ଦୁଇ ଦଶନ୍ଧି ଧରି ଢେଙ୍କାନାଳ ରାଜନୀତିର ପରିଚିତ ଚେହେରା ସୁଧୀର ସାମଲ । କଂଗ୍ରେସ ରାଜନୀତିରୁ ନିଜ କ୍ଯାରିଅର ଆରମ୍ଭ କରିଥିବା ସୁଧୀର ଏବେ ବିଜୁ ଜନତା ଦଳର ପାୱାରଫୁଲ ପଲିଟିକ୍ସିଆନଙ୍କ ମଧ୍ଯରୁ ଜଣେ । ଢେଙ୍କାନାଳ ରାଜନୀତିରେ ବେଶ୍ ଗୁରୁତ୍ବବହନ କରୁଥିବା ସୁଧୀରଙ୍କୁ ଏଥର ବି ବିଧାନସଭା ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ଲଗାତାର ଦ୍ବିତୀୟ ଥର ପାଇଁ ତାଙ୍କ ଉପରେ ଭରସା କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ଆସ୍ଥା ଓ ଲୋକଙ୍କ ଭଲପାଇବାକୁ ପୁଞ୍ଜି କରି ନିର୍ବାଚନ ରଣାଙ୍ଗନରେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି ସୁଧୀର । ଜନମତ ଓ ଲୋକପ୍ରିୟତା ସହ ବିଜେଡିର ଗ୍ରହଣୀୟତା ଏଥର ବି ସୁଧୀରଙ୍କ ସପକ୍ଷରେ ଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।
ବିଧାୟକ ସୁଧୀର କୁମାର ସାମଲଙ୍କ ଉପରେ ଆସ୍ଥା ରଖି ବିଜେଡି ପୁଣି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ମଧ୍ୟ ଲଗାତାର ୪ଟି ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଏଥର ଟିକେଟ୍ ଦେଇଛି । କଂଗ୍ରେସ କିନ୍ତୁ ସଂପୂର୍ଣ୍ଣ ନବାଗତା ତଥା ରାଜନୀତି ମଇଦାନରେ ନୂଆ ଢେଙ୍କାନାଳ ରାଜପରିବାରର ବୋହୂ ସୁସ୍ମିତା ସିଂହଦେଓଙ୍କୁ ପ୍ରାର୍ଥୀ କରିଛି। ଢେଙ୍କାନାଳ ନିର୍ବାଚନ ମଇଦାନରେ ଚଳିତଥର ଦୁଇ ପ୍ରବୀଣ ଅଭିଜ୍ଞ ନେତୃତ୍ୱଙ୍କ ସହ ନବୀନ ପ୍ରାର୍ଥୀଙ୍କୁ ନେଇ ତ୍ରିମୁଖୀ ଲଢ଼େଇହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏଥିରେ ବିଜେରି ପଲ୍ଲା ଭାରି ରହିଛି । ଓଡିଶା ରାଜନୀତିରେ ଢେଙ୍କାନାଳ ବେଶ୍ ଗୁରୁତ୍ବବହନ କରେ । କାରଣ ଏହି ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ୨ ଥର କଂଗ୍ରେସରୁ ଢେଙ୍କାନାଳ ବିଧାୟିକା, ୨ଥର ଗଁଦିଆରୁ କଂଗ୍ରେସ ବିଧାୟିକା, ଥରେ ଜନତା ଦଳ ଏବଂ ଆଉ ଥରେ ସ୍ୱାଧୀନ ଭାବେ ବିଧାୟିକା ହୋଇଥିଲେ । ଅତୀତରେ କଂଗ୍ରେସର ଗଡ଼ ଥିବା ଢେଙ୍କାନାଳ ନିର୍ବାଚନମଣ୍ଡଳୀ ମହିଳା ପ୍ରାର୍ଥୀଙ୍କୁ ଜିତାପଟ ଦେଇଥିବା ବେଳେ ଏଥର ହାତ କ୍ରମଶଃ ଦୁର୍ବଳ ହୋଇଯାଇଛି ।
୨୦୦୪ ମସିହାରେ ନିର୍ବାଚନୀ ମଇଦାନରେ ପ୍ରଥମକରି ସଫଳତା ଲାଭ କରିଥିଲେ ସୁଧୀର । କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ଜଣେ ଦକ୍ଷ ସଂଗଠକ ସହ ମେଳାପି ଓ ଜନାଦୃତ ନେତାଭାବେ ସୁଧୀରଙ୍କୁ ଢେଙ୍କାନାଳ ଗ୍ରହଣ କରିଥିଲା । ତାଙ୍କ ସେବା ନୀତି ଓ ବିକାଶ ଆଭିମୁଖ୍ଯ ପାଇଁ କ୍ରମଶଃ ତାଙ୍କ ପ୍ରତି ଜନତାଙ୍କର ଭଲପାଇବା ବଢିଥିଲା । ତେବେ ୨୦୦୯ରେ ପରାଜିତ ହୋଇଯାଇଥିଲେ ସୁଧୀର । ଏନସିପି ପ୍ରାର୍ଥୀ ନବୀନ ନନ୍ଦଙ୍କଠାରୁ ମାତ୍ର ୭ହଜାର ଭୋଟରେ ସେ ପରାସ୍ତ ହୋଇଥିଲେ । ଏହାପରେ ୨୦୧୪ ମସିହାରେ ନିର୍ବାଚନରୁ ଦୂରେଇ ରହି ବିଜେଡିକୁ ସମର୍ଥନ କରିଥିଲେ ସୁଧୀର । ଆଉ ଏହି ନିର୍ବାଚନରେ ବିଜେଡିର ସରୋଜ କୁମାର ସାମଲ ବିଜୟୀ ହୋଇଥିଲେ ।
୨୦୧୯ ମସିହାରେ ପୁଣି ଢେଙ୍କାନାଳ ରାଜନୀତିକୁ ଫେରିଥିଲେ ସୁଧୀର । ବିଜେପିର କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ପରାସ୍ତ କରି ଢେଙ୍କାନାଳ ବିଜୟ ମୁକୁଟ ପିନ୍ଧିଥିଲେ । ବିଜେଡି ସୁଧୀରଙ୍କୁ ଅନେକ ସମୟରେ ଗୁରୁଦାୟିତ୍ବ ପ୍ରଦାନ କରିଛି । ଏପରିକି ସେ ମନ୍ତ୍ରୀ ରେସରେ ମଧ୍ଯ ରହିଥିଲେ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ନୀତିକୁ ଘରେ ଘରେ ପହଞ୍ଚାଇବା ଓ ସେବା ନୀତିକୁ ପାଥେୟ କରି ଆଗକୁ ବଢିବା ତାଙ୍କ ଲୋକପ୍ରିୟତାକୁ ବୃଦ୍ଧି କରୁଛି । ଯାହାକି ଚଳିଚ ନିର୍ବାଚନରେ ପ୍ରତିଫଳିତ ହେବା ଆଶା କରାଯାଉଛି ।

