ବିହାର, ତ୍ରିପୁରା ଓ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ, ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ଶିକ୍ଷାବିତ୍ ପଦ୍ମଶ୍ରୀ ଡ ଡିୱାଇ ପାଟିଲଙ୍କର ମଙ୍ଗଳବାର ପୂର୍ବାହ୍ଣରେ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଡ ପାଟିଲ କୋଲ୍ହାପୁରର କସବା ବାୱଡାସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ପରିବାର ପକ୍ଷରୁ ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି।
‘ଦାଦା’ ନାମରେ ପରିଚିତ ପାଟିଲଙ୍କ ଜନ୍ମ ୧୯୩୫ ଅକ୍ଟୋବର ୨୨ରେ ମହାରାଷ୍ଟ୍ରର କୋଲ୍ହାପୁର ଜିଲ୍ଲାରେ ହୋଇଥିଲା। ସେ ଦୀର୍ଘ ସମୟ ଧରି କଂଗ୍ରେସ ସହ ଜଡ଼ିତ ରହିବା ସହ ୧୯୬୭ରୁ ୧୯୭୮ ପର୍ଯ୍ୟନ୍ତ ବିଧାୟକ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ବିହାର, ତ୍ରିପୁରା ଓ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୨୦୧୪ରେ ସେ ବିହାରର ରାଜ୍ୟପାଳ ଥିବାବେଳେ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କ ଇସ୍ତଫା ପରେ ସେଠାର ଅତିରିକ୍ତ ଦାୟିତ୍ବ ମଧ୍ୟ ତାଙ୍କୁ ଦିଆଯାଇଥିଲା।
ଡ ପାଟିଲ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଡିୱାଇ ପାଟିଲ ବିଶ୍ବବିଦ୍ୟାଳୟ ଅଧୀନରେ ମେଡିକାଲ, ଇଞ୍ଜିନିୟରିଂ, ପରିଚାଳନା, ନର୍ସିଂ ଓ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲେ।

