁ ଆସିଥିବା ବେଳେ ପ୍ରଥମେ ସେ ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ଭାବେ ଦାୟିତ୍ବ ତୁଲାଇ ସମସ୍ତଙ୍କର ପ୍ରିୟର ପାତ୍ର ହୋଇପାରିଥିଲେ ।
ପରେ ଅନୁସୂୟାଙ୍କୁ ରାୟଗଡା ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦ ଦିଆଯାଇଥିଲା ।ପ୍ରାର୍ଥୀ ହେବାପରେ ଅନସୂୟା କହିଛନ୍ତି , ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଦୃଷ୍ଟି ଦେଇଥାନ୍ତି । ତେବେ ରାୟଗଡା ନିର୍ବାଚନ ମଣ୍ଡଳୀରେ ପ୍ରଥମଥର ପାଇଁ ମହିଳା ପ୍ରାର୍ଥୀ ପାଇଁ ଭାବେ ତାଙ୍କୁ ଚୟନ କରାଯାଇଛି । ଦୀର୍ଘ ୮ ବର୍ଷ ଧରି ଦଳରେ ସଭାନେତ୍ରୀ ଭାବେ ସେ କାମ କରିଆସୁଛନ୍ତି । ଆଗାମୀ ନିର୍ବାଚନରେ ବିଜେଡି ସରକାରଙ୍କ ଜନହିତକର ଯୋଜନା ଓ କାମକୁ ଲୋକଙ୍କ ପାଖରେ ପହଞ୍ଚାଇ ଭୋଟ ଭିକ୍ଷା କରୁଛନ୍ତି ବୋଲି କହିଛନ୍ତି । ବିଜେଡ଼ି ସୁପ୍ରିମୋ ଅନୁସୟାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଟିକେଟ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜଣାଇଛନ୍ତି ।
କାଶିପୁର ଓ ରାୟଗଡା ସଦରକୁ ନେଇ ଗଠିତ ରାୟଗଡ଼ାରେ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୫୦ ହଜାର ୫୬୬ । ଆଦିବାସୀ ଭୋଟର ସର୍ବାଧିକ । ତେଣୁ ସେମାନେ ଯାହାକୁ ଆଶୀର୍ବାଦ କରିବେ ସେ ବିଜୟ ମୁକୁଟ ପିନ୍ଧିବା ନିଶ୍ଚିନ୍ତ ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ । ୨୦୧୯ରେ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କ ହାତକୁ ଯାଇଥିଲା ରାୟଗଡ଼ା ଆସନ । ଦିନେ କଂଗ୍ରେସର ଅଭେଦ୍ୟ ଗଡ ଭାବେ ପରିଚିତ ଥିଲା ଏହି ଆସନ । କିନ୍ତୁ ୨୦୦୯ରୁ କଂଗ୍ରେସ ଏଠି ବାରମ୍ବାର ପରାଜିତ ହେଉଥିବା ବେଳେ ବିଜେପି ବୁଲକୁଲ୍ ଖାତା ଖୋଲି ପାରିନାହିଁ ।

