ଭାଙ୍ଗ ହେଲା ମାଦକ ଦ୍ରବ୍ୟ, ବେଆଇନ୍‌ ଭାବେ ବିକିଲେ ସର୍ବାଧିକ ୭ ବର୍ଷ ଜେଲ୍‌

ଭାଙ୍ଗପ୍ରେମୀଙ୍କ ହୃଦୟକୁ ବାଧିବା ଭଳି ଖବର। ମଦ, ମହୁଲି ଭଳି ‘ଭାଙ୍ଗ’କୁ ମାଦକଦ୍ରବ୍ୟରେ ସାମିଲ କରାଯାଇଛି । ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ଭାଙ୍ଗର ବେଆଇନ୍‌ କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅବକାରୀ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଭାରତରେ ଚାଷ ହେଉଥିବା ଗଞ୍ଜେଇ ଗଛ ପତ୍ରରୁ ଭାଙ୍ଗ ହେଉଛି। ମାତ୍ରାଧିକ ଭାଙ୍ଗ ସେବନ ଦ୍ୱାରା ମାନସିକ ସ୍ଥିତିରେ କୁପ୍ରଭାବ ପଡୁଛି।

ସେବନକାରୀମାନେ ଉତ୍ତେଜନାପ୍ରବଣ, ରୁଗ୍‌ଣ ମାନସିକତା, ସମୟାନୁବର୍ତ୍ତିତା, ଦୁଃସ୍ୱପ୍ନରେ ପୀଡି଼ତ ହେଉଛନ୍ତି। ମଣିଷର ଭାବନା ଶକ୍ତିରେ ପ୍ରଭାବ ପଡୁଛି। ତେଣୁ ଭାଙ୍ଗକୁ ଓଡି଼ଶା ଅବକାରୀ ଆଇନ ୨୦୦୮ (ଓଡି଼ଶା ଆଇନ ୨୦୧୩ର ୧୦) ସେକ୍ସନ ୨ ଖଣ୍ଡ(ଟି) ଅନୁସାରେ ମାଦକ ଦ୍ରବ୍ୟ ଭାବେ ପରିଗଣିତ କରାଯାଇଛି । ଯେମିତି ବିଦେଶୀ ଓ ଦେଶୀ ମଦ ସେବନରେ କଟକଣା ରହିଛି । ସେହିପରି ଭାଙ୍ଗ ସେବନକାରୀ ଓ ଚୋରା ଚାଲାଣ ପାଇଁ ପୂର୍ବରୁ ନିୟମ କାନୁନ କଷାଯାଇଛି ।

ଓଡ଼ିଶା ଅବକାରୀ ନିୟମ ୨୦୧୭ ନିୟମ ୪ ଅନୁସାରେ, ଜଣେ ବ୍ୟକ୍ତି ଥରକେ ମାତ୍ର ୧୨୦ ଗ୍ରାମ ଭାଙ୍ଗ କିଣିପାରିବେ । କିମ୍ବା ସାଙ୍ଗରେ ନେଇ ଯାଇପାରିବେ । ୧୨୦ ଗ୍ରାମ ଉପରକୁ ଭାଙ୍ଗ କିଣିବା ବା ଚାଲାଣ କରିବା ବେଆଇନ୍‌ । ସେହିପରି ଅଢ଼େଇ ଲିଟର ଦେଶୀ ବିଦେଶୀ ବ୍ରାଣ୍ଡ୍‌ ମଦ, ୫ ଲିଟର ବିଅରଠୁ ଅଧିକ କିଣିବା ପାଇଁ ନିୟମ ନାହିଁ । ଓଡି଼ଶାରେ ଭାଙ୍ଗ ବିକିବା ପାଇଁ ଅନେକ ସରକାରୀ ପଟ୍ଟା ରହିଛି । କିନ୍ତୁ କେହି ବେଆଇନ୍‌ ଭାବେ ବିକ୍ରି କଲେ, ତା’ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରିବ । ଓଡି଼ଶା ଅବକାରୀ ଆଇନ୍‌ ସେକ୍ସନ ୫୨ ଅନୁସାରେ, ବେଆଇନ୍‌ ବିକ୍ରି କରୁଥିବା ବ୍ୟକ୍ତି ଗିରଫ ହୋଇପାରିବେ । ବିକ୍ରି ଉଦ୍ଦେଶ୍ୟରେ ବିପୁଳମାତ୍ରାରେ ଭାଙ୍ଗ ଚାଲାଣ କଲେ, ୩ ବର୍ଷରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ପ୍ରାବଧାନ ରହିଛି । ସୂଚନା ଥାଉ କି, ଭାଙ୍ଗର ବି ଅନେକ ଉପକାରିତା ଅଛି । ଏହାକୁ ବିଭିନ୍ନ ଔଷଧ ତିଆରିରେ ମଧ୍ୟ ବ୍ୟବହାର କରାଯାଉଛି । ତଥାପି ଭାଙ୍ଗର ବ୍ୟବହାରରେ ଭାରତର ଏକାଧିକ ରାଜ୍ୟ କଟକଣା ଲଗାଇଛନ୍ତି । ବମ୍ବେ ନିଷେଧ ଆଇନ୍‌ ୧୯୪୯ର ଧାରା ୬୬(୧)(ବି) ଅନୁସାରେ ମହାରାଷ୍ଟ୍ରରେ ଭାଙ୍ଗ ପ୍ରସ୍ତୁତି, ବିକ୍ରି, ସେବନରେ କଟକଣା ଲାଗିଛି । ସେହିପରି ୧୯୫୮ରେ ପାରିତ ଆସାମ ଗାଞ୍ଜା ଓ ଭାଙ୍ଗ ନିଷେଧ ଆଇନ୍‌ ଅନୁସାରେ ରାଜ୍ୟରେ ଭାଙ୍ଗ ଆମଦାନୀ, ରପ୍ତାନୀ, ଚାଲାଣ ଓ ବିକ୍ରି କରାଯାଇପାରିବନି।

ରାଜ୍ୟ ସରକାର ଭାଙ୍ଗକୁ ମାଦକଦ୍ରବ୍ୟ ତାଲିକାରେ ସାମିଲ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେତେକ ଏହାକୁ ସ୍ୱାଗତ କରିବା ସହ ଏହାଦ୍ୱାରା ସରକାରଙ୍କୁ ରାଜସ୍ୱ ମିଳିବ ବୋଲି ମତ ଦେଇଥିବାବେଳେ ଆଉ କେତେକ ସରକାରଙ୍କ ଏହି ପଦକ୍ଷେପକୁ ନାପସନ୍ଦ କରିଛନ୍ତି । ସେମାନଙ୍କ ମତରେ ଭାଙ୍ଗକୁ ଲୋକେ ଔଷଧ ଭାବେ ବ୍ୟବହାର କରନ୍ତି । ଭାଙ୍ଗ ଖାଉଥିବା ଲୋକ କେବେବି ଅପରାଧ ଘଟାଏନାହିଁ । ତେଣୁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଧାର୍ମିକ ପରମ୍ପରାରେ ‘ଭାଙ୍ଗ’ର ଭୂମିକା ରହିଛି । ଅନେକ ମନ୍ଦିରରେ ଭାଙ୍ଗ ଭୋଗ ଏବଂ ଠାକୁରଙ୍କ ପାଖରେ ଘର୍ଷଣ ହୁଏ । ଭାଙ୍ଗ ପଣା ବି ହୁଏ । ଏକ୍ଷେତ୍ରରେ ସରକାର ଭାଙ୍ଗକୁ ନିଶାଦ୍ରବ୍ୟରେ ଅନ୍ତର୍ଭୁକ୍ତ କରିବା ବିଶେଷ ଏତେଟା ଫଳପ୍ରଦ ହେବନାହିଁ । ସଂକ୍ଷେପରେ କହିଲେ ସରକାର ଛୋଟିଆ ଜିନିଷ ଉପରେ ଦୃଷ୍ଟିଦେଲେ । ରାଜ୍ୟରେ ଅବାଧରେ ଚାଲିଥିବା ଗଞ୍ଜେଇ ଚାଷ ଏବଂ ବେପାର, ଦେଶୀ ଓ ବିଦେଶୀ ମଦ, ବ୍ରାଉନସୁଗର୍‌ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ ସରକାର ପ୍ରାଥମିକତା ଦେବା ଆବଶ୍ୟକ ।

Post Views108 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!