୨୪ ଘଣ୍ଟା ପରିଶ୍ରମ କରିବ ମୋହନ ସରକାର

ଶେଷ ହୋଇଛି ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ମହାପ୍ରଭୁ ଜଗନ୍ନାଥଙ୍କ ଭୂମି ପୁରୀ ଠାରେ ଆୟୋଜିତ ବୈଠକର ଶେଷ ଦିନରେ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ସଂକଳ୍ପ ନେଇଛନ୍ତି ନେତା, କର୍ମୀ । ନୂଆ ଓଡ଼ିଶା ତିଆରି କରିବା ପାଇଁ ୫ ସୁତ୍ରୀ ଏଜେଣ୍ଡାକୁ ନେଇ ପାରିତ ହେଲା ରାଜନୈତିକ ଚିଠା ପ୍ରସ୍ତାବ ପାରିତ । ବିକଶିତ ଓଡ଼ିଶା ପାଇଁ ୧୨ ବର୍ଷର ରୋଡ଼ ମ୍ୟାପ ପ୍ରସ୍ତୁତ କରିଛି ଦଳ । ୨୦୩୬ ସୁଦ୍ଧା ଆଧୁନିକ ଓଡ଼ିଶା, ବିକଶିତ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଯେମିତି କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ୧୨ ବର୍ଷ ଲାଗିଥିଲା , ୧୨୦୦ ବଢେଇ ୧୨ ବର୍ଷର ଅକ୍ଲାନ୍ତ ପରିଶ୍ରମରେ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ । ସେମିତି ବିଜେପି ମଧ୍ୟ ୧୨ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆଗାମୀ 12 ବର୍ଷ ଭିତରେ ତୃଣମୂଳ ସ୍ତରରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ୧୨ ହାଜର କର୍ମକର୍ତ୍ତା ନୂଆ ଓଡ଼ିଶା ଏବଂ ଆଧୁନିକ ଓଡ଼ିଶା ଗଠନ କରିବେ । ୨୦୩୬ ସୁଦ୍ଧା ଓଡ଼ିଶା ଯେତେବେଳେ 100 ବର୍ଷ ପୂର୍ତ୍ତି ପାଳନ କରୁଥିବ, ସେତେବେଳେ ବିକଶିତ ଏବଂ ଆଧୁନିକ ଓଡ଼ିଶା ଗଠନ କରିବା ପାଇଁ କାର୍ଯ୍ୟକାରିଣୀରେ ସଂକଳ୍ପ ନେଇଛି ବିଜେପି ।

ଓଡ଼ିଶାର ଅସ୍ମିତା ଉପରେ ଆକ୍ରମଣ କରିଥିଲା ବିଜେଡ଼ି । ଓଡ଼ିଶାର ଅସ୍ମିତାକୁ ରକ୍ତାତ କରିଥିଲା ବିଜେଡ଼ି । ଓଡ଼ିଶା ଅସ୍ମିତାକୁ ଆଗାମୀ ଦିନରେ ରକ୍ଷା କରିବା ସହ ଆହୁରି ରୁଦ୍ଧିମନ୍ତ କରି ବିଶ୍ଵ ସ୍ତରରେ ପହଞ୍ଚାଇବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଛି । ଆଗାମୀ ଦିନରେ କେବଳ ବିକାଶ ନୁହେଁ, ଓଡ଼ିଶାର ଅସ୍ମିତାକୁ ମଧ୍ୟ ବିଶ୍ଵ ଦରବାରରେ ପହଞ୍ଚିବା ପାଇଁ କର୍ମକର୍ତ୍ତାଙ୍କ ଲକ୍ଷ୍ୟ ରହିବ ।

ସନ୍ତୁଳିତ, ସାମଗ୍ରିକ ଏବଂ ସମତୁଲ ବିକାଶକୁ ଗୁରୁତ୍ଵ । ଓଡ଼ିଶାର ସନ୍ତୁଳିତ ବିକାଶ ହେବ, ସମଗ୍ର ଅଞ୍ଚଳର ବିକାଶ, ସମତୁଲ ବିକାଶ ହେବ । ବିକାଶ ଯେତିକି ମହତ୍ତ୍ୱପୂର୍ଣ୍ଣ, ବିକାଶର ଚରିତ୍ର ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ । ଦୁର୍ନୀତି ମୁକ୍ତ ସରକାର ପାଇଁ ସଂକଳ୍ପ ନିଆଯାଇଛି  । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିରେ ଚାଲିବ ସରକାର । ବିଜେଡ଼ି ସରକାର 5T ନାଁରେ ବର୍ଷକୁ ୫୦ ହାଜର କୋଟି ଟଙ୍କାରୁ ଅଧିକ ଟଙ୍କା ଲୁଟୁଥିଲା । ସାରା ଭାରତରେ ସ୍ପଷ୍ଟ ଦିବାଲୋକରେ ଦୁର୍ନୀତି କରିବାର ଏନ୍ତୁଡ଼ି ଶାଳ ଥିଲା ଓଡ଼ିଶା । ତେଣୁ ସ୍ୱଚ୍ଛ, ଦୁର୍ନୀତି ମୁକ୍ତ ଏବଂ ଲୋକାଭିମୁଖୀ ସରକାର ଦେବା ପାଇଁ ସଂକଳ୍ପ ନେଇଛି ବିଜେପି । ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ବିକାଶ ପହଞ୍ଚିବା ସରକାରଙ୍କର ପ୍ରାଥମିକତା ରହିବ । ୨୪ ଘଣ୍ଟା ପରିଶ୍ରମ କରିବ ମୋହନ ମାଝୀ ସରକାର ।

କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସର ଆଚରଣ ଏବଂ ଉଚ୍ଚାରଣକୁ ନିନ୍ଦା କଲା ବିଜେପି । କଂଗ୍ରେସର ଆଚରଣ ସାରା ଭାରତ ବର୍ଷକୁ ବ୍ୟଥିତ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିନ୍ଦୁ ସମାଜକୁ ହିଂସ୍ର କହିବାକୁ ନିନ୍ଦା କଲା କାର୍ଯ୍ୟକାରିଣୀ । ଜରୁରୀ ପରିସ୍ଥିତି ପାଇଁ ଜୁନ 25କୁ କଳା ଦିବସ ଭାବେ ପାଳନ କରୁଥିଲା ବିଜେପି । ଗଣତନ୍ତ୍ରକୁ ହତ୍ୟା କରିଥିବା ଲୋକ ମାନେ ଆଜି ଗଣତନ୍ତ୍ରର ବାର୍ତ୍ତାବହ ହେବା ପାଇଁ ଚେଷ୍ଟା କରୁଛନ୍ତି । 25 ଜୁନକୁ ସରକାରୀ ସ୍ତରରେ ଗଣତନ୍ତ୍ର ହତ୍ୟା ଦିବସ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ   କାର୍ଯ୍ୟକାରିଣୀରେ ପ୍ରଶଂସା କରିବା ସହ ସ୍ବାଗତ କରାଯାଇଛି । ଦଳୀୟ ପତାକା ଅବତରଣ କରି ରାଜ୍ୟ କାର୍ଯ୍ୟକାରିଣୀର କରାଗଲା ସମାପନ । ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀଙ୍କ ଉପସ୍ଥିତିରେ ଧ୍ଵଜା ଅବତରଣ କରାଯାଇଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!