ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ରେପୋ‌ ରେଟ୍‌କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଏମପିସି ବୈଠକର ଫଳାଫଳ ଘୋଷଣା କରାଯାଇଛି। ସେପ୍ଟେମ୍ବର ୨୯ତାରିଖରୁ ଆରମ୍ଭ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ବିସ୍ତୃତ ବିବରଣୀ ଦେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ, ଏଥର ମଧ୍ୟ ରେପୋ ହାର ଅପରିବର୍ତ୍ତିତ ରହିଛି। ଏହାର ଅର୍ଥ ହେଉଛି ଆପଣଙ୍କର ଋଣ ଇଏମଆଇ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଅଗଷ୍ଟ ପରେ ଏବେ ଅକ୍ଟୋବରରେ ମଧ୍ୟ ରେପୋ ରେଟ୍ ୫.୫% ରେ ଅପରିବର୍ତ୍ତିତ ରହିଛି।

ରେପୋ ରେଟ୍ ଅପରିବର୍ତ୍ତିତ ଥିବା ଘୋଷଣା କରିବା ସହିତ ଆରବିଆଇ ଭାରତୀୟ ଅର୍ଥନୀତିକୁ ନେଇ ମଧ୍ୟ ଭଲ ଖବର ଦେଇଛି। ଜିଡିପି ଅଭିବୃଦ୍ଧି ଆକଳନକୁ ୬.୮% ବୃଦ୍ଧି କରିଛି ଆରବିଆଇ। ଏହା ବ୍ୟତୀତ ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଦେଶରେ ମୁଦ୍ରାସ୍ଫୀତି ହାର ହ୍ରାସ ପାଇପାରେ। ଟଙ୍କା ଏବେ ଚାପରେ ଅଛି ଏବଂ କେନ୍ଦ୍ରୀୟ ବ୍ୟାଙ୍କ ନିରନ୍ତର ଏହା ଉପରେ ନଜର ରଖିଛି। ଦରକାର ହେଲେ ଆମେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଛାଇବୁ ନାହିଁ।

ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏମପିସି ବୈଠକର ଫଳାଫଳ ଘୋଷଣା କରି ପ୍ରଥମେ ଦଶହରା ଏବଂ ଗାନ୍ଧୀ ଜୟନ୍ତୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ, ପ୍ରଥମ ତ୍ରୈମାସିକରେ ଉତ୍କୃଷ୍ଟ ଜିଡିପି ଅଭିବୃଦ୍ଧି ସହିତ ଭାରତୀୟ ଅର୍ଥନୀତି ସୁଦୃଢ଼ ​​ରହିଛି। ରେପୋ ରେଟ୍ ସ୍ଥିର ରଖିବା ସହିତ, କେନ୍ଦ୍ରୀୟ ବ୍ୟାଙ୍କ ଏସଡିଏଫ ହାରକୁ ୫.୨୫% ଏବଂ ଏମଏସଏଫ ହାରକୁ ୫.୭୫% ବଜାୟ ରଖିଛି। ଏମପିସିର ସମସ୍ତ ୬ଜଣ ସଦସ୍ୟ ରେପୋ ହାରକୁ ଅପରିବର୍ତ୍ତିତ ରଖିବାକୁ ସହମତି ଦେଇଥିଲେ।

Post Views4 Total Count

Apply Now


This will close in 0 seconds

error: Content is protected !!