୨୦୨୪ ନିର୍ବାଚନୀ ରଣରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି କେନ୍ଦୁଝର ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ଆନନ୍ଦପୁର ନିର୍ବାଚନମଣ୍ଡଳୀ । ଚବିଶ ଲଢ଼େଇରେ ରାଜ୍ୟର ଅନେକ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡିକୁ ଅପ୍ରତ୍ୟାଶିତ, ଆଶ୍ଚର୍ଯ୍ୟାନ୍ୱିତ ଓ ଆଚମ୍ବିତ କରିଲା ଭଳି ରେଜଲ୍ଟ ମିଳିବ । ତନ୍ମଧ୍ୟରୁ ଆନନ୍ଦପୁର ଅନ୍ୟତମ। ଆନନ୍ଦପୁର ଆସନ ଏଥର ବିଜେଡି ହାତରୁ କଂଗ୍ରେସ ହାତକୁ ଯିବା ନେଇ ରାଜନୈତିକ ବିଶ୍ଲେଷକଙ୍କ ଆକଳନ ରହିଛି । ଏଥର ପୁଣି ଥରେ ଆନନ୍ଦପୁରରେ ଜୟଦେବ ନାରା ଜୋର ଧରିଛି । ଏହି ଆସନରେ ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ଦଶମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ତାଙ୍କ ବିପକ୍ଷରେ ବିଜେଡି ଅଭିମନ୍ୟୁ ସେଠୀ ଓ ବିଜେପି ଆଲୋକ କୁମାର ସେଠୀଙ୍କୁ ଟିକେଟ ଦେଇଛି । ଆନନ୍ଦପୁରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା, କଡ଼ା ମୁକାବିଲା ଦେଖିବାକୁ ମିଳିପାରେ। ମାତ୍ର ୨୪ରେ ପୁଣିଥରେ ଜୟଦେବଙ୍କ ଜୟଯାତ୍ରା ଆରମ୍ଭ ହେବ !
ଜୟଦେବ କ୍ରମାଗତ ପରାଜୟ ପରେ ମଧ୍ୟ ଆନନ୍ଦପୁରରେ ପୂର୍ବ ବିଜୟୀ ପ୍ରାର୍ଥୀଙ୍କ ଠାରୁ ନିର୍ବାଚନ ମଣ୍ଡଳୀରେ ଅଧିକ ସକ୍ରିୟ ଓ ଲୋକପ୍ରିୟ । ପୁରୁଖା ଓ ପ୍ରବୀଣ ନେତା ଭାବରେ ତାଙ୍କର ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କୁ ସମାଲୋଚନା ସର୍ବଦା ଗଣମାଧ୍ୟମରେ ହେଡଲାଇନ ପାଲଟେ । କ୍ଷମତା ଠାରୁ ଦୂରରେ ଥାଇ ମଧ୍ୟ ଅଞ୍ଚଳର ବାସ୍ତବ ସମସ୍ୟା ଜନିତ ପ୍ରସ୍ତାବକୁ ସମାଧାନ ନିମନ୍ତେ ବାରମ୍ବାର ସ୍ୱର ଉତ୍ତୋଳନ କରିବା, ଲୋକଙ୍କ ସୁଖ ଦୁଃଖରେ ସାମିଲ ରହିବା ଜୟଦେବଙ୍କ ପାଇଁ ଚବିଶ ବିଜୟକୁ ସହଜ କରିପାରେ । ତେବେ ସବୁଠୁ ବଡ଼ କଥା ହେଲା ତାଙ୍କ ପ୍ରିୟ ପୁତ୍ର ସଂଗ୍ରାମ ଜେନାଙ୍କର କୋରୋନାରେ ଦେହାନ୍ତ ହୋଇଥିବାବେଳେ ସେ ଦୁଃଖରୁ ବାହାରି ଲୋକସେବାରେ ନିଜକୁ ସମର୍ପି ଦେଇଥିବା ନେତା ହେଉଛନ୍ତି ଜୟଦେବ ଜେନା। ଦିନେ ସଂଗ୍ରାମ ହିଁ ତାଙ୍କର ରାଜନୈତିକ ଉତ୍ତରାଧିକାରୀ କୁହାଯାଉଥିବାବେଳେ ଚଳିତ ନିର୍ବାଚନ ତାଙ୍କ ବିନା ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛନ୍ତି ଜୟଦେବ ଜେନା। ଯାହାକି ତାଙ୍କର ଆନନ୍ଦପୁର ଅଞ୍ଚଳ ପ୍ରତି ଥିବା ଭଲପାଇବା ହିଁ ଦର୍ଶାଉଛି।
ବର୍ତ୍ତମାନ ବିଜେପି ଓ ବିଜେଡି ମିଳିତ ଭାବେ ଦେଶ ଏବଂ ରାଜ୍ୟକୁ ଲୁଣ୍ଠନ କରିବା ସହିତ ଦେଶର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି । ରାଜ୍ୟର ଆର୍ଥିକ ଦୁଃସ୍ଥିତି ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି । ବେକାରୀ, ଗରିବି, ଅଭାବ, ଅସୁବିଧା, ଦାରିଦ୍ର୍ୟ, ଦରଦାମ ମହଙ୍ଗା ଆଦି ବିଜେଡିର ଦୀର୍ଘ ଦିନର ଶାସନରେ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ବିଫଳ ଯୋଜନା ଓ ଅପାରଗତା, ବିଜେପିର ଶାସନତନ୍ତ୍ରକୁ ସହଯୋଗ, ଦୀର୍ଘ ଦିନରୁ ଅବହେଳିତ ଆନନ୍ଦପୁରର ବିକାଶ ଓ ଉନ୍ନତି ଦିଗରେ ସରକାରଙ୍କ ବାଧାକୁ ଦୂରୀଭୂତକୁ ଆଧାର କରି ଭୋଟ ଭିକ୍ଷା କରିବେ ଜୟଦେବ ।
୧୯୫୧ ମସିହାରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଜୟଦେବ ଜେନା ୧୯୮୦ ମସିହାରେ ପ୍ରଥମ ଥର ପାଇଁ କଂଗ୍ରେସ (ଆଇ)ର ପ୍ରାର୍ଥୀ ଭାବରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ଏଥିରେ ସେ ସଫଳ ହେବା ସହ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୮୫ ରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜୟ ହୋଇଥିଲେ ଜୟଦେବ। ପରେ ୧୯୯୦ ରେ ପରାଜୟ ଲାଭ କରିଥିବାବେଳେ ୧୯୯୫ ମସିହାରେ ପୁଣି ଥରେ ଆନନ୍ଦପୁର ଆସନରୁ ଜିତି ତୃତୀୟ ଥର ପାଇଁ ବିଧାନସଭାକୁ ଯାଇଥିଲେ ଜୟଦେବ ଜେନା। ପରେ ୨୦୦୦ ମସିହାରେ ହାରି ଥିଲେ ମଧ୍ୟ ୨୦୦୪ ମସିହାରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ସେ ୨୫,୨୦୬ ଖଣ୍ଡ ଭୋଟରେ ପରାଜିତ କରିଥିଲେ। କିନ୍ତୁ ୨୦୦୯, ୨୦୧୪ଓ ୨୦୧୯ରେ ସେ ଲଗାତାର ଆନନ୍ଦପୁରରୁ ପରାଜିତ ହୋଇଥିଲେ । ୨୦୧୪ ମସିହାରେ ବିଧାନସଭା ନିର୍ବାଚନରେ ଜୟଦେବ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୦,୨୯୬ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ଏହି ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ମାୟାଧର ଜେନା ସମୁଦାୟ ୮୨,୫୨୦ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୫,୬୫୭ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ଏହି ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାଗିରଥୀ ସେଠୀ ସମୁଦାୟ ୮୯,୮୫୦ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ।
ପରାଜୟ ପରେ ମଧ୍ୟ ସେ ଆନନ୍ଦପୁରକୁ କେବେ ହେଲେ ନିଜ ଠାରୁ ଅଲଗା କରିନାହାଁନ୍ତି। ପର୍ବପର୍ବାଣୀ, ବିବାହ, ବାର୍ଷିକୀ, ଅଷ୍ଟପ୍ରହରୀ, ନାମଯଜ୍ଞ ସବୁଥିରେ ସେ ଯୋଗଦେଇଛନ୍ତି । ଜୟଦେବଙ୍କ ମନ, ପ୍ରାଣରେ ଆନନ୍ଦପୁର ଥିବା ବେଳେ ଆନନ୍ଦପୁରବାସୀଙ୍କ ସେବାରେ ତାଙ୍କର ଆନନ୍ଦ ଥିବା ଅନେକ ଥିବା ପ୍ରମାଣ ଦେଇଛନ୍ତି । ନିରନ୍ତର ଆନନ୍ଦପୁରରେ ସେବାରେ ନିଜକୁ ଉତ୍ସର୍ଗ କରିବା ଓ ଆନନ୍ଦପୁରରେ ଦୁଇଥରର ବିଜେଡି ବିଧାୟକ ଭାଗିରଥୀ ସେଠୀଙ୍କ ବିଜେଡି ଛାଡ଼ିବା ଓ ବିଜେଡି ସଂଗଠନ ଦୁର୍ବଳ ହେବା ଆଦି ଅନେକ ସଂଯୋଗ ଆନନ୍ଦପୁରରେ ଏଥର ଜୟଦେବଙ୍କ ବିଜୟ ହେବ ବୋଲି ଆଲୋଚନା ଜୋର ଧରିଛି।

