ବଲିଉଡ୍ ଫିଲ୍ମ ‘ଗଜନୀ’ ର ଲୋକପ୍ରିୟ ଖଳନାୟକ ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ହୋଇଛି । ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ । ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ ପ୍ରଦୀପ ।
ତାଙ୍କ ବିୟୋଗରେ ବଲିଉଡ୍ ସହ ସମଗ୍ର ଦକ୍ଷିଣ ଭାରତୀୟ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ପ୍ରଦୀପ ଭାରତୀୟ ସିନେମାର ଏପରି ଜଣେ କଳାକାର ଥିଲେ ଯିଏ ନିଜର ଜୀବନ୍ତ ଅଭିନୟ ଏବଂ ଗମ୍ଭୀର ସ୍ୱର ପାଇଁ ବେଶ୍ ଜଣାଶୁଣା ଥିଲେ । ଆମୀର ଖାନ୍ଙ୍କ ଅଭିନୀତ ବ୍ଲକ୍ବଷ୍ଟର ଫିଲ୍ମ ‘ଗଜନୀ’ରେ ତାଙ୍କର ମୁଖ୍ୟ ଖଳନାୟକ ଚରିତ୍ର ଆଜି ବି ଦର୍ଶକଙ୍କୁ ଖୁବ୍ ପସନ୍ଦ ।
କେବଳ ହିନ୍ଦୀ ନୁହେଁ ଏହା ପୂର୍ବରୁ ସୂର୍ଯ୍ୟାଙ୍କ ଅଭିନୀତ ଅରିଜିନାଲ୍ ତାମିଲ୍ ‘ଗଜନୀ’ରେ ମଧ୍ୟ ସେ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।ବିଆର୍ ଚୋପ୍ରାଙ୍କ ପ୍ରସିଦ୍ଧ ପୌରାଣିକ ସିରିଏଲ୍ ‘ମହାଭାରତ’ରେ ସେ ‘ଅଶ୍ୱତ୍ଥାମା’ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ ।
ଆମୀର ଖାନ୍ଙ୍କ ସହ ‘ସର୍ଫରୋଶ୍’, ‘ଲଗାନ୍’ ଏବଂ ‘ଗଜନୀ’ ଭଳି ସୁପରହିଟ୍ ଫିଲ୍ମରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ପ୍ରଦୀପ କେବଳ ବଲିଉଡ୍ରେ ନୁହେଁ ବରଂ ତେଲୁଗୁ, ତାମିଲ୍, ମାଲାୟାଲମ୍ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ମଧ୍ୟ ଜଣେ ସଫଳ ଖଳନାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ‘ସାଇ’ , ‘ଛତ୍ରପତି’, ‘ଗ୍ରାଣ୍ଡମାଷ୍ଟର୍’ ଭଳି ଅନେକ ସୁପରହିଟ୍ ଦକ୍ଷିଣ ଭାରତୀୟ ଫିଲ୍ମରେ ତାଙ୍କର ଦମଦାର ଅଭିନୟ ଆଜି ବି ସିନେପ୍ରେମୀଙ୍କ ମନରେ ଘର କରିରହିଛି ।

