ବିଧାନସଭାରେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରିବ ବିଜେଡି। ଓଡ଼ିଶାବାସୀ ବିରୋଧୀ ଦଳ ଭାବେ ବିଜେଡିକୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାହାକୁ ସୁଚାରୁରୂପେ ପାଳନ କରିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ସାମ୍ପ୍ରତିକ ରାଜନୈତିକ ଘଟଣାବଳୀ ସମ୍ପର୍କରେ ଆଲୋଚନା କରାଯିବା ସହିତ ଆଗାମୀ ବିଧାନସଭା ଅଧିବେଶନରେ ଦଳର ରଣନୀତି ଚୂଡ଼ାନ୍ତ କରାଯାଇଛି ।

ବୈଠକ ପ୍ରାରମ୍ଭରେ ବିଶିଷ୍ଟ କୃଷିବିତ୍ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବିଧାୟକଙ୍କୁ ସମ୍ବୋଧିତ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାବାସୀ ବିଜେଡିକୁ ନୂଆ ଦାୟିତ୍ୱ ଦେଇଛନ୍ତି । ଓଡିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖ୍ ଦୃଢ଼ ଆତ୍ମବିଶ୍ବାସ ସହ ଲୋକଙ୍କ ହକ୍ ପାଇଁ ଲଢ଼େଇ କରିବାକୁ ନବୀନ ଆହ୍ୱାନ ଜଣାଇଥିଲେ । ଦରଦାମରେ ଅହେତୁକ ବୃଦ୍ଧି, ମହାପ୍ରଭୁଙ୍କ ରଥଯାତ୍ରାର କୁପରିଚାଳନା, ଆଇନ୍ଶୃଙ୍ଖଳା ପରିସ୍ଥିତି, ବାଲେଶ୍ଵରରେ ସାମ୍ପ୍ରଦାୟିକ ଦଙ୍ଗା, ଏଏସଓଙ୍କୁ ମାଡ଼ ଘଟଣା ଏବଂ ବିଜୁ ଜନତା ଦଳ ସରକାରର ଲୋକହିତକର କାର୍ଯ୍ୟର ପୂନଃ ନାମକରଣ ଆଦି ବିଷୟରେ ଗୃହରେ ସରକାରଙ୍କୁ ଘେରିବ ବିଜେଡି ଘେରିବ । ଗତ ନିର୍ବାଚନରେ ବିଜେପି ୩୦୦ ୟୁନିଟ୍ ବିଜୁଳି ଜୁଲାଇରୁ ମାଗଣା ଦେବ ବୋଲି ପ୍ରତିଶୃତି ଦେଇଥିଲା ।

ଏସମ୍ପର୍କରେ ମଧ୍ୟ ସରକାରଙ୍କ ଠାରୁ ବିଜେଡି ଉତ୍ତର ଦାବି କରିବ । ଅନ୍ୟ ବିଷୟମାନଙ୍କ ମଧ୍ୟରେ ବିଧାୟକମାନଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଥିବା ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖୁବା, ବିଧାନସଭାରେ ଶତ ପ୍ରତିଶତ ଉପସ୍ଥିତି ଏବଂ ନବାଗତ ବିଧାୟକମାନଙ୍କ ତାଲିମ ଉପରେ ନବୀନ ଆଲୋକପାତ କରିଥିଲେ ।

