ଚଳିତବର୍ଷର ଥିମ୍ “ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ”

ମନୁଷ୍ୟ ସମାଜ ପାଇଁ ପ୍ରକୃତି ବହୁ ଗୁରୁତ୍ବ ରଖେ । ପ୍ରକୃତି ବିନା ମଣିଷ ଜୀବନ ଅସମ୍ଭବ। ପ୍ରକୃତିର ସୁରକ୍ଷା ସହିତ ସାରା ଜୀବଜଗତ ପାଇଁ ଏକ ସୁସ୍ଥ ପରିବେଶ ବଜାୟ ରଖିବାକୁ ପ୍ରତିବର୍ଷ ଜୁନ୍‌ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ପ୍ରକୃତି ଓ ମନୁଷ୍ୟ ପରସ୍ପରର ପରିପୂରକ। ପ୍ରାଣୀଜଗତର ଶ୍ରେଷ୍ଠ ଜୀବ ମନୁଷ୍ୟ ହିଁ ପ୍ରକୃତିର ସୁରକ୍ଷା କରିପାରିବ। ବିଶ୍ୱସ୍ତରରେ ପରିବେଶ ପ୍ରତି ରାଜନୈତିକ ତଥା ସାମାଜିକ ଜାଗରଣ ସୃଷ୍ଟି କରିବା ପାଇଁ ବିଶ୍ୱ ପରିବେଶ ଦିବସ ପାଳନ କରିବା ପାଇଁ ମିଳିତ ଜାତିସଂଘ ୧୯୭୨ ମସିହାରେ ଘୋଷଣା କରିଥିଲା। ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ୧୯୭୨ ମସିହା ଜୁନ୍ ୫ ତାରିଖରୁ ଜୁନ୍ ୧୬ ପର୍ଯ୍ୟନ୍ତ ଆୟୋଜିତ ବିଶ୍ୱ ପରିବେଶ ସମ୍ମିଳନୀରେ ଆଲୋଚନା ପରେ ଏହା ଘୋଷଣା କରାଯାଇଥିଲା। ୧୯୭୪ ମସିହା ଜୁନ୍ ୫ ତାରିଖରେ ପ୍ରଥମ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା।

ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଓ  କପରି ସୁସ୍ଥ ପରିବେଷ ଗଠନ କରିବା  ସେଥିପ୍ରତି ଲୋକଙ୍କୁ ସଚେତନ କରାଇବା ଆଶାରେ ଏହି ଦିବସଟିକୁ ବିଶ୍ବ ପରିବେଶ ଦିବସ ରୂପେ ପ୍ରତିବର୍ଷ ପାଳନ କରାଯାଏ। ବିଶ୍ୱର ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ। ମାନବ ଜୀବନର ନିରାପତ୍ତା ପାଇଁ ପରିବେଶକୁ ସୁରକ୍ଷିତ ରଖିବା ନିହାତି ଜରୁରୀ। ଆଧୁନିକତା ଆଡ଼କୁ ଗତି କରୁଥିବା ବିଶ୍ୱରେ ବିକାଶର ଦ୍ୱାହି ଦେଇ ଆମେ ଏପରି ଅନେକ ଜିନିଷ ବ୍ୟବହାର କରିବା ଆରମ୍ଭ କରିଛୁ, ଯାହା ପୃଥିବୀ ଏବଂ ପରିବେଶ ପାଇଁ ଘାତକ ସାଜୁଛି। ମଣିଷ ଏବଂ ପରିବେଶ ମଧ୍ୟରେ ଏକ ଗଭୀର ସଂଯୋଗ ରହିଛି। ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ। କିନ୍ତୁ ଏ ମଣିଷ ହିଁ ଏହି ପ୍ରକୃତିର କ୍ଷତି କରୁଛି। ପରିବେଶ କ୍ରମାଗତ ଭାବରେ ପ୍ରଦୂଷିତ ହେଉଛି, ଯାହା ଜନଜୀବନକୁ ପ୍ରଭାବିତ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟର କାରଣ ପାଲଟିଛି। ଗଛ କାଟିବା,କଳକାରଖାନାରୁ ନିର୍ଗତ ଧୂଆଁ ଓ ଯାନବାହନର ପ୍ରବଳ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ବହୁମାତ୍ରାରେ ବଢ଼ିଛି। ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ହିଁ ପରିବେଶ ପ୍ରଦୂଷଣର ଅନ୍ୟ ଏକ କାରଣ ହୋଇ ଛିଡ଼ାହୋଇଛି।

ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ  ରଖିବାକୁ ପଡ଼ିବ। ମଣିଷ ଯଦି ନିଜ ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖେ, ତେବେ ପ୍ରକୃତିରାଣୀ ହସି ଉଠିବ। ଅନ୍ୟଥା ଏହା ମଣିଷର ପ୍ରତିଟି ପରିବେଶ ପ୍ରତିକୂଳ ପଦକ୍ଷେପର ହିସାବ ନେବ ଏବଂ ପ୍ରତିକ୍ରିୟା ପ୍ରକାଶ କରିବ । ଏ ପ୍ରତିକ୍ରିୟା ସାମାନ୍ୟ ନୁହେଁ, ବରଂ ଅତ୍ୟନ୍ତ ଭୟଙ୍କର ହେବ, ଯାହା ଜଳବାୟୁ ପରିବର୍ତ୍ତନକୁ ଅସ୍ୱାଭାବିକତା ଭାବେ ବିକୃତ କରିପକାଇବ । ପରିଶେଷରେ ଏହା ବନ୍ୟା, ବାତ୍ୟା, ଭୂମିକମ୍ପ, ମରୁଡ଼ି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭଳି ମାନବ ବିଧ୍ୱଂସକାରୀ ଘଟଣାକୁ ବହୁଗୁଣିତ କରିଦେବ।  ବିଶ୍ୱ ପରିବେଶ ଦିବସରେ ଆମେ ଏ ଦିଗଗୁଡ଼ିକୁ ଆଉଥରେ ବିଚାର କରି ପ୍ରକୃତି ଓ ପରିବେଶ ସୁରକ୍ଷିତ ରଖିବା ପାଇଁ ବଦ୍ଧପରିକର ହେବା ଜରୁରୀ । ଚଳିତବର୍ଷ ବିଶ୍ବ ପରିବେଶ ଦିବସର ଥିମ୍‌ ରହିଛି- “ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ରୋକିବା”

Post Views45 Total Count

Apply Now


This will close in 0 seconds

error: Content is protected !!